କୋରାପୁଟରେ ‘ନୋଟା’ ହେଲା ନିର୍ଣ୍ଣାୟକ: ଲୋକସଭା ଓ ୫ଟି ଯାକ ବିଧାନସଭାରେ ବିଜୟ ବ୍ୟବଧାନଠୁ ପଡ଼ିଲା ଅଧିକ ଭୋଟ; ନେତାଙ୍କ ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ ?

670

କନକ ବ୍ୟୁରୋ: ବିଜେଡି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ମାତ୍ର ୩୬୧୩ ଖଣ୍ଡ ଭୋଟରେ ହାରିଗଲେ। କିନ୍ତୁ ଏହି କୋରାପୁଟ ଲୋକସଭା ଆସନରେ ନୋଟା ପାଇଛି ୩୬,୫୬୧ ଭୋଟ। ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ ପ୍ରଭୁ ଜାନୀ ଅଳ୍ପକେ ଜିତି ପ୍ରଥମ ଥର ପାଇଁ ବିଧାନସଭାକୁ ଯିବେ। ଏଠାରେ କଂଗ୍ରେସ ପ୍ରାର୍ଥୀ ୨୨୯ ଖଣ୍ଡ ଭୋଟରେ ହାରିଥିଲା ବେଳେ ନୋଟାରେ ୭ ହଜାରରୁ ଅଧିକ ଭୋଟ ପଡିଛି। କୋରାପୁଟ ଲୋକସଭା ଓ ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୋଟାରେ ଅଧିକ ପରିମାଣର ଭୋଟ ପଡିଥିବାରୁ ଏହା ନିର୍ବାଚନ ଫଳାଫଳ ଉପରେ ସିଧାସଳଖ ପ୍ରଭାବ ପକାଇଛି। ହାରଜିତର ବ୍ୟବଧାନକୁ ଦେଖିଲେ ଏଠାରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ନୋଟା ନିର୍ଣ୍ଣାୟକ ହୋଇଥିବା ସ୍ପଷ୍ଟ ହୋଇ ଯାଇଛି।

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ୩,୭୧,୧୨୯ ଖଣ୍ଡ ଭୋଟ ପାଇଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର କୌଶଲ୍ୟା ହିକକା ୩,୬୭,୫୧୬ ଖଣ୍ଡ ଭୋଟ ପାଇଛନ୍ତି। ବିଜେପିର ଜୟରାମ ପାଙ୍ଗୀଙ୍କୁ ୨,୦୮,୩୯୮ ଖଣ୍ଡ ଭୋଟ ମିଳିଛି। ଏହି ଆସନକୁ ହାତେଇବା ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେ ମଧ୍ୟ ଶେଷରେ କଂଗ୍ରେସ ବାଜି ମାରି ନେଇଥିଲା। ଭୋଟ ଗଣତିରେ ଦିନତମାମ ବିଜେଡି ଆଗୁଆ ରହିଥିଲା ବେଳେ ଶେଷ ସମୟରେ ବିଜୟଧାରାକୁ ଫେରିଥିଲା କଂଗ୍ରେସ। ଶେଷ କେତୋଟି ରାଉଣ୍ଡରେ ଦଳ ଆଗୁଆ ହେବା ସହ ୩,୬୧୩ ଭୋଟ ବ୍ୟବଧାନରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଏଠାରେ ଦୁଇ ପ୍ରାର୍ଥୀଙ୍କ ଭିତରେ ଭୋଟ ବ୍ୟବଧାନ ଯେତିକି ଥିଲା। ଏହାର ପ୍ରାୟ ୧୦ ଗୁଣ ଅଧିକ ଭୋଟ ନୋଟାରେ ପଡିଛି। ଅର୍ଥାତ ଲୋକମାନେ ସେମାନଙ୍କ ନେତା ଭାବେ କାହାକୁ ପସନ୍ଦ କରି ନାହାନ୍ତି। ଲୋକେ ନେତା ବଦଳରେ ନୋଟାକୁ ବାଛିଛନ୍ତି। ଫଳରେ ନୋଟାରେ ଅବିଶ୍ବସନୀୟ ଭାବେ ପଡିଛି ୩୬,୫୬୧ ଭୋଟ।

ଲୋକସଭା ପରି ବିଧାନସଭାରେ ମଧ୍ୟ ସମାନ ଅବସ୍ଥା। ଲକ୍ଷ୍ମୀପୁର, ପଟାଙ୍ଗୀ ଓ କୋଟପାଡ ଆସନରେ ବିଜୟର ବ୍ୟବଧାନ ଅପେକ୍ଷା ନୋଟା ଅଧିକ ଭୋଟ ଟାଣିଛି। କେବଳ କୋରାପୁଟ ଓ ଜୟପୁର ଆସନ ଏଥିରୁ ରକ୍ଷା ପାଇ ଯାଇଛି। ତଥାପି ମଧ୍ୟ ନୋଟାରେ ଅଧିକ ଭୋଟ ପଡିଥିବାରୁ ଫଳାଫଳର ଦିଗ ବଦଳି ଯାଇଛି। ଏପରିକି କିଛି ଆସନରେ ନୋଟା ବିଭିନ୍ନ ଦଳ ଅପେକ୍ଷା ଅଧିକ ଭୋଟ ପାଇଛି। ଲକ୍ଷ୍ମୀପୁର ଆସନରେ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀଙ୍କୁ ୪୫,୨୧୧ ଖଣ୍ଡ ଭୋଟ ମିଳିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକାଙ୍କୁ ୪୪,୯୮୨ ଖଣ୍ଡ ଭୋଟ ମିଳିଛି। ମାତ୍ର ୨୨୯ ଖଣ୍ଡ ଭୋଟରେ ଏଠାରେ ବିଜୟୀ ହୋଇଛି ବିଜେଡି। ତେବେ ନୋଟା ନେଇଛି ୭୦୨୬ ଖଣ୍ଡ ଭୋଟ। ଏପରିକି ସିପିଆଇ(ଏମଏଲ) ପ୍ରାର୍ଥୀଙ୍କଠାରୁ ନୋଟାରେ ଅଧିକ ଭୋଟ ପଡିଛି। ନୋଟା ନ ଥିଲେ ହୁଏତ ଫଳାଫଳ ଅଲଗା ପ୍ରକାରର ହୋଇଥାନ୍ତା।

ସେହିପରି ପଟାଙ୍ଗୀ ଆସନରେ ବିଜେଡି ପ୍ରାର୍ଥୀ ପୀତମ ପାଢୀଙ୍କୁ ୫୧,୨୪୪ ଖଣ୍ଡ ଭୋଟ ମିଳିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କୁ ମିଳିଛି ୪୬,୯୮୯ ଖଣ୍ଡ ଭୋଟ। ଅର୍ଥାତ ବିଜେଡି ୪୨୫୫ ଖଣ୍ଡ ଭୋଟରେ ଏଠାରେ ଜିତିଛି। ତେବେ ଏହି ଆସନରେ ନୋଟା ନେଇଛି ୫୭୧୫ ଖଣ୍ଡ ଭୋଟ। ଏଠାରେ ମଧ୍ୟ ହାରଜିତ ବ୍ୟବଧାନ ଅପେକ୍ଷା ନୋଟା ଅଧିକ ଭୋଟ ପାଇଛି। ଏପରିକି ନୋଟା ତୁଳନାରେ ବିଏସ୍ପି ପ୍ରାର୍ଥୀ କମ ଭୋଟ ପାଇଛନ୍ତି।

କୋଟପାଡରେ ପ୍ରଥମ ଥର ପାଇଁ ବିଜେଡି ଜିତିଥିଲା ବେଳେ ଦଳର ପ୍ରାର୍ଥୀ ପଦ୍ମିନୀ ଦିଆନଙ୍କୁ ୬୨,୨୪୮ ଖଣ୍ଡ ମିଳିଛି। ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ୫୯,୬୧୭ ଖଣ୍ଡ ଭୋଟ ପାଇଛନ୍ତି। ଉଭୟଙ୍କ ଭିତରେ ୨୬୩୧ ଭୋଟ ବ୍ୟବଧାନ ରହିଥିଲା ବେଳେ ନୋଟାକୁ ଯାଇଛି ୩୫୬୪ ଭୋଟ। ହାରଜିତ ଅପେକ୍ଷା ନୋଟା ପାଖାପାଖି ହଜାରେ ଭୋଟ ଅଧିକ ନେଇ ଯାଇଛି। କୋରାପୁଟ ଆସନରେ ବିଜେଡି ପ୍ରାର୍ଥୀ ରଘୁରାମ ପଡାଲ ୪୮,୧୭୧ ଖଣ୍ଡ ଭୋଟ ପାଇଥିଲା ବେଳେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଲଦୀପଙ୍କୁ ୪୧,୮୮୬ ଖଣ୍ଡ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ତ୍ରିପୁରାରି ଗରଡା ୩୩,୫୦୪ ଭୋଟ ପାଇଛନ୍ତି। ନୋଟା ୩୨୩୫ ଖଣ୍ଡ ଭୋଟ ନେଇଛି। ଏଠାରେ ୮ ଜଣ ପ୍ରାର୍ଥୀ ରହିଥିଲା ବେଳେ ବିଜେଡି, କଂଗ୍ରେସ, ବିଜେପି ପ୍ରାର୍ଥୀଙ୍କ ପରେ ନୋଟା ସର୍ବାଧିକ ଭୋଟ ପାଇଛି।

ସେହିପରି ଜୟପୁରରେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ୫୪୫୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତାଙ୍କୁ ୫୯,୭୮୫ ଖଣ୍ଡ ଭୋଟ ମିଳିଥିଲା ବେଳେ ବିଜେଡିର ରବି ନନ୍ଦଙ୍କୁ ମିଳିଛି ୫୪,୩୩୪ ଖଣ୍ଡ ଭୋଟ। ତେବେ ଏହି ଆସନରେ ନୋଟା ପାଇଛି ୨୩୯୭ ଭୋଟ। ଏଠାରେ ୮ ଜଣ ପ୍ରାର୍ଥୀ ରହିଥିଲା ବେଳେ ବିଜେଡି, କଂଗ୍ରେସ, ବିଜେପି ଓ ବିଏସପି ପ୍ରାର୍ଥୀଙ୍କ ପରେ ନୋଟାର ସ୍ଥାନ ରହିଛି। କୋରାପୁଟ ଓ ଜୟପୁର ଆସନରେ ନୋଟା ଭଲ ଭୋଟ ନେଇଥିଲେ ମଧ୍ୟ ଫଳାଫଳରେ ବିଶେଷ ପ୍ରଭାବ ପକାଇ ପାରିନି। ଅପରପକ୍ଷରେ ନୋଟାରେ ଏତେ ପରିମାଣର ଭୋଟ ପଡିବା ପରେ ନେତାଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବହୁ ଭୋଟର କୌଣସି ଦଳର ନେତାଙ୍କୁ ପସନ୍ଦ କରୁ ନ ଥିବା ସ୍ପଷ୍ଟ ହୋଇ ଯାଇଛି।