ସୁପ୍ରିମକୋର୍ଟ ବିଚାରପତିଙ୍କ ବିିବାଦର ଏଯାଏଁ ହୋଇନି ସମାଧାନ ! ଆଉ ୨-୩ ଭିତରେ ବାହାରିପାରେ ନିଷ୍କର୍ଷ

30

କନକ ବ୍ୟୁରୋ : ଚାରି ଜଣ ବରିଷ୍ଠ ବିଚାରପତିଙ୍କ ବିଦ୍ରୋହକୁ କେନ୍ଦ୍ର କରି ସର୍ବୋଚ୍ଚ ଅଦାଲତରେ ସୃଷ୍ଟି ହୋଇଥିବା ବିବାଦ ଆଜି ମଧ୍ୟ ଜାରି ରହିଛି । ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହି ଅସନ୍ତୁଷ୍ଟ ବିଚାରପତିମାନଙ୍କୁ ଭେଟି ଆଲୋଚନା କରିବା ପରେ ବିବାଦର ଅବସାନ ଘଟିଲା ବୋଲି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ସୂଚନା ଦେବାର କିଛି ସମୟ ପରେ ପୁଣି ନୂଆ ବିବାଦ ମୁଣ୍ଡ ଟେକିଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ର କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ଗତକାଲି ଗଠନ କରିଥିବା ପାଞ୍ଚ ଜଣିଆ ସମ୍ବିଧାନ ପୀଠରେ ଏହି ବିଦ୍ରୋହୀ ବିଚାରପତିମାନଙ୍କୁ ସ୍ଥାନ ମିଳିନାହିଁ । ଫଳରେ ବିବାଦ ଥମିବା ବଦଳରେ ପୁଣି ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଆଜି ପୁଣି ଏହି ବିଚାରପତିମାନଙ୍କୁ ଭେଟିଛନ୍ତି । ସେମାନଙ୍କ ସହିତ ୧୫ ମିନିଟ କାଳ ଆଲୋଚନା କରି ଶାନ୍ତିପୂର୍ଣ୍ଣ ସମାଧାନ ଚାହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଏକ ସ୍ଥାୟୀ ସମାଧାନ ବାହାରିବ ବୋଲି ଆଟର୍ଣ୍ଣି ଜେନେରାଲ ପୁଣି ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ରବିବାର ବାର କାଉନସିଲର ଏକ ସାତଜଣିଆ ପ୍ରତିନିଧିମଣ୍ଡଳ ଏବଂ ସୁପ୍ରିମକୋର୍ଟ ଓକିଲ ସଂଘ ସଭାପତିଙ୍କୁ ଭେଟି ଆଲୋଚନା କରିିଥିଲେ । ଏହାପରେ ଚାରି ଜଣ ଯାକ ବରିଷ୍ଠ ବିଚାରପତିଙ୍କ ସହିତ ପ୍ରଧାନ ବିଚାରପତି ଆଲୋଚନା କରିବା ପରେ ସେମାନେ କାର୍ୟ୍ୟରେ ଯୋଗ ଦେଇଥିଲେ । ଏଥିରେ ଉତ୍ସାହିତ ହୋଇ ସବୁ ବିବାଦର ଅବସାନ ଘଟିଛି ବୋଲି ଖୋଦ୍ ଆଟର୍ଣ୍ଣି ଜେନେରାଲ ଓ ବାର କାଉନସିଲ୍ ସଭାପତି ଗଣମାଧ୍ୟମକୁ କହିଥିଲେ । ତେବେ ସୋମବାର ପ୍ରଧାନ ବିଚାରପତିଙ୍କ ଆଉ ଏକ ନିଷ୍ପତ୍ତି ଯୋଗୁଁ ବିବାଦର ଧୂଆଁ ପୁଣିଥରେ ବାହାରିଛି ।

ଉଲ୍ଲେଖଯୋଗ୍ୟ, ଆଧାର ସମ୍ପର୍କିତ ଏବଂ ଅନ୍ୟ କିଛି ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଶ୍ରୀ ମିଶ୍ର ସୋମବାର ଏକ ନୂତନ ସମ୍ବିଧାନ ପୀଠ ଗଠନ କରିଛନ୍ତି । ତେବେ ଏହି ପାଞ୍ଚ ଜଣିଆ ଖଣ୍ଡପୀଠରେ ବିଦ୍ରୋହୀ ବରିଷ୍ଠ ବିଚାରପତି ଜଷ୍ଟିସ୍ ଜେ.ଚେଲମେଶ୍ୱର, ଜଷ୍ଟିସ୍ ରଂଜନ ଗୋଗୋଇ, ମଦନ ବି ଲୋକୁର ଓ କୋରିଆନ୍ ଜୋସେଫଙ୍କୁ ସ୍ଥାନ ମିଳିନାହିଁ । ଅପରପକ୍ଷେ ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୫ ଜଣିଆ ପୀଠରେ ଜଷ୍ଟିସ୍ ଏ.କେ.ସିକ୍ରି, ଏ.ଏମ୍.ଖାନ୍ଓ୍ଵିଲକର, ଡି.ଓ୍ଵାଇ.ଚନ୍ଦ୍ରଚୂଡ଼ ଓ ଅଶୋକ ଭୂଷଣ ରହିଛନ୍ତି । ବୁଧବାରଠାରୁ ଏହି ଖଣ୍ଡପୀଠ ଅନେକ ଗୁରୁତ୍ୱପୂର୍ଣ୍ଣ ମାଲାର ଶୁଣାଣି ଆରମ୍ଭ କରିବେ । ସେଗୁଡ଼ିକ ମଧ୍ୟରେ ଆଧାର, ସମଲିଙ୍ଗୀ, କେରଳ ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଆଦି ବହୁ ବିବାଦୀୟ ମାମଲା ରହିଛି ।

ଏପରିକି ଏହି ୫ ଜଣିଆ ଖଣ୍ଡପୀଠ ମଧ୍ୟ ଗତ ଅକ୍ଟୋବର ୧୦ ତାରିଖରୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଜାରି ରଖିଛନ୍ତି । ସୋମବାରର ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ପରିସରରେ ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଥିବା ବେଳେ ବିବାଦର ସମାଧାନ ପାଇଁ ଜଷ୍ଟିସ୍ ମିଶ୍ର ପୁଣି ଥରେ ଆଜି ସକାଳେ ଏହି ଚାରି ଜଣ ବିଚାରପତିଙ୍କୁ ଭେଟିଛନ୍ତି । ଜଷ୍ଟିସ୍ ମିଶ୍ରଙ୍କ ଅନୁରୋଧ କ୍ରମେ ସେମାନେ ସକାଳେ ପ୍ରଧାନ ବିଚାରପତିଙ୍କ ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ । ଦୀର୍ଘ ୧୫ ମିନିଟ କାଳର ଏହି ସାକ୍ଷାତରେ ଜଷ୍ଟିସ୍ ମିଶ୍ର ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆଲୋଚନା ବେଳେ ଜଷ୍ଟିସ ସିକ୍ରି ଏବଂ ଆଉ ଦୁଇ ଜଣ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ବିବାଦର ସମାଧାନ ପାଇଁ ଜଷ୍ଟିସ ସିକ୍ରି ଏବଂ ଅନ୍ୟ ବିଚାରପତିମାନେ ମଧ୍ୟ ଉଦ୍ୟମ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅସନ୍ତୁଷ୍ଟ ବିଚାରପତିମାନଙ୍କ ଅଭିଯୋଗର ସମାଧାନ ପାଇଁ ସୁପ୍ରିମ କୋର୍ଟର କେତେକ ନିୟମରେ ସଂଶୋଧନ କରାଯାଇପାରେ । ଆସନ୍ତାକାଲି ପୁଣି ସେମାନେ ଏସଂପର୍କରେ ପ୍ରଧାନ ବିଚାରପତିଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।