ରାମ ମନ୍ଦିର ନିର୍ମାଣ ନହେଲେ ୨୦୧୯ରେ ସରକାରକୁ ଫେରି ପାରିବେନି ମୋଦି ! ଜାଣନ୍ତୁ କାହିଁକି ଏଭଳି କହିଲେ ସାଧୁସନ୍ଥ

262

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରୟାଗରାଜରେ ହେବାକୁ ଥିବା କୁମ୍ଭମେଳା ବେଶ ଗୁରୁତ୍ୱ ବହନ କରୁଛି । କୁମ୍ଭମେଳାରେ ସାମିଲ ହେବା ପାଇଁ ଅଧିକାଂଶ ସନ୍ଥ ଏବେଠୁ ପ୍ରୟାଗରାଜରେ ଡେରା ପକାଇ ସାରିଲେଣି । ତେବେ ଏହି ମେଳାରେ ସାମିଲ ହେବାକୁ ଆସିଥିବା ସନ୍ଥ ମାନେ ମୋଦି ସରକାର ଉପରେ ପ୍ରବଳ ବର୍ଷିଛନ୍ତି । ଓ ଚେତାବନୀ ଦେବା ସହ କହିଛନ୍ତି, ଯଦି ମନ୍ଦିର ନିର୍ମାଣ ନାହିଁ ତେବେ ୨୦୧୯ରେ ମୋଦି ମଧ୍ୟ କ୍ଷମତାକୁ ଫେରିପାରିବେନି ।

ଏହି କୁମ୍ଭ ମେଳା ସମୟରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରୟାଗରାଜରେ ଧର୍ମ ସଂସଦ ଡାକି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ କହିବା ଅନୁଯାୟୀ, ଧର୍ମ ସଂସଦ ଡାକିବା କୌଣସି ରାଜନୈତିକ ଦଳ କିମ୍ବା ବିଶ୍ୱ ହିନ୍ଦୁ ପରିଷଦର ନାହିଁ । ଧର୍ମ ସଂସଦ କେବଳ ଚାରି ପୀଠର ଶଙ୍କରାଚାର୍ଯ୍ୟ ଡାକିପାରିବେ ।

ନରେନ୍ଦ୍ର ଗିରି ମହାରାଜଙ୍କ କହିବା ଅନୁଯାୟୀ, ମୋଦି ଓ ବିଜେପିକୁ ବିକାଶ ନାଁରେ ଭୋଟ ମିଳିନାହିଁ । ଯଦି ବିକାଶ ନାଁରେ ଭୋଟ ମିଳିଥାନ୍ତା ତେବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ବୋଧହୁଏ ଆଉ କେହି ହୋଇଥାନ୍ତେ କିମ୍ବା ଅଖିଳେଶ ଯାଦବ ପୁଣିଥରେ ହୋଇଥାନ୍ତେ । ମୋଦି ସରକାରରେ ବିକାଶ ହେଉଛି । କିନ୍ତୁ ଲୋକ ରାମ ମନ୍ଦିର ନାଁରେ ହିଁ ଭୋଟ ଦେବେ । ଯଦି ରାମ ମନ୍ଦିର ନିର୍ମାଣ ନେଇ କୌଣସି ନିଷ୍ପତି ନ ନିଆଯାଏ ତେବେ ଆଗାମୀ ଦିନରେ ସରକାର ଗଢିବା କଷ୍ଟକର ହୋଇଯିବ । କାରଣ ଲୋକ ବହୁତ ଦିନ ହେଲା ଅପେକ୍ଷା କଲେଣି ।

ସେହିଭଳି ନିରଞ୍ଜନୀ ଆଖଡାର ପ୍ରମୁଖ ମହନ୍ତ କେଶବ ପୁରୀଙ୍କ କହିବା ଅନୁଯାୟୀ, ସାଧୁ ସନ୍ଥ ମାନେ ବିଜେପିକୁ ଏଥିପାଇଁ ସମର୍ଥନ ଦେଇଛନ୍ତି କାରଣ ରାମ ମନ୍ଦିର ନିର୍ମାଣ ସହ ଏକ ବଡ ସମସ୍ୟାର ସମାଧାନ ହେବ ବୋଲି ସମସ୍ତେ ଆଶାବାଦୀ ଥିଲେ । କିନ୍ତୁ ମୋଦି ସରକାରର ସାଢେ ୪ ବର୍ଷ ପରେ ସରକାର ରାମ ମନ୍ଦିର ନିର୍ମାଣ ନେଇ କୌଣସି ପଦକ୍ଷେପ ଉଠାଉନାହାନ୍ତି । ଏହାସହ ସେ କହିଛନ୍ତି, ଯଦି ରାମ ମନ୍ଦିର ନିର୍ମାଣ ହେବ ତେବେ ପୁଣିଥରେ ବିଜେପିକୁ ସରକାର ଗଢିବାକୁ ସୁଯୋଗ ମିଳିବ କିନ୍ତୁ ଯଦି ଏପରି ନ ହୁଏ ତେବେ ପୁଣିଥରେ ସରକାରକୁ ଫେରିବା ସ୍ୱପ୍ନରେ ରହିଯିବ । କାରଣ ଏଭଳି ହେଲେ ଲୋକଙ୍କର ବିଶ୍ୱାସ ଉଠିଯିବ ।

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ହିନ୍ଦୁ ଧର୍ମଗୁରୁ ଓ ମୁସଲିମ ଧର୍ମଗୁରୁ ଏକାସାଥୀରେ ବସି ଆଲୋଚନା କଲେ ରାମ ମନ୍ଦିର ନିର୍ମାଣ ନେଇ ରାସ୍ତା ବାହାରିବ । କିନ୍ତୁ ସେମାନେ ଏକାସାଥୀରେ ଏଥିପାଇଁ ବସି ପାରୁନାହାନ୍ତି କାରଣ ରାଜନେତା ମାନେ ସେମାନଙ୍କୁ ବସିବାକୁ ସୁଯୋଗ ଦେଉନାହାନ୍ତି ।