ସନ୍ଦେହି ପୁଲିସ୍ ସାଧାରଣ ଜନତା ! ଚାଷୀ ଭାବି ଯାତ୍ରୀଙ୍କୁ କଲା ହଟହଟା

35

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର କରିଥିଲେ ରଣନୀତି । ହେଲେ ପୁଲିସର ଘେରାବନ୍ଦୀରେ ପଡିଯାଇଥିଲେ ସାଧାରଣ ଲୋକ । ଆଜି ଭୁବନେଶ୍ୱରରେ ହଜାର ହଜାର ଲୋକଙ୍କୁ ଭୟଭୀତ କରିଥିଲା ପୁଲିସ୍ । କିଏ ଘଂଟା ଘଂଟା ଧରି ଅଟକି ରହିଥିଲା ତ ପୁଣି କାହାକୁ ମାଓବାଦୀଙ୍କ ଭଳି ବ୍ୟବହାର କରିଥିଲା ପୁଲିସ୍ । ନବୀନ ସରକାର ନିର୍ଦ୍ଦେଶ ପାଳିବାକୁ ଯାଇ ପୁଲିସ୍ ବାହିନୀ କେମିତି ଦିଶାହୀନ ହୋଇଯାଇଥିଲା , ତାର କିଛି ଦୃଶ୍ୟ କଏଦ ହୋଇଥିଲା କନକ ନ୍ୟୁଜ କ୍ୟାମେରାରେ ।

Normal People Were Also Troubled By Policeରାଜଧାନୀ ରାସ୍ତା ସହ ଅପରିଚିତ ଥିବା ଜଣେ ବ୍ୟକ୍ତି ଆସିଥିଲେ ଝିଅ ଘରକୁ । ହେଲେ ମଝିବାଟରୁ ଉଠାଇ ନେଇଥିଲା ପୁଲିସ୍ । କାରଣ ପୁଲିସର ସନ୍ଦେହ ସବୁ ଧୋତି ପିନ୍ଧା ମଣିଷ ଚାଷୀ ହୋଇଥିବେ । ସେହିପରି କଟକ ଭାଣପୁର ରାସ୍ତାରେ ଲୁଟ୍ ହେବାର ଘଂଟାଏ ପର୍ଯ୍ୟନ୍ତ ପୁଲିସ୍ ପହଞ୍ଚି ପାରେନି । ହେଲେ ହଠାତ୍ ଆଜି ସକାଳୁ ଆରମ୍ଭ ହୋଇଯାଇଥିଲା ଚେକିଂ । କାରଣ ଖାକିର ସନ୍ଦେହି ଚଷମାରେ ଆଜି ଯାତ୍ରୀ ବି ଚାଷୀ ଭଳି ଦେଖା ଯାଉଛନ୍ତି ।

vlcsnap-2016-12-14-20h33m58s035ତେବେ ଟିଭି ସାମ୍ବାଦିକଙ୍କୁ ଦେଖିବା ପରେ ପୁଲିସ୍ ବଦଳାଇଥିଲା ରଣନୀତି । ଚାଷୀଙ୍କୁ ଚେକିଂ ନୁହେଁ ମଦୁଆ ଡ୍ରାଇଭରଙ୍କୁ ଧରିବାକୁ ଗାଡି ଅଟଳାଇବାର ବାହାନା ବି କରିଥିଲା । ଏତିକିରେ ସରି ନଥିଲା ପୁଲିସର ଦମନଲୀଳା । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସିଟି ବସକୁ ଘଂଟା ଘଂଟା ଧରି ଅଟକାଇ ରଖିଥିଲା ପୁଲିସ୍ । ଯାହାକୁ ନେଇ ଅସନ୍ତୋଷ ବଢିଥିଲା ।

ଛକରୁ ଷ୍ଟେସନ୍ । ମୁତୟନ ପୁଲିସ୍ ଯେମିତି ମାତି ଯାଇଥିଲେ ଚାଷୀଙ୍କୁ ବାନ୍ଧିବାକୁ । ସେହିପରି ପୁରୀ ଯୁବ ମହୋତ୍ସବ ପରେ କୋରାପୁଟ ଆଦିବାସୀ ନୃତ୍ୟଶିଳ୍ପୀ ଭୁବନେଶ୍ୱର ଆସିଥିଲେ ଦର୍ଶକଙ୍କ ମନୋରଞ୍ଜନ ପାଇଁ । ହେଲେ ପୁଲିସ୍ ଭାବିଲା ବୋଧେ ବେଶ ବଦଳାଇ ଚାଷୀ ଆସିଛନ୍ତି ବିକ୍ଷୋଭ ସମାବେଶରେ ସାମିଲ୍ ହେବାକୁ । ତେଣୁ ଘଂଟା ଘଂଟା ଧରି ଅଟକ ରଖିଥିଲା ଷ୍ଟେସନରେ । ରାଜଧାନୀଆ ପୁଲିସକୁ କାକୁତି ମୀନତି ହେବା ପରେ ମୁକ୍ତି ମିଳିଥିଲା । କିନ୍ତୁ ଯିବାକୁ ଦିଆଯାଇଥିଲା ଅଲଗା ବାଟରେ ।

ଏହି ଗୋଟି ଗୋଟି ଦୃଶ୍ୟ ଥିଲା ସରକାରଙ୍କ ଗୋଲାମଗିରିର ଦୃଶ୍ୟ । କାରଣ ପୁଲିସ୍ ନିଜ ଇଚ୍ଛାରେ ଚାଷୀ ନାଁରେ ସାଧାରଣ ଜନତାଙ୍କୁ ହଇରାଣ କରୁନଥିଲା । ବରଂ ସବୁ ପଛରେ ଥିଲା ଏକ ବଡ ନିର୍ଦେଶ । ଚାଷୀ ସଂଗଠନକୁ ଡରୁଥିବା ନବୀନ୍ ସରକାରଙ୍କ ନିରଦେଶ ।