ଲାଲ କରିଡରରେ ତାତିଲେ ବିଚ୍ଛିନ୍ନାଂଚଳବାସୀ : ମୌଳିକ ସୁବିଧା ପାଇଁ ଦୁଇ ଦଫା ଦାବି ନେଇ ରାସ୍ତାକୁ ଓଲ୍ହାଇଲେ ଆଦିବାସୀ

49

କନକ ବ୍ୟୁରୋ : ଲାଲ କରିଡରରେ ତାତିଲେ ବିଚ୍ଛିନ୍ନାଂଚଳବାସୀ । ମୌଳିକ ସୁବିଧା ପାଇଁ ଦୁଇ ଦଫା ଦାବି ନେଇ ରାସ୍ତାକୁ ଓଲ୍ହାଇଲେ ଲାଲଗଡରେ ଜୀବନ ସହ ସଂଘର୍ଷ କରୁଥିବା ଆଦିବାସୀ । ପିଚୁ ରାସ୍ତା ଓ ସରକୁବନ୍ଧ ପୋଲ ନିର୍ମାଣ ସାରିବା ଦାବିରେ ମେଳି ବାନ୍ଧିଛନ୍ତି ଚିତ୍ରକୋଣ୍ଡା ବ୍ଲକ ରାଲେଗଡ ପଂଚାୟତର ଗ୍ରାମବାସୀ ।

ହାତରେ ବ୍ୟାନର ଓ ପ୍ଲା-କାର୍ଡ ଧରି ରାଲିରେ ବାହାରିଛନ୍ତି ଅଦିବାସୀ । ନିଜ ଅଂଚଳର ମୌଳିକ ସୁବିଧା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ରାଲେଗଡ ପଂଚାୟତର ଟେକପଦର, ବିଡିଆଗୁଡା, ହାଟପଦା ଓ ନୂଆ ଟେକପଦର ଗ୍ରାମବାସୀ । ଲାଲଗଡରେ ରହୁଥିବା ଏହି ଆଦିବାସୀଙ୍କ ପାଇଁ ଗମନାଗମନ ସମସ୍ୟା ମୁଖ୍ୟ ସମସ୍ୟା ଭାବେ ଠିଆ ହୋଇଛି । ବିଚ୍ଛିନ୍ନାଂଚଳରେ ପିଚୁ ରାସ୍ତା ସହ ସରକୁବନ୍ଧ ପୋଲ କାମ ଶେଷ କରିବା ପାଇଁ ଦାବି ଜୋର ଧରିଛି ।

ବିଚ୍ଛିନ୍ନାଚଂଳର ଥିବା ଏହି ୪ ଖଣ୍ଡ ଗାଁକୁ ରାସ୍ତାଟିଏ ନଥିବାରୁ ପାହାଡିଆ ରାସ୍ତା ଯିବା ଆସିବା କରିବାକୁ ପଡେ । ଏମିତିକି ପଂଚାୟତ ଅଫିସକୁ ପିଡିଏସ ସାମଗ୍ରୀ ଆଣିବା ପାଇଁ ହିତାଧିକାରୀଙ୍କୁ ପାହାଡ, ନଦୀ, ଝରଣା ପାର ହୋଇ ଯା’ଆସ କରିବାକୁ ପଡେ । ରାସ୍ତା ଟିଏ ନଥିବାରୁ ଗାଁରେ ପହଂଚି ପାରିନି ଆମ୍ବୁଲାନ୍ସ, କି ପହଂଚି ପାରନ୍ତି ଆଶାକର୍ମୀ । ଫଳରେ ରୋଗୀ ହୁଅନ୍ତୁ ବା ଆସନ୍ନ ପ୍ରସବା ସମସ୍ତଙ୍କୁ ନଦୀ ନାଳ ପାରି ହେବାକୁ ପଡେ । ଆଗାମୀ ଦିନରେ ସରକାର ବିଚ୍ଛିନ୍ନାଂଚଳବାସୀଙ୍କ ଦାବୀ ପୂରଣ ନକରନ୍ତି ତେବେ, ବ୍ଲକ ଅଫିସରେ ତାଲା ପକାଇ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।