ବୈଜୟନ୍ତଙ୍କୁ ଡାକିଲା ପୁଲିସ ! ଚିଲିକା ଉପରେ ବେଆଇନ ହେଲିକପ୍ଟର ଉଡାଣକୁ ନେଇ ନୋଟିସ,  ବ୍ଲାକ୍ ବକ୍ସରୁ ଜଣାପଡ଼ିବ କେତେ ଉଚ୍ଚରେ ଉଡିଥିଲା ହେଲିକପ୍ଟର ।

24

କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡାକିଲା ପୋଲିସ । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ  ପୂର୍ବତନ ସାଂସଦଙ୍କ ସହ ୨ ଯାତ୍ରୀଙ୍କୁ ମଧ୍ୟ ନୋଟିସ କରିଛି ପୁରୀ ପୋଲିସ । ସିଡିଏ ଅଭିଯୋଗ ଆଧାରରେ ପୋଲିସ ଡିଜିସିଏ ଠାରୁ ତଥ୍ୟ ମାଗିଥିଲା  ଏବଂ ୧୫ତାରିଖ ସକାଳ ସାଢେ ୮ଟାରୁ ସାଢେ ଗୋଟାଏ ମଧ୍ୟରେ କେବଳ ବୈଜୟନ୍ତଙ୍କ ହେଲିକପ୍ଟରକୁ ଅନୁମତି ମିଳିଥିବା ଜଣାପଡିଥିଲା । ସେହି ଆଧାରରେ ଇମ୍ଫାର ହେଙ୍ଗର ବା ବିମାନ ପାର୍କିଂ ଏରିଆକୁ ସିଲ୍ କରାଯାଇଛି । ଚିଲିକାର କେତେ ଉଚ୍ଚରେ ହେଲିକପ୍ଟରଟି ଉଡୁଥିଲା ତାହା ବିମାନର ବ୍ଲାକ୍ ବକ୍ସରୁ ଜଣାପଡିବ । ତେଣୁ ଏନେଇ ଡିଜିସିଏ ଠାରୁ ତଥ୍ୟ ମଗାଯାଇଛି ।

ଚିଲିକାର ଖୁବ କମ୍ ଉଚ୍ଚତାରେ ଚପର ବା ହେଲିକପ୍ଟର ଉଡିବା ନେଇ ଚିଲିକା ଉନ୍ନୟନ କର୍ତୃପକ୍ଷ କରିଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଯେ, ହୋଇଥିବା ଅଭିଯୋଗର ତଦନ୍ତ କରୁଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକାର ନୋ ଫ୍ଲାଇଙ୍ଗ ଇକୋ ସେନସିଟିଭ ଜୋନରେ ଉଡିବା ନେଇ ଯେଉଁ ଅଭିଯୋଗ ସାମ୍ନାକୁ ଆସିଥିଲା, ସେ ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ସେ କହିଛନ୍ତି ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ପାଇଁ ଅନୁମତି ନେଇ ସକାଳ ୮ଟା ୪୬ରୁ ବାହାରିଥିଲା ଓ ୧ଟା ୨୬ରେ ଫେରିଆସିଥିଲା । ଭୁବନେଶ୍ୱରରୁ ରାଜହଂସ, ପୁରୀ, କୋଣାର୍କ, ଗରଦପୁର, ଜଗନ୍ନାଥପୁର ଦେଇ ପୁଣି ଭୁବନେଶ୍ୱର ଫେରିଥିଲା ।

ସେପଟେ ସିଡିଏର ଏତଲା ଆଧାରରେ ପୋଲିସ ନିକଟରେ ହାଜର ହେବାଲାଗି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ସହଯାତ୍ରୀଙ୍କୁ ନୋଟିସ କରିଛି ପୁରୀ ପୋଲିସ । ଅନୁମତି ନଥାଇ ଚିଲିକାର ଅଳ୍ପ ଉଚ୍ଚତାରେ ଚୋପର ଉଡାଇବା ଅଭିଯୋଗରେ ହାଜର ହେବାକୁ ନୋଟିସ କରାଯାଇଛି । ସେପଟେ ଅଭିଯୋଗ ପାଇବା ପରେ ବିମାନବନ୍ଦର ପରିସରରେ ଥିବା ଇମ୍ଫାର ହ୍ୟାଙ୍ଗର ବା ପାର୍କିଂ ଅଂଚଳକୁ ସିଲ୍ କରିଛି ପୋଲିସ୍ । ବ୍ଲାକ ବକ୍ସରୁ ଉଡାଣ ସୂଚନା ପାଇଁ ଡିଜିସିଏକୁ ତଥ୍ୟ ମାଗିଛି ।

ଚିଲିକା ଉପରେ ବେଆଇନ ଭାବେ ହେଲିକପଟର ଉଡିବା ନେଇ ମେରାଇନ ଥାନାରେ ଅଭିଯୋଗ କରିଥିଲେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏସିଏଫ ବିନୋଦ ଆଚାର୍ଯ୍ୟ । ଏତଲାରେ କୁହାଯାଇଥିଲା, ଗତ ୧୫ ତାରିଖ ଅପରାହ୍ନ ସାଢେ ଗୋଟାଏ ସମୟରେ ଧଳା ରଙ୍ଗର ଏକ ହେଲିକପଟର ଚିଲିକା ଉପରେ ଉଡିଥିଲା । ବେଆଇନ ଭାବେ ପାଇଲଟ ହେଲିକପଟରକୁ ଚିଲିକାର ଇକୋ ସେନସିଟିଭ ଜୋନ ଉପରେ ଉଡାଇଥିଲେ, ତେଣୁ ଆଇନତଃ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ କୁହାଯାଇଥିଲା ।

ସେପଟେ ଚିଲିକାରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡିବା ପ୍ରସଙ୍ଗରେ ଆଉ ଏକ ମାମଲା ରୁଜୁ କରିଛି ପୋଲିସ । ଚିଲିକା ପରିବେଶ ଓ ପର୍ଯ୍ୟଟନ ମହାଂସଘର ଏତଲା ଆଧାରରେ ଏହି ମାମଲା ହୋଇଛି । ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନ୍ତର୍ଗତ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୨୭୭, ୨୭୮, ୩୩୬. ୪୩୧ ଓ ଏୟାରକ୍ରାଫ୍ଟ ଆଇନ ୧୧ରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।