ଜଟଣୀରେ ବଡ ରାଲି କି ସମାବେଶ କରିବେନି ସୁର ରାଉତରାୟ ! ଜାଣନ୍ତୁ କ’ଣ ରହିଛି କାରଣ ।

275

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ପ୍ରଚାର ପ୍ରସାର ସେତିକି ବଢିବାରେ ଲାଗିଛି । ବିଶେଷ କରି, ପୋଷ୍ଟର ଏବଂ ବ୍ୟାନରରେ ଛାଉଣି ହୋଇଯାଇଛି ନିର୍ବାଚନୀ କ୍ଷେତ୍ର । ଆଉ ଏସବୁ ଭିତରେ ଜଟଣୀରୁ ସାମ୍ନାକୁ ଆସିଛି ଏକ ବଡ ଖବର । ଜଟଣୀ ଆସନରେ ମଇଦାନକୁ ଓହ୍ଲାଇଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନେଇଛନ୍ତି ବଡ ନିଷ୍ପତ୍ତି ।

ଆଗାମୀ ନିର୍ବାଚନରେ ଜଟଣୀ ଠାରେ କୌଣସି ନିର୍ବାଚନୀ ସଭା କରିବନି କଂଗ୍ରେସ । ଏହା ସହ ଯେତିକି ଆବଶ୍ୟକ, ସେତିକି ବ୍ୟାନର ଓ ପୋଷ୍ଟର ଲଗାଯିବ । ବଡ ଧରଣର କୌଣସି କାର୍ଯ୍ୟକ୍ରମ କିମ୍ବା ନିର୍ବାଚନୀ ରାଲି କରାଯିବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି । ଚେବେ ସବୁଠାରୁ ବଡ କଥା ହେଉଛି, ଏହି ସବୁ ନିର୍ବାଚନୀ ପ୍ରଚାରରେ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା, ସେହି ଟଙ୍କାରୁ କିଛି ଅଂଶ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପରିବାରକୁ ଦିଆଯିବ ବୋଲି ସେ କହିଛନ୍ତି । ଏହା ସହ ଜଟଣୀଠାରେ ଏକ ରିଲିଫ ଫଣ୍ଡ କରାଯାଇଛି । ଯାହା ଫଳରେ ଜଟଣୀ ନିର୍ବାଚନ ମଣ୍ଡଳୀରେ କୌଣସି ଦୁର୍ଘଟଣା ଘଟିଲେ, ଘରପୋଡି ହେଲେ କିମ୍ବା କୌଣସି କ୍ଷୟକ୍ଷତି ହେଲେ, ଉକ୍ତ ବ୍ୟକ୍ତିଙ୍କୁ ଏହି ରିଲିଫ ଫଣ୍ଡରୁ ସହାୟତା ପ୍ରଦାନ କରାଯିବ ।

ଗୋଟିଏ ବିଜେଡି ସୁପ୍ରିମୋ ହାଇଟେକ୍ ପ୍ରଚାର କରୁଥିବା ବେଳେ, ଅନ୍ୟପଟେ ବିଜେପି ମଧ୍ୟ ଜୋରଦାର ପ୍ରଚାର କରୁଛି । ଏହା ସତ୍ୱେ ମଧ୍ୟ ଜଟଣୀରେ କଂଗ୍ରେସ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ଜଟଣୀରେ ନିର୍ବାଚନ ମଣ୍ଡଳୀରେ ନବୀନ ପଟ୍ଟନାୟକ କିମ୍ବା ନରେନ୍ଦ୍ର ମୋଦିଙ୍କର କୌଣସି ପ୍ରଭାବ ପଡିବନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୫୦ ବର୍ଷ ଧରି ସେ ଏହି ନିର୍ବାଚନ ମଣ୍ଡଳୀରେ କାମ କରିଆସୁଥିବାରୁ ଜନସାଧାରଣ ତାଙ୍କ ଉପରେ ଭରସା କରିବେ ଏବଂ ସେ ନିଶ୍ଚିକ ଭାବରେ ବିଜୟ ଲାଭ କରିବେ । ତେବେ ରାଜ୍ୟରେ ବିଜେଡିର ହାଇଟେକ୍ ପ୍ରଚାର ଚାଲିଥିବା ବେଳେ, ସେପଟେ ବିଜେପି ମଧ୍ୟ ଜୋରଦାର କ୍ୟାମ୍ପେନ୍ କରୁଛି । ଆଉ ଏହାରି ଭିତରେ ସୁର ରାଉତରାୟଙ୍କ ଏଭଳି ନିଷ୍ପତ୍ତି କେତେଦୂର ତାଙ୍କୁ ସହାୟକ ହେଉଛି, ତାହା ସମୟ ହିଁ କହିବ ।