ପରମାଣୁଠାରୁ ବି ଶକ୍ତିଶାଳୀ ହାଇଡ୍ରୋଜେନ୍ ବୋମା ପରୀକ୍ଷା କଲା ଉତ୍ତରକୋରିଆ ! ଦୋହଲିଗଲା ସାରା ବିଶ୍ୱ

49

କନକ ବ୍ୟୁରୋ : ଅନ୍ତର୍ଜାତୀୟ ସମୁଦାୟକୁ ବେଖାତିର କରି ସବୁଠୁ ଶକ୍ତିଶାଳୀ ହାଇଡ୍ରୋଜେନ ବମ୍ ପରୀକ୍ଷା କରିଛି ଉତ୍ତର କୋରିଆ । ପରୀକ୍ଷା ସଂପୂର୍ଣ୍ଣ ହୋଇଥିବା ନେଇ ଦେଶବାସୀଙ୍କୁ ନିଜେ ଜଣାଇଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ । ହାଇଡ୍ରୋଜେନ୍ ବୋମା ସହ ଜଙ୍ଗ ଉନଙ୍କ ଏକ ଫଟୋ ମଧ୍ୟ ନର୍ଥ କୋରିଆର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି । ସେପଟେ ଏହି ପରୀକ୍ଷଣ ନେଇ ବିଶେଷ କିଛି ପ୍ରମାଣ ପାଇନାହିଁ । ତେବେ ପରୀକ୍ଷଣ ଯୋଗୁଁ ଭୂମିକମ୍ପ ହୋଇଥିବା ରେକର୍ଡ କରିଛି ବିଭିନ୍ନ ଦେଶର ଭୂତତ୍ୱ ବିଭାଗ ।

କମ୍ପି ଉଠିଥିଲା ଜାପାନ, କୋରିଆ ଓ ଚୀନର ସଂଲଗ୍ନ ଉପକୂଳ । ଏହା ଏତେ ବିଧ୍ୱଂସୀ ଥିଲା ଯେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଏହି ଅଂଚଳରେ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ଥିବା ମାପିଛି ଆମେରିକାର ଭୂତତ୍ୱ ବିଭାଗ । ଲାଗ ଲାଗ ଦୁଇଟି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ଭୂକମ୍ପ ୧୦ ସେକେଣ୍ଡ ପାଇଁ ରହିଥିବା ବେଳେ ୪.୯ ଥିଲା ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ।

ନର୍ଥ କୋରିଆର ଏପରି କାରନାମା ସାରା ବିଶ୍ୱକୁ ଚମକାଇ ଦେଇଛି । କୁହାଯାଉଛି ପୂର୍ବରୁ ଏହି ଦେଶ କରିଥିବା ନ୍ୟୁକ୍ଲିୟର ଟେଷ୍ଟଠାରୁ ଏହା ଥିଲା ୧୦ ଗୁଣ ଅଧିକ । ଏପରିକି ଏହାର ବିଧ୍ୱଂସୀ ଶକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନରେ ପଡିଥିବା ବୋମାଠାରୁ ୭ଗୁଣ ଅଧିକ ବିଧ୍ୱଂସକାରୀ । ଜୁଲାଇରେ ଦୁଇଟି ଦୂରଗାମୀ ଇଂଟର-କଂଟିନେଂଟାଲ ବାଲାଷ୍ଟିକ୍ ମିସାଇଲ ପରୀକ୍ଷା କରିଛି ନର୍ଥ କୋରିଆ । ଯାହା ୧୦ ହଜାର କିଲୋମିଟରକୁ ଟାର୍ଗେଟ କରିପାରିବ । ଯାହା ଆମେରିକାର ଯେକୌଣସି ସହରକୁ ଲକ୍ଷଭେଦ କରିପାରିବ । ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ କହିଛନ୍ତି ଏହି ହାଇଡ୍ରୋଜେନ ବୋମାକୁ ବାଲାଷ୍ଟକ୍ ମିସାଇଲରେ ଖଂଜି ପ୍ରକ୍ଷେପଣ କରିହେବ ।

ଏହି ପରୀକ୍ଷଣ ନେଇ ନର୍ଥକୋରିଆ ପ୍ରକାଶ କରିବା ପରେ କେବଳ ଆମେରିକା ନୁହେଁ ପୂରା ବିଶ୍ୱ ସମୁଦାୟ ତଟସ୍ଥ ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ଜାପାନର ରାଷ୍ଟ୍ରପତି ସିଂଜୋ ଆବେ । ତୁରନ୍ତ ଜାତିସଂଘର ସୁରକ୍ଷା ପରିଷଦ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି ଜାପାନ ରାଷ୍ଟ୍ରପତି । ସେପଟେ ପ୍ରଥମ ଥର ପାଇଁ ନର୍ଥକୋରିଆର ଏହି ପରୀକ୍ଷଣ ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ । ଏହାକୁ ନିନ୍ଦା କରିଛନ୍ତି ଚୀନ ରାଷ୍ଟ୍ରପତି ଜି. ପିଙ୍ଗ୍ । ବିକ୍ସ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ନର୍ଥକୋରିଆର ଏପରି କାର୍ଯ୍ୟ ଅଡୁଆରେ ପକାଇଦେଇଛି ଚୀନକୁ । କାରଣ ବିଶ୍ୱର ଅଧିକାଂଶ ଦେଶ ବାଣିଜ୍ୟିକ କାରବାର ବନ୍ଦ କରିଦେଇଥିବା ବେଳେ ଉତରକୋରିଆକୁ ୯୦ ପ୍ରତିଶତ ସାମଗ୍ରୀ ରପ୍ତାନୀ କରୁଛି ଚୀନ ।

ସେପଟେ ଋଷିଆ ମଧ୍ୟ କଡ଼ା ଚେତାବନୀ ଦେଇଛି ଉତରକୋରିଆକୁ । ତେବେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ନର୍ଥ କୋରିଆର ଗୋଟିଏ ପରେ ଗୋଟିଏ ବିଧ୍ୱଂସୀକାରୀ ଅସ୍ତ୍ର ପରୀକ୍ଷଣ କରୁଛି । ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟର ଜବାବ ଦେଇ ଆମେରିକାର ଗୁଆମ ଦୀପକୁ ଉଡାଇଦେବାକୁ ଧମକ ଦେଇଥିଲେ ଜଙ୍ଗ୍ ଉନ୍ । ଏପରିକି ଗତ ସପ୍ତାହରେ ଜାପାନ ଉପରେ ଦେଇ ଏକ ମିସାଇଲ ପରୀକ୍ଷା କରିଥିଲା ନର୍ଥକୋରିଆ । ଏବେ ହାଇଡ୍ରୋଜେନ୍ ବୋମା ଫୁଟାଇ ସାରା ବିଶ୍ୱକୁ ଚ୍ୟାଲେଂଜ ଦେଇଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ।