ଭୋଟରଙ୍କ ମୁଡ୍ ପରଖିଲା ସମ୍ବାଦ-କନକ ନ୍ୟୁଜ! ଆସିଲା ଏକଜିଟ୍ ପୋଲ୍, ବଢ଼ିଲା ସସପେନ୍ସ, ଉତ୍ତର ଓଡ଼ିଶାକୁ କବଜା କରିପାରେ ବିଜେପି ?

630

କନକ ବ୍ୟୁରୋ: ୨୩ ପରୀକ୍ଷା ଫଳ ପୂର୍ବରୁ ଆସିଲା ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ । ଅଶ୍ଚର୍ଯ୍ୟ କରିଦେଲା ଉତ୍ତର ଓଡ଼ିଶାର ଏକଜିଟ୍ ପୋଲ୍ ଫଳାଫଳ । ବିଧିବଦ୍ଧ ଭାବେ ୧୯ ଯୁଦ୍ଧର ଫଳାଫଳ ଘୋଷଣା ପୂର୍ବରୁ ରାଜ୍ୟସ୍ତରୀୟ ଏହି ଏକଜିଟ୍ ପୋଲରୁ ଉତ୍ତର ଓଡ଼ିଶା ପାଇଁ ଏମିତି ଫଳାଫଳ ସାମ୍ନାକୁ ଅସିଛି ଯାହା ଗେରୁଆ କ୍ୟାମ୍ପରେ ଖୁସିର ଲହରି ଖେଳାଇଦେଇଥିବ ନିଶ୍ଚିତ ।

କାରଣ ଉତ୍ତର ଓଡ଼ିଶାର ୫ ଲୋକସଭା ମଧ୍ୟରୁ ବିଜେପି ୩ଟିରେ ବାଜିମାତ୍ କରିପାରେ ବୋଲି ପୂର୍ବାନୁମାନ କରାଯାଉଛି । ସେପଟେ ବିଜେଡି ଖାତାକୁ ଉତ୍ତର ଓଡ଼ିଶାରୁ ମାତ୍ର ଗୋଟିଏ ଆସନ ଆସିପାରେ ଏବଂ କଂଗ୍ରେସ ଖାତା ଖୋଲିପାରିବନି ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । ସେହିଭଳି ଗୋଟିଏ ଲୋକସଭା ଆସନର ଫଳାଫଳ ତିନି ଦଳ ପାଇଁ ଚିନ୍ତାର କାରଣ ପାଲଟିପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ସେପଟେ ୫ଟି ଲୋକସଭା ବିଶିଷ୍ଟ ଏହି ଉତ୍ତର ଓଡ଼ିଶାରେ ମୋଟ୍ ୩୫ଟି ବିଧାନସଭା କ୍ଷେତ୍ର ରହିଛି । ଆଉ ଏହି ୩୫ଟି ବିଧାନସଭା କ୍ଷେତ୍ରରେ କିନ୍ତୁ ବିଜେଡି ବିରୋଧୀଙ୍କ ଠାରୁ ଢ଼େର ଆଗେରେ ରହିଛି । ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ ମୁତାବକ, ୩୫ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୨୨ଟି , ବିଜେପି-୬ଟି ଏବଂ କଂଗ୍ରେସକୁ ମାତ୍ର ୪ଟି ଆସନ ମିଳିପାରେ ବୋଲି ପୂର୍ବାନୁମାନ କରିଛି । ତେବେ ୨୩ ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଥିବା ରାଜ୍ୟସ୍ତରୀୟ ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ ରିପୋର୍ଟ ଆଶ୍ଚର୍ଯ୍ୟ କରିଦେଇଛି । ଏହା କୌଣସି ପ୍ରକାର ବିଧିବଦ୍ଧ ଫଳାଫଳ ନହୋଇଥିଲେ ମଧ୍ୟ ଏଭଳି ଫଳାଫଳକୁ ନେଇ ଅନେକ ଦଳୀୟ ଶିବିରରେ ହଟଚମଟ ସୃଷ୍ଟି ହୋଇଛି ।