କାଶ୍ମୀରର ସ୍ଥିତିରେ ସୁଧାର : ୪ମାସର ଅସ୍ଥିରତା ପରେ ଜୀବନଯାତ୍ରା ହେଉଛି ସ୍ୱାଭାବିକ

42

କନକ ବ୍ୟୁରୋ : ସ୍ୱାଭାବିକ ହେଉଛି କାଶ୍ମୀର । ଦୀର୍ଘ ୪ମାସର ଅସ୍ଥିରତା ପରେ ଏବେ ଜମ୍ମୁ ଓ କାଶ୍ମୀରରେ ଜୀବନଯାତ୍ରା ସ୍ୱାଭାବିକ ହୋଇଛି । ସମସ୍ତ ଅଂଚଳରୁ କର୍ଫ୍ୟୁ ହଟିବା ସହ ମୋବାଇଲ ଓ ଇଂଟରନେଟ ସେବା ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଏହାସହ ଦୀର୍ଘ ୪ମାସ ଧରି ବନ୍ଦ ଥିବା ରେଳ ଚଳାଚଳ ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି । ସମସ୍ତ ଅଂଚଳରେ ବ୍ୟବସାୟୀକ କାର୍ଯ୍ୟ ଓ ପରିବହନ ସ୍ୱାଭାବିକ ହୋଇଥିବାରୁ ଏହା ବିମୁଦ୍ରାକରଣର ଏକ ବଡ ପ୍ରଭାବ ବୋଲି କୁହାଯାଉଛି ।

ଶ୍ରୀନଗର ସମେତ ସମସ୍ତ ଅଂଚଳରେ ଜୀବନଯାତ୍ରା ପୂର୍ବ ଭଳି ସ୍ଥିିିତିକୁ ଫେରିଥିବା ବେଳେ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ପୂର୍ବ ଭଳି କାର୍ଯ୍ୟ କରୁଛି । ଶ୍ରୀନଗରର ରାସ୍ତା ଗୁଡିକରେ ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ବାଣିଜ୍ୟିକ କାରବାର ମଧ୍ୟ ଜୋର ଧରିଛି । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ଥିତି ସାମାନ୍ୟ ହୋଇଛି । ବିମୁଦ୍ରାକରଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତିର ଏପରି ପ୍ରଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜାଲ୍ ନୋଟ୍ ଓ କଳା ଟଙ୍କା କାରବାର ଠପ୍ ହୋଇଯାଇଥିବାରୁ ହିଂସା ସୃଷ୍ଟି କରିବା ପାଇଁ ଯୁବକଙ୍କୁ ନିୟୋଜିତ କରିବାରେ ବିଫଳ ହୋଇଛନ୍ତି ବିଚ୍ଛିନ୍ନତାବାଦୀ । ଜୁଲାଇ ୨୭ତାରିଖରେ ଆତଙ୍କବାଦୀ ବୁରହାନ ୱାନୀର ମୃତ୍ୟୁ ପରେ ଜମ୍ମୁ ଓ କାଶ୍ମୀରରେ ଅଶାନ୍ତି ଲାଗିରହିଥିଲା । ନଭେମ୍ବର ୮ରେ ବଡ ନୋଟ୍ ଅଚଳ ନିଷ୍ପତିର ମାତ୍ର ୨ଦିନ ପରେ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଉପରେ ପଥର ମାଡ ହଠାତ୍ ବନ୍ଦ ହୋଇଯାଇଥିଲା ।

ପଥରମାଡ ସମ୍ପୂର୍ଣ୍ଣ ବନ୍ଦ ହେବାସୁରକ୍ଷା କର୍ମୀ ଓ ସରକାରଙ୍କ ଆଶ୍ୱସ୍ତ କରିଛି । ଗତ ୪ମାସ ଧରି ଲାଗିରହିଥିବା ଉତେଜନାରେ ୮୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫ହଜାର ସୁରକ୍ଷାକର୍ମୀ ଆହତ ହୋଇଥିଲେ ।