ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନୁର ମହମଦକୁ ଏନକାଉଁଟର । ଆତଙ୍କବାଦୀ ହମଲା ଓ ଦେଶଦ୍ରୋହ ମାମଲାରେ ୨୦୧୧ରେ ହୋଇଥିଲା ଆଜୀବନ କାରାଦଣ୍ଡ । ୨୦୧୫ରେ ପାରୋଲରେ ଯାଇ ମାରିଥିଲା ଚମ୍ପଟ

24

କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ । ଜମ୍ମୁ କଶ୍ମୀରରେ ଜୈଶ-ଏ- ମହମ୍ମଦ ଆତଙ୍କବାଦୀ ନୁର ମହମ୍ମଦକୁ ଏନକାଉଂଟର କଲା ସେନା । କାଶ୍ମୀର ଘାଟିରେ ଜୈଶ-ଏ-ମହମ୍ମଦର କମାଣ୍ଡ ସମ୍ଭାଳିଥିବା ନୁର ମହମ୍ମଦ ସେନା ଗୁଳିରେ ପ୍ରାଣ ହରାଇଛି । ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଗତକାଲି ରାତିରେ ହୋଇଥିବା ଏନକାଉଂଟରରେ ପ୍ରାଣ ହରାଇଛି ନୁର ।

ଏକାଧିକ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଂମ୍ପୃକ୍ତ ଥିଲା ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀ । ପୁଲୱାମା ଜିଲ୍ଲାରେ ଥିବା ନୁରର ଗାଁରେ ତାର ଅନ୍ତିମ ସଂସ୍କାର ବେଳେ ଶତାଧିକ ଲୋକଙ୍କ ଭିଡ ଜମିଛି । ଏପରିକି ନୁରକୁ ଗନ ସାଲ୍ୟୁଟ ଦିଆଯାଇଛି । ନୁରର ଶବରେ ଜୈଶ-ଏ-ମହମ୍ମଦର ପତାକା ଘୋଡାଇ ତାର ଅନ୍ତିମ ସଂସ୍କାର କରାଯାଇଛି । ୪୭ ବର୍ଷିୟ ନୁର ମହମ୍ମଦ କଶ୍ମୀରରେ ହୋଇଥିବା ଅନେକ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଗତବର୍ଷ ଉରି ସେନା କ୍ୟାମ୍ପରେ ଆକ୍ରମଣ ଘଟଣାରେ ସାମିଲ ଥିଲା ଏହି ମୋଷ୍ଟ ୱାଟେଂଡ ଆତଙ୍କୀ ।

ଗତ ଅକ୍ଟୋବରରେ ଶ୍ରୀନଗର ଏୟାରପୋର୍ଟ ନିକଟ ବିଏସଏଫ କ୍ୟାମ୍ପରେ ଆକ୍ରମଣ ଓ କଶ୍ମୀରର ମନ୍ତ୍ରୀ ନଇମ ଅଖତରଙ୍କ କାରକେଡ ଆକ୍ରମଣ ଆଦି ଘଟଣାରେ ନୁର ମହମ୍ମଦର ସମ୍ପୃକ୍ତି ଥିଲା । ଦୀର୍ଘ ଦିନ ଧରି ନୁରକୁ ଖୋଜୁଥିଲା ଭାରତୀୟ ସେନା । ୨୦୦୩ ନୁର ମହମ୍ମଦକୁ ଗିରଫ କରାଯାଇଥିଲା । ୨୦୧୧ରେ କୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା । ହେଲେ ମହମ୍ମଦ ପାରୋଲରେ ଯାଇ ଫେରାର ହୋଇ ପୁଣି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ଗୁଇନ୍ଦା ସୂଚନା ଅନୁସାରେ ପାକିସ୍ତାନରୁ ଅନେକ ଯୁବକଙ୍କୁ ଆଣି ଆତଙ୍କବାଦୀ ତାଲିମ ଦେଉଥିଲା ନୁର୍ ।