ଜଷ୍ଟିସ ଲୋୟା ମୃତ୍ୟୁ ମାମଲାର ହେବ ନାହିଁ ଏସଆଇଟି ତଦନ୍ତ! ସର୍ବୋଚ୍ଚ ନ୍ୟାୟଳୟ କହିଲେ, ନ୍ୟାୟପାଳିକାକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି

47

ଆସିଲା ଜଷ୍ଟିସ୍ ଲୋୟା ମାମଲାର ଚୂଡ଼ାନ୍ତ ରାୟ । ଜଷ୍ଟିସ ଲୋୟାଙ୍କ ମୃତ୍ୟୁର ଏସଆଇଟି ତଦନ୍ତ ହେବନାହିଁ ବୋଲି କହିଲେ ସର୍ବୋଚ୍ଚ ଅଦାଲତ୍ । ଏସଆଇଟି ତଦନ୍ତ ନେଇ କରାଯାଇଥିବା ଆବେଦନକୁ ଆଜି ଖାରଜ କରିବା ସହ ସୁପ୍ରିମକୋର୍ଟ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ।

ଜଷ୍ଟିସ୍ ଲୋୟା ମାମଲାରେ ମିଳିଥିବା ତଥ୍ୟ ଓ ପାରିପାଶ୍ୱିର୍କ ସ୍ଥିତିର ହେବନାହିଁ ସ୍ୱତନ୍ତ୍ର ତଦନ୍ତ । ନ୍ୟାୟାଧୀଶଙ୍କ ମୃତ୍ୟୁର ଏସଆଇଟି ତଦନ୍ତର ଆବେଦନର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ୍ । ପ୍ରଧାନ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଜନସ୍ୱାର୍ଥ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏହି ଘଟଣାରେ ନ୍ୟାୟ ପାଳିକାକୁ ବଦନାମ କରିବାକୁ ପ୍ରୟାସ କରାଯାଇଛି ବୋଲି କହିବା ସହ ଆବେଦନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ୍ ।

୧ ଡିସେମ୍ବର ୨୦୧୪ । ବିଳମ୍ବିତ ରାତ୍ରିରେ ହୁଏ ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁ । ନିଜ ସହକର୍ମୀଙ୍କ ଝିଅ ବାହାଘରରେ ଯୋଗ ଦେବାକୁ ନାଗପୁର ଯାଇଥିବା ବେଳେ ହୃଦଘାତରେ ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ହୋଇଥିଲା । ସେତେବେଳେ ସୋହରାବୁଦ୍ଦିନ ଏନକାଉଁଟର୍ ମାମଲାର ବିଚାର କରୁଥିଲେ ଜଷ୍ଟିସ୍ ଲୋୟା ଏବଂ ଏହି ମାମଲାରେ ଅଭିଯୁକ୍ତ ଥିଲେ ବର୍ତମାନର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଉ ବାହାଘରରେ ଯୋଗ ଦେବାକୁ ଯାଇଥିବା ବେଳେ ଜଷ୍ଟିସ୍ ଲୋୟାଙ୍କ ହଠାତ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା ।

ତେବେ ସୁପ୍ରିମକୋର୍ଟ କହିଛନ୍ତି ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ମୃତ୍ୟୁୂ ଥିଲା ଏବଂ ଏହା ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ଜଷ୍ଟିସ୍ ଲୋୟାଙ୍କ ସହ ଯାଇଥିବା ଅନ୍ୟ ୪ ଜଣ ବିଚାରପତିଙ୍କୁ ଅବିଶ୍ୱାସ କରିବାର କୌଣସି ଯର୍ଥାଥତା ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ଜଷ୍ଟିସ ଲୋୟା ମୃତ୍ୟୁକୁ ନେଇ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି ।