ଉତ୍ତର ଓଡିଶାରେ ଲଗାଣ ବର୍ଷା ! ଫୁଲୁଛି ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା

31

କନକ ବ୍ୟୁରୋ : ଚିନ୍ତା ବଢାଇଲା ଲଗାଣ ବର୍ଷା । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ନଦୀର ବିପଦ ସଂକେତ ୩୭ ଦଶମିକ ୪୫ ଥିବା ବେଳେ ବର୍ତ୍ତମାନ ନଦୀର ଜଳସ୍ତର ୩୭ ଦଶମିକ ୩୭ ଦଶମିକ ୪୭ ରହିଛି । ତେବେ କ୍ରମାଗତ ଭାବେ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ନଦୀକୂଳିଆ ଅଂଚଳରେ ଆତଙ୍କ ଦେଖାଦେଇଛି ।

ଫୁଲୁଛି ଉତ୍ତର ଓଡିଶାର ପ୍ରମୁଖ ନଦୀ । ବିପଦ ସଙ୍କେତ ଉପରେ ବୋହୁଛି ଜଳକା । ଲଗାଣ ବର୍ଷା ଯୋଗୁଁ ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିପଦ ସଙ୍କେତ ଉପରେ ବୋହୁଛି ଜଳକା । ନଦୀରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଯଦି ବନ୍ୟା ଆସେ ତାହାହେଲେ ଜିଲ୍ଲାର ବସ୍ତା ଓ ବାଲିଆପାଳ ବ୍ଲକର ପାଖାପାଖି ୪୦ଟି ଗାଁ ପ୍ରଭାବିତ ହେବ ।

ଖାଲି ଜଳକା ନୁହେଁ ଉତ୍ତର ଓଡିଶାର ଅଧିକାଂଶ ନଦୀରେ ଏବେ ପ୍ରୋଖର ସ୍ରୋତ । ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି ବିଭିନ୍ନ ନଦୀର ଜଳ ସ୍ତର । ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଉଛି । ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବନ୍ୟାଜଳ ବିପଦ ସଙ୍କେତ ଛୁଇଁବାକୁ ବସିଥିବା ବେଳେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଉତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖ ଯାଏଁ ପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ପାଣିପାଗ କେନ୍ଦ୍ରର ଏଭଳି ଆକଳନ ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି ।

ସେପଟେ ହୀରାକୁଦରେ ୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହୋଇଛି । ଗତକାଲି ଦିନରେ ୩ଟା ଗେଟ ଖୋଲା ହୋଇଥିଲା । ବିଳମ୍ବିତ ରାତିରେ ଆଉ ୩ଟି ଗେଟ ଖୋଲାଯାଇଛି । ଏପଟେ ବିଭିନ୍ନ ନଦୀରେ ଜଳସ୍ତର ବଢୁଥିବାରୁ ତଳିଆ ଅଂଚଳରେ ସତର୍କ ସୂଚନା ଜାରି କରାଯାଇଛି । ଆଜି ଆହୁରି ଗେଟ ଖୋଲିବା ନେଇ ସୂଚନା ରହିଛି ।

ସମ୍ଭାବ୍ୟ ବନ୍ୟା ନେଇ ୬ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କଲେ ଡେପୁଟି ରିଲିଫ କମିସନର । କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ୱର,ସୁନ୍ଦରଗଡ,ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ବୈତରଣୀ, ବୁଢାବଳଙ୍ଗ, ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖାରେ ବନ୍ୟାଜଳ ଆସିପାରେ । ତେଣୁ ଏହି ସବୁ ନଦୀ ପ୍ରବାହିତ ହେଉଥିବା ଜିଲ୍ଲାରେ ପ୍ରଶାସନକୁ ସତର୍କ ଦୃଷ୍ଟି ରଖିବାକୁ କୁହଯାଇଛି ।

ଆସନ୍ତା ୪୮ ଘଂଟା ମଧ୍ୟରେ ଉତ୍ତର ଓଡିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ସେପଟେ ଦେବଗଡ, ସୁନ୍ଦରଗଡ , ଅନୁଗୁଳ, ସମ୍ବଲପୁର, ବରଗଡ, ଯାଜପୁର,ଢେଙ୍କାନାଳ ଓ ସୋନପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ବିଭିନ୍ନ ସ୍ଥାନରେ ପାଣି ଜମି ରହିପାରେ । ଏଣୁ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ ସତର୍କ କରାଯାଇଛି ।