ଉତ୍ତର କୋରିଆ-ଆମେରିକା ଉତ୍ତେଜନା ଜାରି : ଟାର୍ଗେଟରେ ଗୁଆମ୍‌ ଦ୍ୱୀପ

48

କନକ ବ୍ୟୁରୋ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଥିବାରୁ ଯେ କୌଣସି ମୁହୂର୍ତ୍ତରେ ପରମାଣୁ ଯୁଦ୍ଧ ସମ୍ଭାବନା ଦେଖାଦେଇଛି । ଆମେରିକାର ଗୁଆମ୍ ଦ୍ୱୀପକୁ ଉଡ଼ାଇ ଦେବାକୁ ଉତ୍ତର କୋରିଆ ପରମାଣୁ କ୍ଷେପଣାସ୍ତ୍ର ତୟାର ରଖିଛି । ଏଭଳି ସ୍ଥିତିତେର ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଚୀନ୍ ରାଷ୍ଟ୍ରପତି ଜି ଜିନ୍ ପିଙ୍ଗ୍ ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା କରିଥିଲେ । ଉଭୟ ପକ୍ଷ ସଂଜମ ରକ୍ଷା କରି ଯୁଦ୍ଧ ନିଷ୍ପତ୍ତିରୁ ଓହରିବାକୁ ଜିନ୍ ପିଙ୍ଗ୍ ଗୁରୁତ୍ୱାରୋପ କରିଛନ୍ତି ।

ତେବେ ଆମେରିକା ଉପରେ ପରମାଣୁ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଉତ୍ତର କୋରିଆ ପ୍ରସ୍ତୁତ ଥିବାରୁ ଏହାର ମୁକାବିଲା ପାଇଁ ଆମେରିକା ଯଥୋଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ଗତକାଲି ମଧ୍ୟ ଚେତାଇ ଦେଇଛି । ଜିନ ପିଙ୍ଗ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନଙ୍କ ସହିତ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି । ତେବେ ଏ ସଂପର୍କରେ କୌଣସି ବିବରଣୀ ଗଣମାଧ୍ୟମକୁ ପ୍ରଦାନ କରାଯାଇନାହିଁ । ଗତକାଲି ସକାଳେ ଟ୍ରମ୍ପଙ୍କ ସହ ଜିନ୍ ପିଙ୍ଗ୍ ଟେଲିଫୋନରେ କଥା ହୋଇଥିଲେ ଏବଂ ଉତ୍ତର କୋରିଆର ପରମାଣୁ ଧମକ ମାମଲାର ଶାନ୍ତିପୁର୍ଣ୍ଣ ସମାଧାନ ଲୋଡ଼ା ବୋଲି ଗୁରୁତ୍ୱାରୋପ କରିଥିଲେ । ଟ୍ରମ୍ପ୍ ମଧ୍ୟ ଉତ୍ତର କୋରିଆକୁ ଧମକଚମକ ଦେବାଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ବୋଲି ଜିନପିଙ୍ଗ କହିଥିଲେ ।

ଉତ୍ତର କୋରିଆ ଆମେରିକାର ଗୁଆମ ଦ୍ୱୀପ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବାରୁ ଏହାକୁ ନେଇ ଆମେରିକା ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛି। ଗୁଆମ ଦ୍ୱୀପ ଉପରେ ପରମାଣୁ ଆକ୍ରମଣ ହେଲେ ଜନସାଧାରଣ କିଭଳି ସତର୍କତା ପଦକ୍ଷେପ ଗ୍ରହଣ କରିବେ ସେଥିପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଗୁଆମ୍ ଗଭର୍ଣ୍ଣରଙ୍କ ସହିତ ଗତକାଲି ଟ୍ରମ୍ପ୍ ଆଲୋଚନା କରିଥିଲେ ଏବଂ ଯେ କୌଣସି ମୂଲ୍ୟ ଦେଇ ଗୁଆମକୁ ରକ୍ଷା କରାଯିବ ବୋଲି କହିଥିଲେ । ଉତ୍ତର କୋରିଆ ଚଳିତ ମାସରେ ଗୁଆମ ଦ୍ୱୀପକୁ ୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବ ବୋଲି ଧମକ ଦେଇଛି ।

ଉତ୍ତର କୋରିଆର ଏଭଳି ଆଭିମୁଖ୍ୟର ଜବାବ ଦେଇ ଟ୍ରମ୍ପ୍ ବିଶ୍ୱ ମାନଚିତ୍ରରୁ ଉତ୍ତର କୋରିଆକୁ ଲୋପ କରିଦେବା ପାଇଁ ଧମକ ଦେଇଛନ୍ତି । ଉତ୍ତର କୋରିଆ ସେନା ଏହାର କ୍ଷେପଣାସ୍ତ୍ରରେ ପରମାଣୁ ଯୁଦ୍ଧାସ୍ତ୍ର ସଂଲଗ୍ନ କରୁଥିବାନେଇ ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେବାପରେ ଆମେରିକା ତା’ର ବୋମାବର୍ଷୀ ବିମାନ ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସର୍ବଧିକ ସତର୍କ ସ୍ଥିତିରେ ରଖିଛି । ଉତ୍ତର କୋରିଆ ଅସ୍ତ୍ରର ଧ୍ୱଂସକାରୀ ସାମର୍ଥ୍ୟ ପ୍ରମାଣିତ ହେବ ବୋଲି ରାଷ୍ଟ୍ରାୟତ୍ତ ଗଣମାଧ୍ୟମ କେସିଏନଏ ପ୍ରକାଶ କରିଛି ।

ଆମେରିକାର ପୂର୍ବ ଆକଳନ ଅପେକ୍ଷା ଉତ୍ତର କୋରିଆ ଏହାର ପରମାଣୁ ଅସ୍ତ୍ରରେ ଯଥେଷ୍ଟ ଉନ୍ନତି ଆଣିଥିବାରୁ ଏବେ ଆମେରିକା ପ୍ରତିରକ୍ଷା ବିଭାଗ ମଧ୍ୟ ତା’ର ରଣନୀତି ବଦଳାଇ ଦେଇଛି । ଜାପାନ ସରକାର ମଧ୍ୟ ଗୁଆମ ଦ୍ୱୀପ ଉପରେ ଆକମଣ ଆଶଙ୍କା ସ୍ଥିତିରେ ନିଜ ସୁରକ୍ଷା ବଢ଼ାଇ ଦେଇଛନ୍ତି । ଜାପାନ ଆଜି ଏହାର ଶକ୍ତିଶାଳୀ ପିଏସି-୩ ପାଟ୍ରିଅଟ୍ କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଛି ।

ଗୁଆମ ଦ୍ୱୀପ: କିଛି ତଥ୍ୟ

• ୫୪୪ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଗୁଆମ ଦ୍ୱୀପ ଉତ୍ତରପଶ୍ଚିମ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ । ଆମେରିକା (ମେନଲ୍ୟାଣ୍ଡ୍) ଠାରୁ ଏହା ୯,୭୦୦ କିମି ଦୂରରେ ଏବଂ ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗ୍ ଠାରୁ ୩,୪୦୦ କିମି ଦୂରରେ ଅବସ୍ଥିତ । ଏବେ ଏହି ଦ୍ୱୀପରେ ସମୁଦାୟ ଲୋକସଂଖ୍ୟା ହେଉଛି ୧ଲକ୍ଷ ୬୦ ହଜାର ।

• ମାର୍ଚ୍ଚ ୬, ୧୫୨୧ରେ ଦ୍ୱୀପକୁ ପ୍ରଥମେ ଭ୍ରମଣରେ ଯାଇଥିଲେ ପର୍ତ୍ତୁଗିଜ୍ ଆବିସ୍କାରକ ଫର୍ଡିନାଣ୍ଡ ମାଗେଲାନ୍ ଯେଉଁ ସମୟରେ ସେ ସ୍ପେନର ରାଜାଙ୍କ ପାଇଁ ନୌଚାଳନ କରୁଥିଲେ ।

• ପର୍ଯ୍ୟଟନ ଏବଂ ଆମେରିକା ସେନାବାହିନୀ ଦ୍ୱାରା ଗୁଆମର ଅର୍ଥନୀତି ସମୃଦ୍ଧ ହୋଇଛି । ଗୁଆମକୁ ‘ଆଇଲାଣ୍ଡ୍ ଅଫ ଓ୍ଵାରିୟର୍ସ’ କୁହାଯାଏ । ଗୁଆମର ପ୍ରକୃତ ବାସିନ୍ଦା ଅଷ୍ଟ୍ରୋନେସିୟମାନଙ୍କ ବଂଶୋଦ୍ଭବ ବୋଲି ବିଶ୍ୱାସ କରାଯାଏ ।

• ଏବେ ଗୁଆମ ଦ୍ୱୀପ ଆମେରିକାର ମିଲିଟାରି ହବ୍ ଭାବେ ପରିଚିତ । ପ୍ରାୟ ୫୦ ବର୍ଷ ହେଲା ଗୁଆମ୍ ଦ୍ୱୀପ ଏକ ମୁଖ୍ୟ ସାମରିକ ଘାଟିରେ ପରିଣତ ହୋଇଛି ।

• ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦ୍ୱୀପଟି ଜାପାନ ଅକ୍ତିଆରରେ ଥିଲା । ଆମେରିକା ଏହାକୁ ନିଜ ନିୟନ୍ତ୍ରଣକୁ ନେବାପରେ ଏହାର ରୂପରେଖ ବଦଳି ଯାଇଥିଲା । ଗୁଆମ ଅର୍ଥନୀତିର ୬୦ ପ୍ରତିଶତ ଆସିଥାଏ ପର୍ଯ୍ୟଟନରୁ ଏବଂ ୩୦ ପ୍ରତିଶତ ଆମେରିକା ସେନାବାହିନୀରୁ ଆସିଥାଏ ।

• ଏଠାରେ ପାଖାପାଖି ୩,୮୩୧ ସେନା ସଦସ୍ୟ ଏବଂ ସେମାନଙ୍କ ପରିବାର ଅଛନ୍ତି । ଦ୍ୱୀପର ଏକ ତୃତୀୟାଂଶ ସ୍ଥାନ ନୌସେନା ଏବଂ ବାୟୁ ସେନା ଦଖଲରେ ରହିଛି । କେବଳ ଜାପାନ ଏବଂ ଦକ୍ଷିଣ କୋରିଆରୁ ୧.୪ ନିୟୁତ ପର୍ଯ୍ୟଟକ ଗୁଆମ୍ ଭ୍ରମଣରେ ଯାଇଥାନ୍ତି । ଗୁଆମରେ ଥିବା ସବୁଠାରୁ ପ୍ରସିଦ୍ଧ ବେଳାଭୂମିର ନାମ ‘ଦି ଗନ୍ ବିଚ୍’ ।