ଏବର୍ଷ ଖରାଦିନେ ରାଜ୍ୟରେ ହେବନି ବିଦ୍ୟୁତ କାଟ : ଶକ୍ତି ବିଭାଗ ସଚିବଙ୍କ ସୂଚନା

466

କନକ ବ୍ୟୁରୋ : ଏବର୍ଷ ଗ୍ରୀଷ୍ମ ସମୟରେ ବିଦ୍ୟୁତ୍‌ କାଟ୍‌ ହେବନି । ବିଗତ ବର୍ଷ ଗୁଡ଼ିକ ତୁଳନାରେ ଏଥର ରାଜ୍ୟରେ ବିଦ୍ୟୁତ୍‌ ଚାହିଦା ଓ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାସତ୍ତ୍ବେ ବି ଗରମ ସମୟରେ ବିଦ୍ୟୁତ୍‌ କାଟ୍‌ କରାଯିବ ନାହିଁ ବୋଲି ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି । ଏହାବ୍ୟତୀତ ଗ୍ରୀଷ୍ମ ସମୟ‌ ଅର୍ଥାତ୍‌ ମେ’ ୧ରୁ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ୩୦ ପର୍ଯ୍ୟନ୍ତ ଶ୍ରମିକମାନେ ବାହାରେ ପରିଶ୍ରମ କରିବେନି ।

ସବୁ ପ୍ରକାର ବିଦ୍ୟାଳୟ ସକାଳ ୬ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ । ୧୧ ସୁଦ୍ଧା ଯେମିତି ଛାତ୍ରଛାତ୍ରୀ ଘରେ ପହଞ୍ଚିବେ ସେଥିପ୍ରତି ବିଦ୍ୟାଳୟ କର୍ତୃପକ୍ଷ ଗୁରୁତ୍ବ ଦେବେ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ । କୌଣସି ସ୍ଥାନରେ ଯଦି ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ନିୟମ ଉଲ୍ଲଂଘନ କରନ୍ତି ‌ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

ସଚିବାଳୟଠାରେ ଅନୁଷ୍ଠିତ ବୈଠକରେ ସମସ୍ତ ନଳକୂପ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର‌୍ୟ୍ୟକ୍ଷମ କରିବା ସହ ଲଗାତାର ମରାମତି ଓ ରକ୍ଷଣାବେକ୍ଷଣ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପଞ୍ଚାୟତିରାଜ ଓ ଜଳ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ନାଗରିକ ସମିତିମାନଙ୍କୁ ସାମିଲ କରି ଗ୍ରାମ ଓ ପଞ୍ଚାୟତସ୍ତରରେ ସଚେତନତା କାର‌୍ୟ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି । ସରକାରୀ ଡାକ୍ତରଖାତାରେ ଅଂଶୁଘାତ ରୋଗୀଙ୍କର ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି । ଏଥିସହ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଅଂଶୁଘାତ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ଅନବରତ ବିଦ୍ୟୁତ୍‌ ଯୋଗାଣ ବଜାୟ ରଖିବାକୁ ଶକ୍ତି ବିଭାଗକୁ ନିର୍ଦେଶ ଦିଆଯାଇଛି ।

 

ସମସ୍ତ ପାନୀୟ ଜଳ ପ୍ରକଳ୍ପର ପ୍ରାକ୍‌-ଗ୍ରୀଷ୍ମକାଳୀନ ମରାମତି ସରିଛି । ସେଗୁଡ଼ିକ ବର୍ତମାନ କାର୍ଯ୍ୟକ୍ଷମ ରହିଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ସୂଚନା ଦେଇଥିଲେ । ସ୍ବତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ କହିଥିଲେ ସମସ୍ତ ଜିଲ୍ଲାସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଛି । ଜିଲ୍ଲାସ୍ତରୀୟ ପ୍ରସ୍ତୁତି ଅନୁଯାୟୀ ରାଜ୍ୟସ୍ତରୀୟ କାର୍ଯ୍ୟ ପ୍ରସ୍ତୁତ ହୋଇଛି । ଚଳିତବର୍ଷ ବ୍ଲକ ଓ ଜିଲ୍ଲାସ୍ତରରେ ଗ୍ରୀଷ୍ମ ପ୍ରବାହ ସ୍ଥିତିର ଅନୁଧ୍ୟାନ ଓ ପୂର୍ବାନୁମାନ ବ୍ୟବସ୍ଥା ହୋଇଛି ।