ନିଲାମ ହେବନି ଶ୍ରୀଜିଉଙ୍କୁ ଲାଗି ହେଉଥିବା ବସ୍ତ୍ର । ମତ ବଦଳାଇଲେ ନୀତି ପ୍ରଶାସକ । ମୁଖ୍ୟ ପ୍ରଶାସକ କହିଲେ, ଏଭଳି ଯୋଜନା ନାହିଁ ।

45

କନକ ବ୍ୟୁରୋ: ଶ୍ରୀଜିଉଙ୍କ ବସ୍ତ୍ର ନିଲାମ ହେବା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ କହିବା ପରେ ଏବେ ମତ ବଦଳାଇଛନ୍ତି । ନୀତି ପ୍ରଶାସକ ପ୍ରଦୀପ ଦାସ କହିଛନ୍ତି, କେବଳ ଦାନ ଆକାରରେ ମିଳୁଥିବା ଲୁଗାକୁ ନିଲାମ କରାଯିବ । ଶ୍ରୀଜିଉଙ୍କ ଅଙ୍ଗଲାଗି ଲୁଗାକୁ ନିଲାମ କରାଯିବ ନାହିଁ । ସେହିଭଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଭଳି କୈାଣସି ଯୋଜନା କରାଯାଇ ନାହିଁ । ତେବେ ଏହି ପ୍ରତିକ୍ରିୟା ପୁଣି ଏକ ବିବାଦ ତିଆରି କରିଛି । କିଭଳି, ଗୋଟିଏ ନିଷ୍ପତ୍ତି ବାବଦରେ ସଂପୁର୍ଣ୍ଣ ଅବଗତ ନଥାଇ, ଗଣମାଧ୍ୟମରେ ପ୍ରତିକ୍ରିୟା ରଖୁଛନ୍ତି ନୀତି ପ୍ରଶାସକ?

ପୂର୍ବରୁ ନୀତି ପ୍ରଶାସକ ସୂଚନା ଦେଇ କହିଥିଲେ, ମହାପ୍ରଭୁଙ୍କ ପିନ୍ଧା ଲୁଗା ବିକ୍ରି କରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ନିଲାମ ଡକାଯିବ । ଏଥିସହ ଦାନ ଆକାରରେ ମିଳୁଥିବା ବସ୍ତ୍ର ଓ ହୁଣ୍ଡିରୁ ମିଳୁଥିବା ବସ୍ତ୍ରକୁ ବି ଶ୍ରଦ୍ଧାଳୁଙ୍କୁ ଦିଆଯିବ । ବସ୍ତ୍ର ଗୁଡିକର ତାଲିକା ପ୍ରସ୍ତୁତ କରାଯାଇସାରିଛି । ଖୁବଶୀଘ୍ର ଏହାର ଦର ନିର୍ଦ୍ଧାରଣ କରାଯାଇ ନିଲାମ ଡକାଯିବ ।

ଏହି ପ୍ରତିକ୍ରିୟା ପରେ ଆଶା କରାଯାଉଥିଲା, ଶ୍ରୀମନ୍ଦିର ରତ୍ନସିଂହାସନରେ ବିଜେ ଜଗତର ନାଥ ଜଗନ୍ନାଥଙ୍କ ପିନ୍ଧା ବସ୍ତ୍ର ପାଇବେ ଭକ୍ତ । ହେଲେ ପୁଣି ଥରେ ଏଥିରେ ଭଟ୍ଟା ପଡିଛି । ମହାପ୍ରଭୁଙ୍କୁ ଲାଗି ହୋଇଥିବା ପୁରୁଣା ବସ୍ତ୍ର ନିଲାମ କରିବ ନାହିଁ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉଙ୍କୁ ଲାଗି ହେବା ପରେ ବର୍ଷ ବର୍ଷ ଧରି ଏସବୁ ବସ୍ତ୍ରକୁ ପ୍ରଶାସନ ଜମା ରଖିଛିା ଏବେ ଆଉ ଅଧିକ ଲୁଗା ରଖିବାକୁ ଜାଗା ନାହିଁ । ତେଣୁ ସେହି ବସ୍ତ୍ରକୁ ଭକ୍ତଙ୍କୁ ଦେବା ପାଇଁ ନିଲାମ ଡାକିବ ଶ୍ରୀମନ୍ଦିର ପ୍ରଶାସନ । ଏହି ସୂଚନା କନକ ନ୍ୟୁଜକୁ ଦେଇଥିଲେ ନୀତି ପ୍ରଶାସକ ।

ସପ୍ତାହର ୭ ଦିନରେ ୭ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି ଶ୍ରୀଜିଉ । ପ୍ରାୟ ୩୨ ପ୍ରକାରର ଲୁଗା ଲାଗି ହୋଇଥାଏ ମହାପ୍ରଭୁଙ୍କ ପାଖରେ । ପ୍ରତ୍ୟେକ ଦିନ ବିଭିନ୍ନ ନୀତିରେ ଭିନ୍ନ ଭିନ୍ନ ବେଶ ହେବା ସହ ଅନେକ ରକମର ପାଟ ଲୁଗା ଲାଗି ହୋଇଥାଏ । ଏସବୁ ବାଦ୍ ହୁଣ୍ଡିରୁ ହଜାର ହଜାର ଲୁଗା, ଗାମୁଛା, ଧୋତି ଓ ପାଟ କନା ମିଳୁଛି । ସେସବୁର ତାଲିକା ସରିଛି । ଦର ଧାର୍ଯ୍ୟ ପାଇଁ ବିଶେଷଜ୍ଞଙ୍କୁ ଡକାଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଦ୍ୱାରା ୫ ଜଣିଆ କମିଟି ଗଠନ କରାଯାଇ, ଖୁବଶୀଘ୍ର ସେସବୁର ନିଲାମ କରାଯିବ ।

ପୂର୍ବରୁ ମହାପ୍ରଭୁଙ୍କ ରଥର ଅଂଶ ଓ ପତିତପାବନ ବାନା, ଶ୍ରଦ୍ଧାଳୁଙ୍କ ପାଇଁ ବିକ୍ରି କରାଯାଇଛି । ଏସବୁ କିଣିବାକୁ ଭକ୍ତଙ୍କ ମଧ୍ୟରେ ଉକ୍ରଂଠା ବି ଦେଖିବାକୁ ମିଳିଛି । ଏବେ ନିଲାମ ହେବାକୁ ଯାଉଛି, ମହାପ୍ରଭୁଙ୍କୁ ଦାନ ଆକାରରେ ମିଳୁଥିବା ବସ୍ତ୍ର ।