କେବଳ ସଲମାନ ଖାନ ବୋଲି… ଏଭଳି ଆମ ଦେଶର ବ୍ୟବସ୍ଥା !

76

ଜେଲରୁ ବାହାରିଲେ ଟାଇଗର । ୧୯୯୮ରେ ଦୁଇଟି ବିରଳ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନଙ୍କୁ ଗୁରୁବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । କୋର୍ଟ ୫ବର୍ଷର ସଜା ଶୁଣାଇବା ସହ ଯୋଧପୁର ଜେଲକୁ ପଠାଇ ଦେଇଥିଲେ । ତେବେ ଆଜି ବେଲ ପାଇ ଜେଲରୁ ଫେରିଛନ୍ତି ବଲିଉଡ଼ର ଦବଙ୍ଗ ଖାନ । ତେବେ ସଲମାନଙ୍କୁ କୋର୍ଟ ଦୋଷୀ କରିବା ପରେ କିଛି ଲୋକ ଏହି ରାୟ ଉପରେ ଆପତ୍ତି ଉଠାଇଥିଲେ ଏବଂ କିଛି ଲୋକ କୋର୍ଟର ରାୟକୁ ସମର୍ଥନ କରିଥିଲେ । ଗରିବ ହେଉ ଅବା ଧନୀ ସମସ୍ତଙ୍କ ପାଇଁ ଆଇନ ସମାନ ଏହା ପ୍ରମାଣିତ ହୋଇଥିଲା । କିନ୍ତୁ ସଲମାନଙ୍କ ଭଳି ଭାଗ୍ୟବାନ ହୁଏତ ଅନ୍ୟ କେହି ଅପରାଧୀ ହୋଇପାରିବେ ନାହିଁ । ସଲମାନଙ୍କ ଜାମିନ ଶୁଣାଣିରେ ଯେଉଁଭଳି ତତ୍ପରତା ଦେଖାଗଲା ତାହା ହୁଏତ ଅନ୍ୟ ଅପରାଧୀଙ୍କ ପାଇଁ ଅପହଞ୍ଚ ।

କଥାରେ ଅଛି ଆଇନର ଆଖିରେ ପଟି ବନ୍ଧା ଯାଇଛି । ତେଣୁ ନ୍ୟାୟ ଦେବା ବେଳେ ଧନୀ,ଗରିବ, ଉଚ୍ଚ କିମ୍ବା ନୀଚ କିଛି ଦେଖାଯାଇନି । ଆଇନ ସମସ୍ତଙ୍କ ପାଇଁ ସମାନ । କିନ୍ତୁ ସଲମାନଙ୍କ କ୍ଷେତ୍ରରେ ଶୁଣାଣି ଓ ଜାମିନ ପାଇଁ ଯେଉଁଭଳି ଭାବେ ତତ୍ପରତା ପ୍ରକାଶ ପାଇଲା ତାହା ଆମ ଆଇନ ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନର ପାହାଡ ଛିଡା କରିଛି । ଦବଙ୍ଗ ଖାନଙ୍କୁ କୋର୍ଟ ଦୋଷୀ କରିବା ପରେ ମାତ୍ର ଦୁଇଦିନ ମଧ୍ୟରେ ଜାମିନ ପାଇ ଘରକୁ ଫେରିଛନ୍ତି । ଏହାପୂର୍ବରୁ ୨୦୧୫ରେ ହିଟ୍ ଆଣ୍ଡ ରନ୍ କେସରେ ମଧ୍ୟ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ବେଲ ପାଇଥିଲେ ସଲମାନ । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା । କୋର୍ଟ ରୁମରୁ ବାହାରିବା ପୂର୍ବରୁ ହିଁ ତାଙ୍କୁ ଜାମିନ ମିଳିଥିଲା । ସେତେବେଳେ ଏହାକୁ ନେଇ ସଲମାନଙ୍କ ଫ୍ୟାନ ଖୁସି ମନାଉଥିଲେ ଏବଂ କିଛି ଲୋକ ଭାରତୀୟ ଆଇନ ଉପରେ ପ୍ରଶ୍ନ ଉଠାଇଥିଲେ । କେବଳ ସଲମାନ ଖାନ ବୋଲି ତାଙ୍କୁ ଏତେ ଶୀଘ୍ର ନ୍ୟାୟ ମିଳିଲା ବୋଲି ଅନେକ ଲୋକ କହିଥିଲେ । ଲୋକଙ୍କ ଏଭଳି କଥାରେ ମଧ୍ୟ କିଛି ମାତ୍ରାରେ ସତ୍ୟତା ରହିଛି । ସଲମାନ ଖାନ ଭଳି ଅନେକ କଏଦୀ ଏବେ ଜେଲର ଚାରି କାନ୍ଥ ମଧ୍ୟରେ ଜୀବନ କାଟୁଛନ୍ତି । କିନ୍ତୁ ସେମାନଙ୍କ କ୍ଷେତ୍ରରେ ସେଭଳି ତତ୍ପରତା ଦେଖାଯାଉନି କାହିିଁକି ବୋଲି ଏବେ ପ୍ରଶ୍ନ ଉଠିଛି ।

ଏକ ରିପୋର୍ଟ ଅନୁଯାୟୀ, ଏବେ ଭାରତୀୟ ଜେଲରେ ୪ ଲକ୍ଷ ୧୯ ହଜାର ୬୨୩ ଜଣ କଏଦୀ ରହିଛନ୍ତି । ଯେଉଁଥିରୁ ୧ ଲକ୍ଷ ୩୪ ହଜାର ୧୬୮ ଜଣ କଏଦୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ବାକି ୨ ଲକ୍ଷ ୮୨ ହଜାର ୦୭୬ ଜଣ ବିଚରାଧୀନ କଏଦୀ ଭାବେ ଜେଲରେ ସଜା କାଟୁଛନ୍ତି । ଦୋଷୀ ସାବ୍ୟସ୍ତ ହୋଇନଥିବା କଏଦୀ ମୋଟ କଏଦୀଙ୍କର ୬୭ ପ୍ରତିଶତ । ତେବେ ଏଭଳି କଏଦୀ ବର୍ଷ ବର୍ଷ ଧରି ଜାମିନ ନ ପାଇ ଜେଲରେ ସଜା କାଟୁଛନ୍ତି । ରିପୋର୍ଟ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ନ ହୋଇ ବିଚାରଧୀନ କଏଦୀ ଭାବେ ୩୫.୨ ପ୍ରତିଶତ ଲୋକ ୩ ମାସ ପର୍ଯ୍ୟନ୍ତ ସଜା କାଟିଥିବା ବେଳେ ୨୧.୯ ପ୍ରତିଶତ ଅଭିଯୁକ୍ତ ୩ରୁ୬ ମାସ ପର୍ଯ୍ୟନ୍ତ ସଜା କାଟିଛନ୍ତି ।ସେହିଭଳି ୧୭.୮% ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହୋଇ ୬ରୁ ୧୨ ମାସ ସଜା କାଟିଥିବା ବେଳେ ୧୩.୪% ଅଭିଯୁକ୍ତଙ୍କୁ ବିନା ଦୋଷରେ ବିଚାରଧୀନ କଏଦୀ ଭାବେ ୧ରୁ୨ ବର୍ଷ ପର୍ଯ୍ୟନ୍ତ ସଜା କାଟିଛନ୍ତି । ଏହାଛଡା ୬.୩% ଅଭିଯୁକ୍ତ ବିଚାରଧୀନ କଏଦୀ ଭାବେ ଦୋଷୀ ସାବସ୍ତ ନ ହୋଇ ମଧ୍ୟ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସଜା କାଟିଛନ୍ତି । ସେହିଭଳି ଦୋଷୀ ସାବ୍ୟସ୍ତ ନ ହୋଇ ମଧ୍ୟ ୪.୧% ଅଭିଯୁକ୍ତ ୩ରୁ ୫ ବର୍ଷ ଓ ୧.୩% ବିଚାରଧୀନ କଏଦୀ ୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସଜା କାଟିଛନ୍ତି । କିନ୍ତୁ ଏମାନଙ୍କ ଜାମିନ ପାଇବା କ୍ଷେତ୍ରରେ ସେତିକି ତତ୍ପରତା ଦେଖା ଯାଇନଥିଲା ଯେତିକି ସଲମାନ ଖାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଲା । ହୁଏତ ସେହି ବିଚାରଧୀନ କଏଦୀଙ୍କ କ୍ଷେତ୍ରରେ ମଧ୍ୟ ଯଦି ଏଭଳି ତତ୍ପରତା ଦେଖାଯାଇଥାନ୍ତା ତେବେ ବିନା ଦୋଷରେ ଏତେ ଦିନ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିନଥାନ୍ତା ।