ନେତା ଭରିଲେ ନାମାଙ୍କନ ! ଲଢ଼େଇ ପାଇଁ ପ୍ରସ୍ତୁତି ଜୋରଦାର, ଜନମତ ହାସଲ ପାଇଁ ଚାଲିଛି ଅଙ୍କକଷା ।

68

କନକ ବ୍ୟୁରୋ : ଆଜି ସାରା ରାଜ୍ୟରେ ନେତା କରିଥିଲେ ଶକ୍ତି ପ୍ରଦର୍ଶନ । ନାମାଙ୍କନ ଦାଖଲ କରିବାକୁ ବିରାଟ ପଟୁଆରରେ ପହଂଚିଥିଲେ ନେତା । ନାମାଙ୍କନ କରିଥିଲେ ଆଉ ତା ସହ ଶକ୍ତି ପ୍ରଦର୍ଶନ ବି । ଆସନ୍ତୁ ଜାଣିବା କେମିତି ଥିଲା ନେତାଙ୍କ ନାମାଙ୍କନ ଦାଖଲ ।

ଆଜି ଦୁଲୁକୁଥିଲା କେନ୍ଦ୍ରାପଡା । ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଜମିଥିଲା ନେତାଙ୍କ ଭିଡ । ରାଜନଗର ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଧ୍ରୁବ ସାହୁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ହଜାର ହଜାର ସମର୍ଥକଙ୍କ ସହ ନାରାବାଜି ଭିତରେ ନାମାଙ୍କନ ଦାଖଲ କରିିଥିଲେ ଧ୍ରୁବ ସାହୁ । ସେପଟେ ଆଳି ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରତାପ ଦେବ । ସମର୍ଥକ ମାନଙ୍କ ସହ ଆସି ସେ ପ୍ରାର୍ଥୀପତ୍ର ଭରିଛନ୍ତି । ବିଜେଡି ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିଛି ଏବଂ ଦଳ ନିଶ୍ଚୟ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରତାପ ଦେବ ।

ସେହିପରି ଘଷିପୁରା ପରେ ଭଣ୍ଡାରୀପୋଖରୀ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସମର୍ଥକଙ୍କ ସହ ବିରାଟ ପଟୁଆରରେ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଭଣ୍ଡାରୀପୋଖରୀର ଲୋକେ ତାଙ୍କ ସହ ଅଛନ୍ତି ଏବଂ କଂଗ୍ରେସ ସଫଳତା ଦାସଲ କରିବ ବୋଲି କହିଛନ୍ତି ନିରଂଜନ ।

ଅନ୍ୟପଟେ ବିଶାଳ ରାଲି ଭିତରେ ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ପହଂଚିଥିଲେ ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ପୂର୍ବରୁ ବିଜେଡିରୁ ନିର୍ବାଚନ ଲଢିଥିବା ବେଳେ ଏଥର ସେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ପାଟକୁରା ଆସନ ପାଇଁ ଆଜି ବିଜେଡି ଓ ବିଜେପିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡିର ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲ ବହୁ ସମର୍ଥକଙ୍କ ଗହଣରେ ନାମାଙ୍କନ ପାଇଁ ପହଂଚିଥିଲେ । ଅସୁସ୍ଥ ଥିବା ବେଦପ୍ରକାଶଙ୍କୁ ନେଇ ବେଶ୍ କିଛି ଦିନ ଟିକେଟ ପାଇବା ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା ।  ସେପଟେ ବିଜେପିର ପାଟକୁରା ବିଧାନସଭା ଆସନର ପ୍ରାର୍ଥୀ ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ବିଧାନସଭା ଆସନ ପାଇଁ ନାଁ ଭରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ବିଜେଡିରୁ ବହିଷ୍କୃତ ନେତା ଦାମୋଦର ବିଜେପି ଟିକଟରୁ ବାଲିକୁଦା ଆସନ ପାଇଁ ଲଢେଇ କରୁଛନ୍ତି । ସେପଟେ ତାଙ୍କ ପୁଅ ସମ୍ବିତ ରାଉତରାୟ ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।