ବଦଳିବ ଇତିହାସ ! ମନ୍ଦିରରେ ପୂଜକ ଭାବେ ନିଯୁକ୍ତ ହେବେ ଦଳିତ ଏବଂ ଅଣବ୍ରାହ୍ମଣ

251

ପୂଜକ ଶବ୍ଦ ଉଠିଲେ ଯେକୌଣସି ବ୍ୟକ୍ତିର ମନକୁ ବ୍ରାହ୍ମଣମାନଙ୍କର ଏକ ଚିତ୍ର ଚାଲିଆସେ। ପୁରାଣ କାଳରୁ ଏଯାବତ୍‌ କାଳ କାଳ ଠାକୁର ପୂଜା ବ୍ରାହ୍ମଣମାନେ ହିଁ କରିଥାନ୍ତି । କେତେକ ସ୍ଥାନରେ ମହିଳାମାନଙ୍କୁ ବି ପୂଜା ପାଇଁ ବାରଣ କରାଯାଇ ଥାଏ । ବ୍ରାହ୍ମଣ ପୁରୁଷମାନଙ୍କୁ ହିଁ ଶ୍ରେଷ୍ଠ ପୂଜାରୀ ଭାବେ ସମାଜ ଗ୍ରହଣ କରିସାରିଛି । ତେବେ, ଯୁଗ ବଦଳିବା ସଙ୍ଗେ ସଙ୍ଗେ ଅନେକ କିଛି ପରିବର୍ତ୍ତନ ଘଟୁଛି। ସେ ପରିବର୍ତ୍ତନକୁ ଲୋକେ ଗ୍ରହଣ ବି କରୁଛନ୍ତି। କିଛି ମନ୍ଦ ହେଲେ ଅନେକ କିଛି ଭଲ ନିଶ୍ଚୟ ଘଟୁଛି । ଏଣିକି କେବଳ ବ୍ରାହ୍ମଣମାନେ ହିଁ ପୂଜକ ହୋଇପାରିବେ ତାହା ନୁହେଁ, ଅନ୍ୟ ଜାତିର ଲୋକେ ବି ଠାକୁରଙ୍କୁ ପୂଜାର୍ଚ୍ଚନା କରିପାରିବେ ।

କେରଳରେ ଲାଗୁ ହେବାକୁ ଯାଉଛି ଏହିପରି ଏକ ଅଭିନବ ନିୟମ । କେରଳରେ ଥିବା ଦେବସ୍ୱମ ବୋର୍ଡ ୩୦୦୦ ମନ୍ଦିରର ପରିଚାଳନା ଦାୟିତ୍ୱରେ ରହିଛି । ଏହି ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଠାକୁର ପୂଜା କରିବା ପାଇଁ ବ୍ରାହ୍ମଣମାନଙ୍କୁ ନିୟୋଜିତ କରିବାର ନିୟମରେ ପରିବର୍ତ୍ତନ କରାଯାଇ ଇତିହାସ ବଦଳାଇବାର ସମୟ ଆସିଛି ।

ଏହି ନିଷ୍ପତ୍ତି ଦ୍ୱାରା ଧୀରେ ଧୀରେ ଲୋକଙ୍କ ମନରୁ ଜାତିଆଣା ଭାବ ନିଶ୍ଚୟ ଦୂରେଇ ଯିବ । ଯେତେ ଦିନ ଯାଏ ମନ୍ଦିରରେ ବ୍ରାହ୍ମଣଙ୍କ ବ୍ୟତୀତ ଅନ୍ୟ ଜାତି ଲୋକେ ପଶି ଠାକୁର ପୂଜା କରିବାର ଅନୁମତି ପାଇବେ ନାହିଁ ସେତେ ଦିନ ପର୍ୟ୍ୟନ୍ତ ଜାତି ବିରୋଧୀ ଅଭିଯାନ ଭିତ୍ତିହୀନ । ଯୁଗ ଯେତେ ବି ଆଧୁନିକ ହେଉ ପଛେ ଜାତିଆଣା ଭାବ କେଉଁଠି ନା କେଉଁଠି ଲୋକଙ୍କ ମନକୁ କବଳିତ କରି ରଖିଛି । କେରଳ ଦେବସ୍ୱମ ବୋର୍ଡର ଏହି ନିଷ୍ପତ୍ତି ଦ୍ୱାରା କିଛି ପରିମାଣରେ ଜାତି ବିରୋଧୀ ଅଭିଯାନ ସଫଳ ହେବ ବୋଲି ଆଶା କରାଯାଉଛି । ଆଗାମୀ ଭବିଷ୍ୟତକୁ ଆଖିରେ ରଖି ଏହି କେରଳୀ ବୋର୍ଡ ଭିନ୍ନ ଭିନ୍ନ ମନ୍ଦିରରେ ୪୨ଜଣ ଅଣବ୍ରାହ୍ମଣଙ୍କୁ ପୂଜକ ଭାବେ ନିଯୁକ୍ତି ଦେବାର ନିଷ୍ପତ୍ତି ନେଇଛି । ସେମାନଙ୍କ ମଧ୍ୟରେ ୬ ଜଣ ଦଳିତ ମଧ୍ୟ ପୂଜକ ଭାବେ ନିଯୁକ୍ତ ହେବେ ।

ମନ୍ଦିରେ ନିଯୁକ୍ତ ପାଇବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ଉଭୟ ଲେଖା ଏବଂ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ଏହି ଚାକିରି ପାଇଁ ସରଂକ୍ଷଣ ବ୍ୟବସ୍ଥା ମଧ୍ୟ ଉପଲବ୍ଧ । ଏହି ଘଟଣାଟି ପ୍ରଥମ। ପୂର୍ବରୁ କୌଣସି ବି ମନ୍ଦିରରେ ବ୍ରାହ୍ମଣ ବ୍ୟତୀତ ଅନ୍ୟ ଜାତିର ଲୋକେ ପୂଜକ ଭାବେ ନିଯୁକ୍ତି ପାଇନଥିଲେ । ଭଗବାନଙ୍କୁ ପୂଜା କରିବାର ଅଧିକାର ଓ ସାମର୍ଥ୍ୟ ସମସ୍ତଙ୍କ ନିକଟରେ ରହିଛି । କେବଳ ବ୍ରାହ୍ମଣ ହିଁ ଭଗବାନଙ୍କ ନିକଟତର ନୁହଁନ୍ତି ବୋଲି ପ୍ରମାଣ କରିବା ସହ ଜାତିଆଣା ଭାବ ଦୂରେଇବା ଉଦ୍ଦେଶ୍ୟ ରଖି ବୋର୍ଡ ଏପରି ଘୋଷଣା କରିଥିବା ଜାଣିବାକୁ ମିଳିଛି ।