ବର୍ଷା ନାହିଁ କି ବନ୍ୟା ନାହିଁ ତଥାପି ବୁଡିଲା ଘର : ସ୍ମାର୍ଟସିଟି ଭୁବନେଶ୍ୱରର ମଧ୍ୟସ୍ଥଳରେ ଅଭାବନୀୟ ଦୃଶ୍ୟ

52

କନକ ବ୍ୟୁରୋ : ସୁ ସୁ ଗର୍ଜନ କରି ଘର ଭିତରୁ ବୋହି ଯାଉଛି ପାଣିର ଧାର । ଘର ଭିତରେ ୫ ଫୁଟର ପାଣି । ଘର ବାହାରେ ପାଣି ସୁଅ । ରାସ୍ତା ଉପରେ ଆଣ୍ଠୁଏଁ ଉଚାରେ ପାଣି ବୋହୁଛି । ପାଣି ବାହାର କରିବାକୁ ସାହି ପଡିଶା ମାନେ ଘରୁ ବାହାର ଯାଏଁ ଲାଗି ପଡିଛନ୍ତି । ଏହି ଚିତ୍ର ହେଉଛି ଆମ ସ୍ମାର୍ଟ ସିଟି ଭୁବନେଶ୍ୱରର ଖାରବେଳନଗର ସ୍ଥିତ ପଞ୍ଜାବୀ କଲୋନୀର । ଚାରିଆଡେ ଖାଲି ପାଣି ଆଉ ପାଣି ।

ଘରେ ସମସ୍ତେ ଶୋଇଥିବା ବେଳେ, ହଠାତ ଅଧ ରାତିରେ ଘରେ ପାଣି ପଶିଲା କେଉଁଠୁ । ଏହାର ଅନୁସନ୍ଧାନ କରିବା ପାଇଁ ସକାଳେ ପଂହଚି ଥିଲେ ପି.ଏଚ.ଡିର ଅଧିକାରୀ । ଆଉ ଜଣା ପଡିଲା ଘରର ୧୨ ଫୁଟ ତଳେ ଥିବା ପି.ଏଚ୍.ଡି ପାଣି ପାଇପ ଫାଟି ଯାଇଥିଲା । ଏବଂ ଏହି ପାଣି ମାର୍ବଲ ଫଟାଇ ପ୍ରବଳ ବେଗରେ ଘର ଭିତରେ ପଶିଥିଲା ।

ଜନ ସ୍ୱାସ୍ଥ୍ୟ ବିଭାଗ ବା ପି.ଏଚ୍.ଡିର ଅଧିକାରୀ କହୁଛନ୍ତି ଭୁବନେଶ୍ୱରରେ ଏମିତି ଅନେକ ଘର ଅଛି ଯାହାର ମାଟି ତଳେ ପାଣି ପାଇପ ଯାଇଛି । ପ୍ରଶ୍ନ ଉଠୁଛି ଘର ତଳେ ପାଇପ ଯାଇଥିବା ବେଳେ, ଠିକ ତା ଉପରେ ଘର ନିର୍ମାଣ ପାଇଁ ଅନୁମତି କେମିତି ମିଳୁଛି ?