ପ୍ରଧାନମନ୍ତ୍ରୀଙ୍କ ଉତ୍ତରପୂର୍ବ ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା ! ୨ହଜାର କୋଟି ଟଙ୍କାର ରିଲିଫ୍ ସହାୟତା ଘୋଷଣା

30

କନକ ବ୍ୟୁରୋ: ଉତ୍ତରପୂର୍ବ ରାଜ୍ୟମାନଙ୍କରେ ପ୍ରଳୟଙ୍କରୀ ବନ୍ୟାରେ ଘଟିଥିବା କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟିଠାରେ ସ୍ଥିତିର ସମୀକ୍ଷା କରିଥିଲେ । ଆସାମରେ ବନ୍ୟା ପରିସ୍ଥିତିର ସ୍ଥାୟୀ ସମାଧାନ ପାଇଁ ସେ ଶହେ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ।

ବ୍ରହ୍ମପୁତ୍ର ନଦୀରେ ବନ୍ୟା ପରିସ୍ଥିତି ଦ୍ୱାରା ଉପୁଜୁଥିବା ବନ୍ୟାର ମୁକାବିଲା ପାଇଁ ଏହାକୁ ସ୍ଥିତି ଅଧ୍ୟୟନ ଓ ଗବେଷଣା ମାଧ୍ୟମରେ ଖର୍ଚ୍ଚ ହେବ ବୋଲି କୁହାଯାଇଛି । ବନ୍ୟା ପ୍ରପୀଡ଼ିତ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର ଓ ମିଜୋରାମରେ ତତ୍କାଳ ସହାୟତା ପାଇଁ ଦୁଇହଜାର କୋଟି ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ବନ୍ୟା ଓ ଭୂସ୍ଫଳନ ଦ୍ୱାରା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ସ୍ଥିତିକୁ ପ୍ରଧାନମନ୍ତ୍ରୀ ଦିବସ ବ୍ୟାପୀ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ସୂଚନା ଦେଇ ଅତିରିକ୍ତ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ଅତିରିକ୍ତ ୨୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଥିଲେ । ଗତମାସରେ ତିନିଶହ କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସେ କହିଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କୁ ପରିଦର୍ଶନ କରିନଥିଲେ ।