ସନ୍ଧ୍ୟା ସୁଦ୍ଧା ୪ଟି ଜିଲ୍ଲାକୁ ସତର୍କ ଘଣ୍ଟି! କାଳବୈଶାଖୀ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

900

କନକ ବ୍ୟୁରୋ: ରାଜ୍ୟର ୪ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୪୫ ମିନିଟ୍ ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଏବଂ ଝାରସୁଗୁଡ଼ା ଭଳି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଅନ୍ୟପଟେ କେରଳ ଛୁଇଛି ମୌସୁମୀ ବୋଲି ଭାରତୀୟ ପାଣିପାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ମୌସୁମୀ ଛୁଇଁବା ପରେ କେରଳର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ସେହିପରି ୭ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଅନ୍ୟପଟେ ଆଜି ମଧ୍ୟ ରାଜ୍ୟ ବିଭିନ୍ନ ସ୍ଥାନରେ ଖରା ଏବଂ କୋହଲା ପାଗ ମଧ୍ୟରେ ଲୁଚକାଳି ଲାଗି ରହିଥିଲା । ସନ୍ଧ୍ୟା ସୁଦ୍ଧା ରାଜ୍ୟର ୪ଟି ଜିଲ୍ଲାରେ କାଳବୈଶାଖୀ ସହ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।