ଲଘୁଚାପ ବର୍ଷାରେ ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି : ପରିସ୍ଥିତି ଉପରେ ନଜର ରଖିଛି ପ୍ରଶାସନ, ଲୋକମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର

28

କନକ ବ୍ୟୁରୋ : ପୁଣି ଥରେ ଓଡିଶାରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଲଘୁଚାପଜନିତ ପ୍ରବଳ ବର୍ଷାରେ ଉତ୍ତରଓଡିଶାରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ୍ ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ଆସିଛି। ଫଳରେ ବସ୍ତା ଓ ସଦର ବ୍ଲକ୍ ଅଧୀନ ୯ଟି ପଞ୍ଚାୟତ ପାଣି ଘେରରେ ଥିବା ବେଳେ ଏକର ଏକର ଚାଷଜମି ବନ୍ୟାପାଣିରେ ବୁଡ଼ି ରହିଛି। ଗତ ଦୁଇଦିନ ଧରି ଉପରମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା । ଯୋଗୁଁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ନଦୀର ବିପଦ ସଂକେତ ୫.୫ ମିଟର ଥିବା ବେଳେ ଗତକାଲି ସଂଧ୍ୟା ସୁଦ୍ଧା ଏହା ଅତିକ୍ରମ କରି ୫.୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବସ୍ତା ବ୍ଲକ୍ ଅଧୀନ ୮ଟି ଏବଂ ସଦର ବ୍ଲକ୍ ଅଧୀନ ଗୋଟିଏ ପଞ୍ଚାୟତରେ ବନ୍ୟ ପାଣି ପ୍ରବେଶ କରିଛି।

 

ବସ୍ତା ବ୍ଲକର ବାହାର୍ଦା, ମଥାନୀ, ସଦାନନ୍ଦପୁର, ମୁକୁଳିସି, ଦରଡ଼ା, ସାହାଡ଼ା, ରାଉତପଡ଼ା, ଗଡ଼ପଦା, କୁଡ଼ିଆ ଏବଂ ସଦର ବ୍ଲକର କସିପଦା ପଞ୍ଚାୟତ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଏହା ସହିତ ସଂପୃକ୍ତ ପଞ୍ଚାୟତଗୁଡ଼ିକର ଏକର ଏକର ଚାଷଜମି ମଧ୍ୟ ବନ୍ୟାପାଣିରେ ବୁଡ଼ିଯାଇଛି। ଏପରି ସମୟରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେବେ ଏନେଇ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ସମସ୍ତ ପଞ୍ଚାୟତରେ ରିଲିଫ୍ ମହଜୁଦ ଥିବାବେଳେ ଲୋକମାନଙ୍କୁ ସଜାଗ ରହିବାକୁ ସଚେତନ କରାଯାଉଥିବା ବିଡିଓ କୁମୁମିନା ଦାସ ସୂଚନା ଦେଇଛନ୍ତି। ଏହାସହ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏପଟେ ରାଜ୍ୟରେ ଦେଖାଦେଇଥିବା ବନ୍ୟାସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।