ପର କରିଦେଲା ଛାଇ ! ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଖରାରେ ଛିଡା ହେଲେ ବି ଦେଖାଗଲାନି ଛାଇ, ଗୋଟିଏ ସମୟରେ ଅକ୍ଷାଂଶ ଓ ଦ୍ରାଘିମାରେ ଅବସ୍ଥାନ କଲେ ସୂର୍ଯ୍ୟ

41

କନକ ବ୍ୟୁରୋ : କିଛି ସମୟ ପାଇଁ ପର କରିଦେଲା ଛାଇ । ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରେ ଦେଖିବାକୁ ମିଳିଥିଲା କିଛି ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ସିଧା ଭାବରେ ଠିଆ ହେଲେ ଛାଇ ଦେଖାଯାଇ ନଥିଲା । ମୁଣ୍ଡ ଉପରେ ସୂର୍ଯ୍ୟ ଥିଲା । ପ୍ରଚଣ୍ଡ ଖରା ଅନୁଭୂତ ହେଉଥିଲା । ହେଲେ ରାଜଧାନୀ ଭୁବନେଶ୍ୱରରେ ହଜି ଯାଇଥିଲା ଛାଇ ।

ଏନେଇ ଭୂମି ଉପରେ ୯୦ ଡିଗ୍ରୀରେ ଥିବା ଏହି ଖୁଂଟକୁ ନେଇ ପରୀକ୍ଷା କରାଯାଇଥିଲା । ଉପରେ ଟାଇଁ ଟାଇଁ ଖରା । କିନ୍ତୁ ଖୁଂଟର ଛାଇ ଦେଖାଗଲା ନାହିଁ । ଏହା କୌଣସି ଅଲୌକିକ ଘଟଣା ନୁହେଁ, ଏହା କେବଳ ଛାଇ-ଆଲୁଅ ଖେଳ । ସୂର୍ଯ୍ୟ, ପୃଥିବୀ ଓ ଆମ ଅବସ୍ଥିତିକୁ ନେଇ ଏହା ଏକ ସାଧାରଣ ଘଟଣା । ସୂର୍ଯ୍ୟ, କୌଣସି ବସ୍ତୁର ଠିକ୍ ଉପରେ ରହିଲେ, ତାହାର ଛାଇ ବସ୍ତୁର ଆକାର ତଳେ ରହିଯାଇଥାଏ । ଏପରି ସ୍ଥିତିକୁ କୁହାଯାଏ ଶୂନ୍ୟ ଛାଇ ଦିବସ ବା ନୋ ସାଡୋ ଡେ’ ।

ଆଜି ଭୁବନେଶ୍ୱରରେ ଦିନ ୧୧ଟା ୪୩ ମିନିଟ୍ ବେଳେ ଖରାରେ ଠିଆ ହେବାବେଳେ ଛାଇ ଦେଖାଯାଇନାହିଁ । ପଠାଣୀ ସାମନ୍ତ ପ୍ଲାନେଟୋରିଅମରେ ଶୂନ୍ୟ ଛାୟା ଦିବସ ପାଇଁ ବିଶେଷ ଆୟୋଜନ କରାଯାଇଥିଲା । ସୌରମଣ୍ଡଳର ଏହି ନିଆରା ଦୃଶ୍ୟକୁ ଦେଖିବା ପାଇଁ ଏବଂ ବୁଝିବା ପାଇଁ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକଙ୍କ ଭିଡ ଜମିଥିଲା ।

ସେହିପରି କଟକରେ କାଲି ଦିନ ୧୧ଟା ୪୩ ମିନିଟରେ, ବଲାଙ୍ଗୀରରେ ମେ’ ୨୩ ତାରିଖ ଦିନ ୧୧ଟା ୫୪ ମିନିଟ୍ ଓ ବାରିପଦାରେ ମେ’ ୩୧ ତାରିଖରେ ଦିନ ୧୧ଟା ୪୧ ମିନିଟରେ ଏହିପରି ଶୂନ୍ୟ ଛାୟା ଅବସ୍ଥା ରହିବ । କର୍କଟ କ୍ରାନ୍ତି ଓ ମକର କ୍ରାନ୍ତି ମଧ୍ୟରେ ଥିବା ଅଂଚଳରେ ବର୍ଷକୁ ଦୁଇ ଥର ଏହିପରି ସ୍ଥିତି ଆସିଥାଏ । ଏହି କ୍ରମରେ ଆସନ୍ତା ଜୁଲାଇ ୨୨ ତାରିଖରେ ପୁଣି ଥରେ ଭୁବନେଶ୍ୱରରେ ହେବ ନୋ ସାଡୋ ଡେ’ ।