ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର ! ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ୨ ଅକ୍ଟୋବରରେ ଟ୍ରେନରେ ମିଳିବନି ଆମିଷ

48

ଗାନ୍ଧି ଜୟନ୍ତୀରେ ରେଳ ଯାତ୍ରୀଙ୍କୁ ମିଳିବ କେବଳ ନିରାମିଷ ଭୋଜନ । ଚଳିତବର୍ଷ ଓ ଆଗାମୀ ୨ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ଟ୍ରେନ ସମେତ ଷ୍ଟେସନ ପରିସରରେ କେବଳ ନିରାମିଷ ଭୋଜନ ଦେବାକୁ ରେଳବାଇ ପ୍ରସ୍ତାବ ଦେଇଛି । ଅକ୍ଟୋବର ୨ରେ ରାଷ୍ଟ୍ରୀୟ ସ୍ୱଚ୍ଛତା ଦିବସ ପାଳନ ପାଇଁ କେନ୍ଦ୍ର ସରକାର ସ୍ଥିର କରିଥିବାବେଳେ ନିରାମିଷବାଦର ପ୍ରସିଦ୍ଧ ଭାରତୀୟ ଆମ୍ବାସଡର ମହାତ୍ମା ଗାନ୍ଧିଙ୍କ ଜୟନ୍ତୀକୁ ନିରାମିଷ ଦିବସ ରୂପେ ପାଳନ କରିବାକୁ ରେଳବାଇ ପ୍ରସ୍ତାବ ଦେଇଛି । ଏହି ପ୍ରସ୍ତାବ ପାରିତ ହେଲେ ଗାନ୍ଧି ଜୟନ୍ତୀରେ ଟ୍ରେନ ଯାତ୍ରୀଙ୍କୁ ଆମିଷ ଖାଇବାକୁ ମିଳିବ ନାହିଁ ।

ରେଳ ବିଭାଗ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହୁଏ ତେବେ ୨ ଅକ୍ଟୋବର ଅଥାର୍ତ ଗାନ୍ଧି ଜୟନ୍ତୀରେ ଆଗାମୀ ୨୦୧୮, ୨୦୧୯ ଓ ୨୦୨୦ ମସିହାରେ ଟ୍ରେନ କିମ୍ବା ଷ୍ଟେସନରେ ଆମିଷ ଖାଦ୍ୟ ଦିଆଯିବ ନାହିଁ । କେନ୍ଦ୍ର ସରକାର ୨୦୨୦ରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଦିବସକୁ ବେଶ ଜାକଜମକରେ ପାଳନ କରିବାକୁ ଯୋଜନା କରୁଛି । ଏହାଛଡ଼ା ରେଳବିଭାଗ ମହାତ୍ମା ଗାନ୍ଧିଙ୍କ ୱାଟରମାର୍କ ଥିବା ଚିତ୍ର ସହିତ ଟିକେଟ ଜାରି କରିବାକୁ ଯୋଜନା କରିଛି । ଏଥିପାଇଁ ସଂସ୍କୃତି ମନ୍ତ୍ରାଳୟ ଠାରୁ ଅନୁମତି ଆବଶ୍ୟକ ।