ଏମିତି ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା ! ଗଛ ତଳେ ଚାଲିଛି ସ୍କୁଲ, ୨ ବର୍ଷ ହେଲା ବାରଣ୍ଡା ଓ ଗଛ ମୂଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

99

କନକ ବ୍ୟୁରୋ : ଗଛ ତଳେ ସ୍କୁଲ । ଶୁଣିବାକୁ ଆଶ୍ଚଯ୍ୟ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏମତି ପ୍ରାୟ ୨ ବର୍ଷ ହେବ ପିଜୁଳି ଗଛ ଛାଇ ଓ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ୨୦୧୬ ମସିହାରୁ ପ୍ରଶାସନ ପକ୍ଷରୁ ଅସୁରକ୍ଷିତ ଶ୍ରେଣୀଗୃହ ଭଙ୍ଗା ଯିବା ପରଠୁ ଏଭଳି ଚାଲିଛି ସୁନ୍ଦରଗଡ ରାଏଡିହି ପ୍ରାଥମିକ ବିଦ୍ୟାଳୟ ।

ଗଛଛାଇ ଓ ବାରଣ୍ଡାରେ ପାଠ ପଢୁଛନ୍ତି କୁନି କୁନି ପିଲା । ଏଭଳି ଘଟଣା କେଉଁ ଆଶ୍ରମ କିମ୍ବା ଗୁରୁକୁଳରେ ନୁହେଁ ବରଂ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ରାଏଡିହି ପ୍ରାଥମିକ ବିଦ୍ୟାଳୟରେ ଏମିତି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ୨୦୧୬ ମସିହାରେ ସ୍କୁଲର ପୁରୁଣା ଘରକୁ ଅସୁରକ୍ଷିତ ଘୋଷଣା କରି, ପ୍ରଶାସନ ଭାଙ୍ଗି ଦେବା ପରଠୁ ଏମିତି ପାଠପଢୁଛନ୍ତି ୫ଟି ଶ୍ରେଣୀର ୮୯ ଜଣ ଛାତ୍ରଛାତ୍ରୀ ।

ସ୍କୁଲରେ ଶ୍ରେଣୀ ଗୃହ ପାଇଁ ଏନଟିପିସି ସୁପର ଥର୍ମାଲ ପାୱାର ପ୍ଲାଂଟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ୱାର ଭିତିପ୍ରସ୍ତର ସ୍ଥାପନ ମଧ୍ୟ କରାଯାଇଛି, ହେଲେ ଆଜି ଯାଏଁ ସ୍କୁଲ ଘର ପାଇଁ ଇଟା ଖଣ୍ଡେ ବି ପଡିନି । ଗଛମୂଳେ ସ୍କୁଲ ଚାଲିଥିବା ବେଳେ ଆସନ୍ତା ଶିକ୍ଷା ବର୍ଷ ଆଗରୁ ରାଏଡିହି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି ସର୍ବଶିକ୍ଷା ଅଭିଯାନର ଜିଲ୍ଲା ସଂଯୋଜକ କହିଛନ୍ତି ।

ପ୍ରାଥମିକ ଶିକ୍ଷାର ବିକାଶ କରାଯିବ, ଏଥିପାଇଁ ସର୍ବଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ମାଗଣା ସାଇକେଲ ଡ୍ରେସ ବାଂଟୁଛନ୍ତି ସରକାର । ହେଲେ ଯେଉଁଠି ବସିବାକୁ ଶ୍ରେଣୀ ଗୃହ ନାହିଁ ସେଠାରେ ଏସବୁର ମାନେ କଣ ।