ନିର୍ବାଚନ ଆଚରଣ ଉଲ୍ଲଂଘନ ଅଭିଯୋଗରେ ଦେବାଶିଷଙ୍କୁ ନୋଟିସ । ୪୮ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ

532

କନକ ବ୍ୟୁରୋ : କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ଅଧିକାରୀଙ୍କ ନୋଟିସ । ତୃତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଦେବାଶିଷଙ୍କୁ ନୋଟିସ ଜାରି କରାଯାଇଛି । ଗଣତନ୍ତ୍ରର ମହାପର୍ବରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିପାରିବେ ନାହିଁ ବୋଲି ପ୍ରାର୍ଥୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଥାଏ । କିନ୍ତୁ ଏହାକୁ ଉଲ୍ଲଂଘନ କରି ଦେବାଶିଷ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ୨୧ ତାରିଖ ସନ୍ଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ କରାଯାଇଥିଲା । କିନ୍ତୁ ଦେବାଶିଷ ଗତକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ମେସେଜ ଜାରି କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଯାହାର ଯାଞ୍ଚ କରି ନିର୍ବାଚନ କମିଶନ ଦେବାଶିଷଙ୍କୁ ନୋଟିସ ଜାରି କରିଛନ୍ତି । ଏପରିକି ୪୮ ଘଣ୍ଟା ମଧ୍ୟରେ ଏହାର ଜବାବ ଦେବାକୁ ଦେବାଶିଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଅଧିକାରୀ ।