ଇତିହାସକୁ ବିକୃତ କରିବା ଅଧିକାର କାହାର ନାହିଁ ! ‘ପଦ୍ମାବତୀ’ ବିବାଦରେ ମୁହଁ ଖୋଲିଲେ କନକବର୍ଦ୍ଧନ, ସେପଟେ ଘୁଂଚିଲା ରିଲିଜ ତାରିଖ

36

କନକ ବ୍ୟୁରୋ : ଫିଲ୍ମ ପଦ୍ମାବତୀ ବିବାଦରେ ଲମ୍ଫ ଦେଇଛି ରାଜ୍ୟ ବିଜେପି । ଆଜି ଏନେଇ ଫିଲ୍ମ ପ୍ରଯୋଜକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା କନକବର୍ଧନ ସିଂଦେଓ । କହିଛନ୍ତି, ପଦ୍ମାବତୀଙ୍କୁ ନେଇ ଇତିହାସ ରହିଛି । ଏହାକୁ ବିକୃତ କରିବାର କାହାରି ଅଧିକାର ନାହିଁ । ସେପଟେ ଏହା ଯଦି କେହି ଭୁଲ କହୁଥାଏ, ତେବେ ରାମାୟଣ, ମହାଭାରତ ମଧ୍ୟ କଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି କେ.ଭି. ସିଂଦେଓ । ଏପରିକି ଇତିହାସର ସୁରକ୍ଷା ପାଇଁ ନିୟମ ରହିଛି, ଏହାକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ଉଚିତ ବୋଲି ମଧ୍ୟ କେଭି କହିଛନ୍ତି । ସଂଜୟ ଲିଲା ଭଂସାଲିଙ୍କ ଫିଲ୍ମ ‘ପଦ୍ମାବତୀ’ର କାହାଣୀକୁ ନେଇ ବିବାଦ ଲାଗି ରହିଛି । କରନୀ ସେନା ଆରମ୍ଭରୁ ଏହାକୁ ବିରୋଧ କରିଆସୁଥିବା ବେଳେ ବିଜେପିର ବହୁ ବରିଷ୍ଠ ନେତା ମଧ୍ୟ ଫିଲ୍ମକୁ ବିରୋଧ କରିଛନ୍ତି ।

kv singhରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ ସମେତ ବହୁ ନେତା ଫିଲ୍ମ ମାଧ୍ୟମରେ କାହାରି ଭାବାବେଗକୁ ଆହତ କରିବା ଠିକ ନୁହେଁ ବୋଲି କହିଥିଲେ । ଫିଲ୍ମ ସୁଟିଂ ସମୟରୁ ବିବାଦ ଦେଖାଦେଇଥିଲା । ଏପରିକି ସେଟ୍ ପୋଡିବା ସହ ସଂଜୟ ଲିଲା ଭନସାଲୀଙ୍କୁ ରାଜପୁତ ସଂଗଠନର ସଦସ୍ୟ ମାଡ ମାରିଥିବା ଅଭିଯୋଗ ମଧ୍ୟ ଆସିଥିଲା । ଏପଟେ କେବଳ ରାଜସ୍ଥାନ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଫିଲ୍ମ ପଦ୍ମାବତୀକୁ ବିରୋଧ ଲାଗି ରହିଛି । ଏପଟେ ରାଜନୈତିକ ଦଳ ବିଜେପି ଓ ହିନ୍ଦୁ ସଂଗଠନ ମଧ୍ୟ ଏହାକୁ ବିରୋଧ କରିବା ପରେ ପ୍ରଯୋଜକଙ୍କ ଚିନ୍ତା ବଢିଛି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୧ ତାରିଖରେ ଫିଲ୍ମ ରିଲିଜ୍ ହେବା ନେଇ ପୂର୍ବରୁ ପ୍ରଯୋଜକ କରିଥିବା ଘୋଷଣାରୁ ବାତିଲ କରିଛନ୍ତି । ଏପରିକି ରାଜପୁତ ସଂଗଠନ ମୁଖ୍ୟ ନାୟିକା ଦୀପିକା ପାଦୁକୋନଙ୍କ ନାକ କାଟିବା ସହ ସଂଜୟଲିଲା ଭନସାଲିଙ୍କ ଗଳା କାଟିବାକୁ ଚେତାବନୀ ଦେଇଛି । ଏହା ପରେ ଉଭୟଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ତେବେ ଫିଲ୍ମକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରଥମ ଥର ପାଇଁ ଏପରି ପ୍ରତିକ୍ରିୟା ମିଳିଛି । ନିଜର ରାଜପୁତ ପରିବାର ସହ ସଂପର୍କ ଥିବା ଦୃଷ୍ଟିରୁ ବିରୋଧକୁ ସମର୍ଥନ କରୁଥିବା କେଭି କହିଛନ୍ତି । ଏହା ସହ ଅହିଂସାପୂର୍ଣ୍ଣ ବିରୋଧ କରିବାକୁ ରାଜ୍ୟ ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି ।