ସାମ୍ପ୍ରଦାୟିକତାର ଭିନ୍ନ ରୂପ : ଦିଲ୍ଲୀ ଦଙ୍ଗା ସମୟରେ ମୁସ୍ତଫାବାଦରେ ଏକମାତ୍ର ହିନ୍ଦୁ ପରିବାରକୁ ସୁରକ୍ଷା ପ୍ରଦାନ କରି ଭାଇଚାରାର ଉଦାହରଣ କଲେ ମୁସଲମାନ ଭାଇ

321

କନକ ବ୍ୟୁରୋ : ହିଂସା ଭିତରେ ହିନ୍ଦୁ-ମୁସଲମାନଙ୍କ ଭାଇଚାରା ଝଲକ । ଯେତେବେ ହିଂସାର ନିଆଁରେ ରାଜଧାନୀ ଦିଲ୍ଲୀ ଜଳୁଥିଲା, ସେତେବେଳେ ଦିଲ୍ଲୀ ମୁସ୍ତାଫାବାଦର ମୁସଲମାନ ସଂପ୍ରଦାୟ ଲୋକେ ନୂଆ ଉଦାହରଣ ସୃଷ୍ଟି କରିବା ସହ ଭାଇଚାରାର ମାନ ରଖିଛନ୍ତି । ଦଙ୍ଗା ସମୟରେ ପ୍ରାଣବିକଳରେ ଜୀବନ ବଞ୍ଚାଇବାକୁ ଯାଇ ଲୋକେ ଘର ଛାଡ଼ି ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରା ନେଉଥିଲେ । ରକ୍ତାକ୍ତ ସଂଘର୍ଷରେ କିଏ ବାପାକୁ ହରାଇଥିଲା ତ କିଏ ଭାଇକୁ । ଜୀବନ ରଖିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ଲୋକେ । ଆଉ ସେହି ସମୟରେ ମୁସ୍ତାଫାବାଦ ନିବାସୀ ରାମସେବକ ଶର୍ମା ନିଜ ଘରେ ଅତି ଶାନ୍ତିରେ ରହୁଥିଲେ । ମୁସଲମାନ୍ ଅଞ୍ଚଳର ରହୁଥିବା ସତ୍ୱେ ମନରେ ତାଙ୍କର ତିଳେ ମାତ୍ର ଭୟ ନଥିଲା । ଆଉ ଏସବୁ ସମ୍ଭବ ହୋଇପାରିଥିଲା କେବଳ ମୁସଲମାନଙ୍କ ପାଇଁ ।

ରାମ ସେବକ ଶର୍ମାଙ୍କ ପରିବାର ବସ୍ତିରେ ଏକୁଟିଆ ବ୍ରାହ୍ମଣ । ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ସମୟରେ ଜୀବନ ବିକଳରେ ଲୋକେ କିଏ ଘର ଛାଡ଼ୁଥିଲା ତ କିଏ ନିଜ ନିଜ ଘରେ କବାଟ କିଳି ବସୁଥିଲା । ଆନ୍ଦୋଳନକାରୀଙ୍କ ମୁଣ୍ଡରେ ପିଶାଚ ସବାର ଥିଲା । ଘରଦ୍ୱାର ନିଆଁ ଲଗାଇ ଦେଉଥିଲେ ବିକ୍ଷୋଭ ପ୍ରଦର୍ଶନକାରୀ । ଆଉ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ରାମସେବକ ଶର୍ମା ମୁସଲମାନ ଭାଇଙ୍କ ଗହଣରେ ବେଶ ସୁରକ୍ଷିତ ମନେ କରିଥିଲେ । ମୁସଲମାନ ବହୁଳ ସ୍ଥାନରେ ରହୁଥିଲେ ବି ଥରେ ହେଲେ ଘର ଛାଡ଼ି ଯିବା କଥା ଚିନ୍ତା କରିନଥିଲେ ରାମସେବକ । ଆଉ ଦଙ୍ଗା ସମୟରେ ମୁସଲମାନ ପଡ଼ୋଶୀମାନେ ମଧ୍ୟ ରାମ ସେବକ ଶର୍ମାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିଥିଲେ ।

ରାମ ସେବକ ଶର୍ମାଙ୍କ କହିବା ଅନୁସାରେ ବିଗତ ୩୫ ବର୍ଷ ହେଲେ ମୁସଲମାନଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ତାଙ୍କ ପରିବାର ଚଳିଆସୁଛି । ସୁଖଦୁଃଖ ବାଣ୍ଟି ଏତେ ଦିନ ରହୁଛନ୍ତି । ହିନ୍ଦୁ ମୁସଲମାନ ଉଭୟ ସଂପ୍ରଦାୟ ଭାଇଚାଚାରେ ବିଶ୍ୱାସ ରଖନ୍ତି । ହେଲେ କିଛି କୁଚକ୍ରୀ ଲୋକଙ୍କ ପାଇଁ ଆଜି ଦେଶର ଏପରି ହାଲ । ହିନ୍ଦୁ ମୁସଲମାନ ଭିନ୍ନ ନୁହଁନ୍ତି । ଗୋଟିଏ ମାଟିର ସନ୍ତାନ । ଏପରି ହିଂସାକାଣ୍ଡ ସମୟରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ଏକତା ବଜାୟ ରଖିଲେ ଖଳ ପ୍ରକୃତିର ଲୋକଙ୍କୁ ଉଚିତ ମିଳିବ ବୋଲି ସେ ମତ ଦିଅନ୍ତି ।