କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ଅସ୍ତରଙ୍ଗରେ ୭୦ କିଲୋମିଟର ବେଗରେ ପବନ । ପିପିଲିରେ ଘରେ ବି ପଶିଲା ପାଣି । କଟକରେ ବୁଡି ରହିଛି ବାଦାମବାଡି

52

କନକ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ ସେବା । ଟ୍ରେନ ଯାତ୍ରା ପ୍ରଭାବିତ ହୋଇଥିବାବେଳେ ହ୍ରଇରାଣ ହୋଇଛନ୍ତି ଯାତ୍ରୀ । ଲାଇନ ଉପରେ ଛିଡିପଡିଛି ବିଦ୍ୟୁତ ତାର । ଲିଙ୍ଗରାଜ ଷ୍ଟେସନ ପୂର୍ବ ସରସକଂଟରାରେ ବିଦ୍ୟୁତ ତାର ଛିଡିପଡିଥିଲା । ଏହି ତାର ଛିଡି ପୁରୀ-କଟକ ପାସେଞ୍ଜର ଟ୍ରେନ ଉପରେ ପଡିଥିଲା । ତେବେ ବିଦ୍ୟୁତ ନଥିବାକୁ ଅଳ୍ପକେ ବର୍ତିଯାଇଛନ୍ତି ଯାତ୍ରୀ । କାଳବୈଶାଖୀ ବର୍ଷା ଯୋଗୁଁ ରେଳବାଇ ସିଗନାଲ ସିଷ୍ଟମ ବି କାମ କରୁନାହିଁ । ଫଳରେ ଭଦ୍ରକ-ପୁରୀ ରୁଟରେ ଟ୍ରେନ ସେବା ପ୍ରଭାବିତ ହୋଇଛି । ବିଭିନ୍ନ ଷ୍ଟେସନରେ ଟ୍ରେନ ଅଟକିରହିଥିବାରୁ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି ।

ସେହିପରି ବର୍ଷା ଯୋଗୁଁ ଭୁବନେଶ୍ୱର ରେଳଷ୍ଟସନରେ ବି ଯାତ୍ରୀ ହଇରାଣ ହୋଇଛନ୍ତି । ଚାରିଆଡେ ପାଣି ଜମି ରହିଛି । ମୁଖ୍ୟ ପ୍ରବେଶ ଦ୍ୱାରରେ ପାଣି ଜମି ରହିଛି । ବର୍ଷା ଯୋଗୁଁ ଟ୍ରେନ ଯାତ୍ରା ପ୍ରଭାବିତ ହୋଇଛି । ସିଗନାଲ ସିଷ୍ଟମ ପ୍ରଭାବିତ ହେବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଛି ।

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ପ୍ରବଳ ଜୋରରେ ଘଡଘଡି ସହ ବର୍ଷା ହୋଇଛି । ଭୁବନେଶ୍ୱର , କଟକ, ପୁରୀ,ଜଗତସିଂହପୁର ଅସ୍ତରଙ୍ଗ, ସମେତ ଅଧିକାଂଶ ସ୍ଥାନ ବର୍ଷା ଯୋଗୁଁ ପାଣି ଜମି ରହିଛି । ଭୁବନେଶ୍ୱର ଶିଶୁ ଭବନ ଛକ ସମେତ ଆଚାର୍ଯ୍ୟବିହାର, ବମିଖାଲ, ଜୟଦେବବିହାରରେ ପାଣି ଜମି ରହିଛି । ଫଳରେ ଯାତାୟାତରେ ବାଧା ଉପୁଜିଛି । କଟକର ରାଣୀହାଟ, ପଟ୍ଟାପୋଲ, ସୂତାହାଟ,ପେଟିମ ସାହିରେ ପାଣି ଜମି ରହିଛି । ବାଦାମବାଡି ମୁଖ୍ୟ ରାସ୍ତାରେ ମଧ୍ୟ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲିଥିବାରୁ ଲୋକ ମାନେ ନାହିଁ ନଥିବା ଅସୁବିଧା ହୋଇଛନ୍ତି । ମହାନଗର ନିଗମ ପକ୍ଷରୁ ଜଳ ନିଷ୍କାସନର ବ୍ୟବସ୍ଥା ମଧ୍ୟ ଏଯାଏ ଆରମ୍ଭ ହୋଇନାହିଁ । ଅସ୍ତରଙ୍ଗରେ ବର୍ଷା ସହ ୭୦ କିଲୋମିଟର ବେଗରେ ପବନ ବହିଛି । ପିପିଲିରେ ମଧ୍ୟ କିଛି ସ୍ଥାନରେ ଘରେ ଭିତରେ ପାଣି ପଶିଯାଇଛି ।

ସେପଟେ, ବର୍ଷା ସହ ଘଡିଘଡି ଓ ବିଜୁଳି ମାରିବା ଫଳରେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି । ଏହି ପାଗ ଆହୁରି କିଛି ଘଂଟା ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କାଳବୈଶାଖୀ ପ୍ରଭାବରେ ଆଜି ସକାଳୁ ହିଁ ପାଗ କୋହଲା ରହିଥିଲା । ଆଉ ପରେ ଘଡଘଡି , ବିଜୁଳି ସହ ବର୍ଷା ଆରମ୍ଭ ହୋଇଥିଲା ।