ନିର୍ବାଚନ କୋଳାହଳରେ କମ୍ପିଲା ଓଡ଼ିଶା ! ଶୋଭାଯାତ୍ରା, ନାରାବାଜିରେ ନାଁ ଭରିଲେ ନେତା, ବିଜେପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ।

166

କନକ ବ୍ୟୁରୋ : ଆଜି ଦେଖିବାକୁ ମିଳିଥିଲା ରାଜନୀତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଯେଉଁଥିପାଇଁ ୫ ବର୍ଷ କାଳ ନେତା ଅପେକ୍ଷା କରିଥାନ୍ତି, ସେହି ମୁହୁର୍ତ ଆସିଥିଲା ନେତାଙ୍କ ପାଇଁ । ଟିକେଟ୍ କସରତ ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନେତା । ବିରାଟ ପଟୁଆର ସହ ଜିନ୍ଦାବାଦ ନାରାରେ ଆଜି କମ୍ପି ଉଠିଥିଲା ପରିବେଶ । ଦଳୀୟ ଟୋପି, ଉତରୀୟ ସହ ଦେଖିବାକୁ ମିଳିଥିଲା ପ୍ରାର୍ଥୀମାନଙ୍କୁ । ଦଳୀୟ ପତାକା, ତୋରଣ, ପ୍ଲାକାର୍ଡରେ ରଂଗୀନ ହୋଇ ଯାଇଥିଲା ସହର । ଆଜି ଥିଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ତେଣୁ ଏହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । କାଲି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଅନେକ ସ୍ଥାନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ନେତା ।

ପଶ୍ଚିମ ଓଡ଼ିଶାର ହାୱା ପରିବର୍ତନ କରି ବିଜେଡି ପ୍ରତି ଜନସମର୍ଥନ ବଢ଼ାଇବା ଲାଗି ନବୀନଙ୍କ ଏହି ନୂଆ ରଣନୀତିର ପ୍ରୟୋଗଶାଳା ପାଲଟିଛି ବିଜେପୁର । ଆଉ ଆଜି ନବୀନ ବିଜେପୁର ପହଁଚିଥିଲେ ନାମାଙ୍କନ ପତ୍ର ଦାଖଲ ପାଇଁ । କର୍ମୀ ଓ ନେତାଙ୍କ ଗହଣରେ ରିଟନିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ନବୀନ । ବିଜେପୁରର ଏହି ନୂଆ ରାଜନୈତିକ ମୋଡ଼ ପଛରେ ଥିଲା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ।

ଏଥର ପ୍ରଥମ ଥର ପାଇଁ ହିଂଜିଳି ସହ ବିଜେପୁରରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେପଟେ ଆଜି ରାଜ୍ୟ ତମାମ ଜାରି ରହିଥିଲା ନାମାଙ୍କନ ପତ୍ର ଦାଖଲ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କଂଗ୍ରେସ ପ୍ରାର୍ଥୀ ଭାବେ ତାଙ୍କର ଚିରାଚରିତ ଆସନ ବଲାଙ୍ଗୀର ବିଧାନସଭାରୁ ଦାଖଲ କରିଥିଲେ ପ୍ରାର୍ଥୀପତ୍ର । ନୂଆ କରି ରାଜନୀତିକୁ ଆସିଥିବା ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ଲୋକସଭାରୁ କଂଗ୍ରେସରୁ ଦାଖଲ କରିଥିଲେ ନୋମିନେସନ୍ । ସେପଟେ ବଲାଙ୍ଗୀର ଆସନ ପାଇଁ ପୁଣିଥରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓ । ଆଉ ସେହି ଆସନରୁ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ଦାଖଲ କରିଥିଲେ ମନୋନୟନ ପତ୍ର ।

ସେହିପରି ବିରାଟ ପଟୁଆରରେ ଆସି କଳାହାଣ୍ଡି ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା । ଏହି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିବାକୁ ଦଳବଳ ଧରି ପହଁଚିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ । କର୍ମୀ ଓ ନେତାଙ୍କ ଗହଣରେ ଶୋଭାଯାତ୍ରା କରି ରିଟନିଂ ଅଫିସରଙ୍କ ନିକଟରେ ପହଁଚିଥିଲେ ନେତା । ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ କଳାହାଣ୍ଡି ଆସନ ପାଇଁ ଭରିଥିଲେ ନାମାଙ୍କନ ପତ୍ର ।

ନାମାଙ୍କନ ପତ୍ର ଦାଖଲ ସମୟରେ ହିଁ ଶକ୍ତି ପ୍ରଦର୍ଶନ କରିବା ସୁଯୋଗକୁ ହାତଛଡ଼ା କରିନଥିଲେ ନେତା । କନ୍ଧମାଳ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ । ସେହିପରି ବରଗଡ଼ ଲୋକସଭା ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ଅନ୍ୟପଟେ ଦିଗପହଣ୍ଡିରୁ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା ବେଳେ ବ୍ରହ୍ମପୁର ବିଧାନସଭାରୁ ବିକ୍ରମ ପଣ୍ଡା ଦାଖଲ କରିଥିଲେ ପ୍ରାର୍ଥୀପତ୍ର । ନେତା ଓ କର୍ମୀଙ୍କ ନାରାବାଜିରେ ଆଜି ସରଗରମ ହୋଇଛି ରାଜ୍ୟ ରାଜନୀତି । କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଆସିକା ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।