ନବୀନ ନୁହେଁ ପ୍ରବୀଣ! ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ବଦଳାଇଦେଲା ଫେକ୍ ଆକାଉଣ୍ଟ

810

କନକ ବ୍ୟୁରୋ : ପ୍ରବୀଣ ପଟ୍ଟନାୟକ । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏକଥା ଆମେ କହୁନୁ ଚା’ ଖଟିରେ ଏବେ ଏଭଳି ଚର୍ଚ୍ଚା ଜୋର ଧରିଛି । ୨ ଦିନ ହେଲା ଓଡିଶାରେ ଯେଉଁଭଳି ପାଗ ରହୁଛି ସେଥିରେ ଗରମ ଚା’ କପେ ନ ପିଇଲେ ଦେହରେ ବଳ ଆସୁନି । ପୁରା ଅଳସୁଆ ଅଳସୁଆ ଲାଗୁଛି । ତେଣୁ ଅଳସୁଆପଣକୁ ଛଡାଇବାକୁ ଯାଇ ଆଜି ସହିଦ ନଗରର ଏକ ଚା’ ଦୋକାନରେ ପହଞ୍ଚିଲି । ଚା’ ଦୋକାନ ଆଗରେ ଲମ୍ବା ଲାଇନ । ଭିଡ ଦେଖି ଭାବିଲି ଆଉ ଚାହା ମିଳବନି ପଳେଇ ଯିବି । କିନ୍ତୁ ଯେମିତି ଘରକୁ ଆସିବାକୁ ପାଦ ବାହାର କରିଛି ଏମିତି ଏକ କଥା ଶୁଣିଲି ଯେ, ଆପଣାଛାଏଁ ଦେହରୁ ଅଳସୁଆପଣ କୁଆଡେ ଦୂରେଇ ଗଲା ।


ଚା’ ଦୋକାନରୁ ଦି ହାତ ଦୂରରେ ଛିଡା ହୋଇ ଚା’ ପିଇବା ସହ ସୋସିଆଲ ମିଡିଆରେ ବ୍ୟସ୍ତ ଥିବା ଦୁଇ ଭେଣ୍ଡିଆ ଯୁବକ ଯାହା କଥା ହେଉଥିଲେ ତାହା ଶୁଣିକି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଜୋର ଦେଇ କହୁଥିଲା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହଁନ୍ତି ବରଂ ପ୍ରବୀଣ ପଟ୍ଟନାୟକ । ଏପରିକି ପ୍ରମାଣ ସ୍ୱରୂପ ବାରମ୍ବାର ମୋବାଇଲ ଦେଖାଉଥିଲା । ଏକଥା ମୋ ମଗଜରେ ଆଦୌ ପଶିଲା ନାହିଁ । ନବୀନ ପଟ୍ଟନାୟକ ତ ଓଡିଶାର ମୁଖ୍ୟମନ୍ତ୍ରୀ ତାହା ହେଲେ ଏ ପ୍ରବୀଣ ପଟ୍ଟନାୟକ କିଏ ?ପୂରା କଥା କଣ ଜାଣିବା ପାଇଁ ଦୁଇ ଯୁବକଙ୍କ ପାଖକୁ ଗଲି । ଆଉ ପଚାରିଲି ନବୀନ ପଟ୍ଟନାୟକ ତ ଓଡିଶାର ମୁଖ୍ୟମନ୍ତ୍ରୀ । ଏକଥା ରାଜ୍ୟବାସୀଙ୍କ ସମେତ ପୂରା ଦେଶ ଓ ବିଦେଶର ଲୋକ ଜାଣିଛନ୍ତି । କିନ୍ତୁ ପ୍ରବୀଣ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ବୋଲି ତୁମେ କାହିଁକି କହୁଛ ବୋଲି ପଚାରିବାରୁ ଯୁବକ ଜଣକ ମୋତେ ତାଙ୍କର ମୋବାଇଲ ହାତକୁ ବଢାଇ ଦେଇଥିଲେ । ଆଉ କହିଥିଲେ ଦେଖ୍ କିଏ ଆମ ମୁଖ୍ୟମନ୍ତ୍ରୀ । ମୋବାଇଲ ପେଜ ଉପରେ ଆଖି ଥରେ ବୁଲାଇ ଆଣିବା ପରେ ସତରେ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କାରଣ ଟ୍ୱିଟର ପେଜରେ ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରବୀଣ ପଟ୍ଟନାୟକଙ୍କ ନାଁ ନେଇ ଧନ୍ୟବାଦରେ ପୋତି ପକାଇଥିଲେ କିଛି ୟୁଜର୍ସ ।


ଭାବିଲି ହଁ ସୋସିଆଲ ମିଡିଆରେ ଜଣେ ଅଧେ ଏମିତି କିଏ ମଜାରେ ଲେଖି ଦେଇଥିବ । କିନ୍ତୁ ଯୁବକ ଜଣକ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ ଯେତେବେଳେ ସାମ୍ନାରେ ଦେଖାଇଲେ ସେତେବେଳେ ତାଜୁବ ହୋଇଯାଇଥିଲି । କାରଣ ପ୍ରତି ଟ୍ୱିଟରେ ପ୍ରବୀଣ ପଟ୍ଟନାୟକଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରାଯାଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟରରେ କିଭଳି ବଦଳାଇ ଦିଆଗଲା ତାହା ବିଷୟରେ ଜାଣିବା ପାଇଁ ଆଗ୍ରହ କରିବାରୁ ସେ ଏହା ପଛର ପୂରା କାହାଣୀ କହିଥିଲେ ।

ଡିସେମ୍ବର ୧୭, ୨୦୧୮ । ଓଡିଶା ମହୋତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଟ ଗସ୍ତ କରିଥିବା ବେଳେ ଟ୍ୱିଟରରେ ଆରମ୍ଭ ହୋଇଥିଲା ଟ୍ରେଣ୍ଡ । ଟ୍ୱିଟରରେ ଟ୍ରେଣ୍ଡ କରୁଥିଲା । କିନ୍ତୁ  ନାଁରେ ଆସିଥିବା ଟ୍ରେଣ୍ଡିଂ ଟ୍ୱିଟରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ବଦଳରେ ପ୍ରବୀଣ ପଟ୍ଟନାୟକ ବୋଲି ଦର୍ଶାଯାଇଥିଲା । ଯାହା ଲୋକଙ୍କ ମନରେ ଉକ୍ରଣ୍ଠା ବଢାଇଥିଲା । ଏପରିକି ସୁରଟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି କାର୍ଯ୍ୟକ୍ରମକୁ ନେଇ ଟ୍ୱିଟ୍ କରିବା ସହ ପ୍ରଂଶସା କରୁଥିଲେ କିଛି ୟୁଜର୍ସ । କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନୁହେଁ ବରଂ ପ୍ରବୀଣଙ୍କ ନାଁ ନେଇ ଏହି ଟ୍ୱିଟ ଆସିଥିଲା ।


ଏହି ପୂରା ଘଟଣା କିଛି ସମୟ ପାଇଁ ଲୋକଙ୍କ ମନରେ ଉକ୍ରଣ୍ଠା ବଢାଇଥିଲା । କିନ୍ତୁ କିଛି ସମୟ ମଧ୍ୟରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ପ୍ରବୀଣଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ସଜାଇ ଯେଉଁ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରାଯାଉଥିଲା ତାହା ପ୍ରକୃତରେ ଫେକ୍ ଆକାଉଣ୍ଟ ଥିଲା ବୋଲି ଏକରକମ ସ୍ପଷ୍ଟ ହୋଇଥିଲା ।

ବଟ୍ ଆକାଉଂଟ ମାଧ୍ୟମରେ ଟ୍ୱିଟରରେ ଟ୍ରେଣ୍ଡ କରାଇବାର ଏହି ଧାରା ବେଶ ପୁରୁଣା । ଦେଶର ପ୍ରମୁଖ ରାଜନେତାଙ୍କ ଠାରୁ ଆରମ୍ଭ କରି ଏକାଧିକ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ଏହି ରାସ୍ତାରେ ବେଶ ଅନୁଭବୀ । ଆଉ ରାଜ୍ୟରେ ଏବେ ଏହି ଟ୍ରେଣ୍ଡ ଆରମ୍ଭ ହୋଇଥିବା କୁହାଯାଉଛି, ଯେତେବେଳେ ପ୍ରସଙ୍ଗ ଟ୍ୱିଟରରେ ଟ୍ରେଣ୍ଡ କରିବାକୁ ପ୍ରୟାସ କରାଯାଉଛି ।