ଆତଙ୍କର ଝଡତୋଫାନ : ଦିଲ୍ଲୀ, ହରିୟାଣା ସହ ୟୁପି ଓ ରାଜସ୍ଥାନରେ ଧୂଳିଝଡ ସହ ବର୍ଷା । ବିଜୁଳି ଠପ୍, ଆଜି ଝଡବର୍ଷା ସହ କୁଆପଥର ମାଡ ଆଶଙ୍କା

61

କନକ ବ୍ୟୁରୋ : ଉତ୍ତର ଭାରତରେ ତାଣ୍ଡବ ମଚାଇବା ପରେ ପୁଣି ଫେରିଛି ଝଡ ତୋଫାନ । ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ପୁଣି ହୋଇଛି ଭୟଙ୍କର ଝଡତୋଫାନ । ଦିଲ୍ଲୀ ଏନସିଆର, ନୋଏଡା, ଗାଜିଆବାଦ ସମେତ ଅନେକ ଅଂଚଳରେ ପ୍ରବଳ ଧୂଳିଝଡ ହୋଇଛି । ହରିୟାଣା ପଟୁ ଆସିଥିବା ଏହି ଝଡତୋଫାନର ବେଗ ଘଂଟା ପ୍ରତି ପ୍ରାୟ ୭୦ କିଲୋମିଟର ରହିଥିଲା । ଦିଲ୍ଲୀରେ ଝଡ ତୋଫାନ ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୯ଟି ବିମାନ ପ୍ରାୟ ୨୨ ମିନିଟ ବିଳମ୍ବରେ ଉଡାଣ ଭରିଥିବା ସୂଚନା ମିଳିଛି ।

ଗୁରୁଗ୍ରାମରେ ପ୍ରବଳ ବେଗରେ ଝଡ ତୋଫାନ ଫଳରେ ବଡ ବଡ ଗଛ ଉପୁଡି ପଡିବା ଯୋଗୁ ବିଦ୍ୟୁତ ସରବରାହ ଠପ ହୋଇପଡିଛି । ଗ୍ରେଟର ନୋଏଡା, ଦାଦ୍ରି ଅଂଚଳରେ ପ୍ରବଳ ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ମାରିଛି । ଗାଜିଆବାଦ ଓ ନୋଏଡାରେ ସବୁ ସ୍କୁଲ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଝଡତୋଫାନର ପ୍ରଭାବ ଦେଖିବାକୁ ମିଳିଛି । ମେରଠରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି ।

ସେପଟେ ରାଜସ୍ଥାନର ବିଭିନ୍ନ ଅଂଚଳରେ ମଧ୍ୟ ପ୍ରବଳ ଧୂଳିଝଡ ହୋଇଛି । ସିକର, ଝୁନଝୁନୁ ଓ ବିକାନେର ଅଂଚଳରେ ପ୍ରବଳ ବେଗରେ ଧୂଳି ଝଡ ସହ ବର୍ଷା ହୋଇଛି । ପାକିସ୍ତାନ ପଟୁ ଧୂଳିଝଡ ରାଜସ୍ଥାନର ବିକାନେର ସୀମାକୁ ପ୍ରବେଶ କରିବା ପରେ ଚାରିଆଡେ ଅନ୍ଧାର ଦେଖା ଯାଇଥିଲା । ବାରମେର, ଯୋଧପୁର, ଜୈସଲମେର, ନାଗୋର ଏବଂ ଧୋଲପୁରରେ ଝଡର ପ୍ରଭାବ ଦେଖିବାକୁ ମିଳିଛି । ରାଜସ୍ଥାନର ହନୁମାନଗଡ ଓ ଚୁରୁ ଅଂଚଳରେ ଝଡତୋଫାନ ନେଇ ସତର୍କ ସୂଚନା ଜାରି କରା ଯାଇଛି । ପୂରା ରାଜ୍ୟରେ ୪୮ ଘଂଟିଆ ଆଲର୍ଟ ଜାରି ହୋଇଛି ।

ଆଜି ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଦିଲ୍ଲୀରେ ୫୦ କିଲୋମିଟର ବେଗରେ ପବନ ବହିବା ସହ ଧୂଳିଝଡ ହେବ । ସାଢେ ୫ଟା ସୁଦ୍ଧା ଝଡର ବେଗ ଅତିପ୍ରବଳ ରହିପାରେ ବୋଲି ବୋଲି ପାଣିପାଗ ବିଭାଗ କହିଛି । ଝଡ ତୋଫାନ ନେଇ ଦିଲ୍ଲୀ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଜରୁରୀକାଳୀନ ସହାୟତା ପାଇଁ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସେହିପରି ହରିୟାଣାରେ ମଧ୍ୟ ଝଡ ତୋଫାନ ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରୀୟ ପାଣିପାଗ କାର୍ଯ୍ୟାଳୟର ସତର୍କ ସୂଚନା ଅନୁଯାୟୀ ୧୩ଟି ରାଜ୍ୟରେ ହେବ ଘଡଘଡି ସହ ବର୍ଷା । ଝଡବର୍ଷା ସହ କୁଆପଥର ମାଡର ଯଥେଷ୍ଟ ସମ୍ଭାବନା ରହିଛି । ଓଡିଶା, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କର୍ଣ୍ଣାଟକ ଓ କେରଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।