ରକେଟ୍ ମ୍ୟାନ କିମ୍ ଜଙ୍ଗ୍ ଉନଙ୍କ ବଡ ଘୋଷଣା ! ଆଉ ଆଣବିକ ପରୀକ୍ଷା କରିବ ନାହିଁ ଉତ୍ତର କୋରିଆ

25

କନକ ବ୍ୟୁରୋ : ଆଉ ଆଣବିକ ପରୀକ୍ଷା କରିବେ ନାହିଁ ଉତ୍ତର କୋରିଆର ରକେଟ ମ୍ୟାନ କିମ ଜଙ୍ଗ ଉନ୍ । ଆଣବିକ ପରୀକ୍ଷା ସ୍ଥଗିତ ରଖିବାକୁ ସେ ଘୋଷଣା କରିଛନ୍ତି । ଏଥିସହ ସମସ୍ତ ଆଣବିକ ପରୀକ୍ଷଣସ୍ଥଳୀ ବନ୍ଦ କରିବାକୁ ଯୋଜନା କରୁଥିବା ପୋଙ୍ଗୟାଙ୍ଗ କହିଛି । ଉତ୍ତର କୋରିଆ, ଦକ୍ଷିଣ କୋରିଆ ଓ ଆମେରିକା ମଧ୍ୟରେ ଆଣବିକ ବୁଝାମଣାର ନୂତନ ପର୍ଯ୍ୟାୟ ସ୍ୱାକ୍ଷର ହେବାକୁ ଥିବା ବେଳେ ଏହି ଘୋଷଣା ହୋଇଛି । ବାଣିଜ୍ୟ ଓ ଅର୍ଥନୀତିର ଉନ୍ନତି ପାଇଁ ଦେଶ ଏଭଳି ନିଷ୍ପତ୍ତି କରିଥିବା ଉତ୍ତର କୋରିଆ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେବେ ଉତ୍ତର କୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ବନ୍ଦ କରିବ କି ନାହିଁ ତାହା ସ୍ପଷ୍ଟ କରିନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ ଜଙ୍ଗଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି । ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ଯେ, ଏହା ଉତ୍ତର କୋରିଆ ଏବଂ ବିଶ୍ୱ ପାଇଁ ଭଲ ଖବର । କିମ୍ ଜଙ୍ଗଙ୍କ ସହ ବୈଠକକୁ ସେ ଚାହିଁ ବସିଥିବା କହିଛନ୍ତି ଟ୍ରମ୍ପ । ଜାତିସଂଘର ଓ ଆମେରିକାର କଟକଣା ପରେ ଉତ୍ତର କୋରିଆର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଛି । କେବଳ ସହଯୋଗୀ ରାଷ୍ଟ୍ର ଚୀନ ଉପରେ ଭରସା କରି ନିଜ ଅର୍ଥନୀତିକୁ ସମ୍ଭାଳିବାକୁ ଚେଷ୍ଟା କରୁଛି ପୋଙ୍ଗୟାଙ୍ଗ । ତେଣୁ ଏହି ଆଣବିକ ଅସ୍ତ୍ର ପରୀକ୍ଷଣ ବନ୍ଦ କରିବା ବାହାନାରେ କଟକଣା ହଟାଇବାକୁ ଉତ୍ତର କୋରିଆ ପ୍ରୟାସ କରୁଥିବା ଅନୁମାନ କରାଯାଉଛି ।