ବିଜେଡି ସୁପ୍ରିମୋଙ୍କ ନୂଆ ଷ୍ଟ୍ରାଟେଜି ! ନବୀନଙ୍କ ସଭାରେ ମଞ୍ଚରେ ମିଳୁନି ନେତାଙ୍କ ଦର୍ଶନ, ଜନତାଙ୍କୁ ସାଥୀରେ ନେଇ ମାପିଚୁପି ଗୋଟିଚାଳନା କରୁଛନ୍ତି ବିଜେଡି ମୁଖିଆ

469

କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ନିର୍ବାଚନୀ ବୈତରଣୀ ପାର ହେବାକୁ ନୀଳ ନକ୍ସା ପ୍ରସ୍ତୁତ କରୁଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ଦଳର ମୁଖିଆ ମାନେ ଏନେଇ ଏବେଠୁ ଅଙ୍କକଷା ଆରମ୍ଭ କରିଛନ୍ତି । ଆଉ ଏହି ରେସରେ ଗୋଟିଏ ପାଦ ଆଗରେ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୯ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ମାପିଚୁପି ଗୋଟି ଚାଳନା କରୁଛନ୍ତି ନବୀନ । କାହାକୁ ଟିକେଟ ମିଳିବ ସେନେଇ କୌଣସି ସ୍ପଷ୍ଟ ସଂକେତ ଦେଉନାହାନ୍ତି ବିଜେଡି ମୁଖିଆ । ଯାହାର ଝଲକ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ଯେପରି ବିଜେଡିରେ କୌଣସି ଅନ୍ତଃକନ୍ଦଳ ସୃଷ୍ଟି ନ ହେବ ସେଥିପାଇଁ ନବୀନ ନୂଆ ଫର୍ମୁଲା ବାହାର କରିଥିବା ଚର୍ଚ୍ଚା ହେଉଛି ।

ନବୀନଙ୍କ ନୂଆ ଟ୍ରେଣ୍ଡ । ନେତା ପଛ, ଜନତା ଆଗ । ନବୀନଙ୍କ ସଭାରେ ଏଭଳି କିଛି ଚିତ୍ର ଏବେ ଦେଖିବାକୁ ମିଳୁଛି । ଏହାଦ୍ୱାରା ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ସହ ରାଜନୀତି ମୈଦାନରେ ପୋଖତ ଖେଳାଳି ଭାବେ ଉଭା ହୋଇଛନ୍ତି ନବୀନ । କାଳିଆ ସମାବେଶ ହେଉ ଅବା ମିଶନ ଶକ୍ତି । ନବୀନଙ୍କ ପ୍ରତ୍ୟେକ ସମାବେଶରେ ନେତାଙ୍କୁ ମଞ୍ଚ ତଳେ ଓ ଜନତାଙ୍କୁ ମଞ୍ଚ ଉପରେ ଦେଖିବାକୁ ମିଳୁଛି । ଆଉ ଏଭଳି କରି ନବୀନ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଯାହାକୁ ସାଧାରଣ ଲୋକ ମଧ୍ୟ ବେଶ ପସନ୍ଦ କରିଛନ୍ତି । ନବୀନଙ୍କ ଏହି ନୂଆ ଫର୍ମୁଲା ବିଜେଡିକୁ ମଧ୍ୟ ଡବଲ ଫାଇଦା ଦେଉଛି ବୋଲି ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ କାଳିଆ ଯୋଜନାରେ ଚାଷୀ ଓ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କ ପାଖରେ ବିଜେଡି ସରକାର ପହଞ୍ଚିବାକୁ ପ୍ରୟାସ ଚଳାଇଛି । ଆଉ ଏହାସହ ନିଜ କାର୍ଯ୍ୟକ୍ରମରେ ନବୀନ ନିଜ ସହ ମଞ୍ଚ ସେୟାର କରିବାର ସୁଯୋଗ ଦେଇ ମହିଳା ଓ କୃଷକମାନଙ୍କ ମନ ଜିଣିବାରେ ମଧ୍ୟ ସକ୍ଷମ ହେଉଛନ୍ତି । ଏଭଳି କରି ସିଧାସଳଖ ସାଧାରଣ ଲୋକଙ୍କ ସହ ଯୋଡି ହେବାର ସୁଯୋଗକୁ ହାତଛଡା କରୁନାହାନ୍ତି ନବୀନ । ଯାହା ଆଗାମୀ ନିର୍ବାଚନରେ ଭୋଟରେ ପ୍ରତିଫଳିତ ହେବ ବୋଲି ଚର୍ଚ୍ଚା ହେଉଛି ।

ବିଜେଡି ସୁପ୍ରିମୋଙ୍କ ଏହି ଫର୍ମୁଲାର ଅନ୍ୟ ଏକ ପାଶ୍ୱର୍ ଉପରେ ଯଦି ନଜର ପକାଇବା ତେବେ ମଞ୍ଚ ଉପରେ ନେତାଙ୍କ ବଦଳରେ ଜନତାଙ୍କ ସାଥୀରେ ନବୀନ ବସିବା ପଛରେ ମଧ୍ୟ ଏକ ବଡ କାରଣ ରହିଛି । ୨୦୧୯ ନିର୍ବାଚନରେ ଶାସକ ବିଜେଡିର ଅନେକ ବିଧାୟକଙ୍କ ଟିକେଟ କଟାଯିବ ବୋଲି ଦଳୀୟ ଅନ୍ଦରମହଲରେ ଚର୍ଚ୍ଚା ହେଉଛି । ଏପରିକି ଏହି ତାଲିକାରେ ଅନେକ ହେଭିୱେଟ ନେତାଙ୍କ ନାଁ ମଧ୍ୟ ରହିଛି । ଆଉ ଏସବୁ ଭିତରେ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ନୂଆ ଷ୍ଟ୍ରାଟେଜିର ମଧ୍ୟ ବେଶ ଗୁରୁତ୍ୱ ରହିଛି । ଏହା ମୁଖ୍ୟତଃ ଦୁଇଟି ଦିଗ ଆଡକୁ ସଂକେତ ଦେଉଛି । ପ୍ରଥମତଃ ମଞ୍ଚ ଉପରେ ନେତା କିମ୍ବା ବିଧାୟକଙ୍କୁ ନ ବସାଇ ନବୀନ କାହାର ଟିକେଟ ଫାଇନାଲ ହୋଇନାହିଁ ବୋଲି ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ଅନ୍ୟପଟେ ଆଶାୟୀ ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ କରିବା କିମ୍ବା ସେମାନଙ୍କ ମନରେ ଟିକେଟକୁ ନେଇ ଦ୍ୱନ୍ଦ ସୃଷ୍ଟି କରିବାକୁ ଚାହୁଁନାହାନ୍ତି ନବୀନ । ତେଣୁ ଏଭଳି ଏକ ନୂଆ ଫର୍ମୁଲାକୁ ଆପଣାଇ ନେଇଛନ୍ତି ବିଜେଡି ସୁପ୍ରିମୋ ।

୨୦୧୯ରେ କିଏ ପାଇବ ବିଜେଡି ଟିକେଟ । ଏଭଳି ଏକ ପ୍ରଶ୍ନ ବିଜେଡିର ବିଧାୟକ ଓ ନେତା ମାନଙ୍କ ମଧ୍ୟରେ ଉଙ୍କି ମାରୁଥିବା ବେଳେ ଏହି ସସପେନ୍ସକୁ ବଢାଇ ଦେଉଛି ନବୀନଙ୍କ ବିଭିନ୍ନ ସମାବେଶ । ଖାସକରି ଯେଉଁ ବିଧାୟକ କିମ୍ବା ନେତାମାନେ ନବୀନଙ୍କ ସହ ମଞ୍ଚ ସେୟାର କରି ନିର୍ବାଚନମଣ୍ଡଳୀରେ ଦବବଦା ଜାହିର କରିବାକୁ ସ୍ୱପ୍ନ ଦେଖୁଥିଲେ ସେମାନଙ୍କୁ ଲାଗିଛି ବଡ ଝଟକା । କିନ୍ତୁ ନବୀନଙ୍କ ଏହି ଫର୍ମୁଲା ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କୁ ବେଶ ଖୁସି କରିଛି । ଯାହା ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାରେ ମଧ୍ୟ ସକ୍ଷମ ହୋଇଛି । କାରଣ ଅଧିକାଂଶ ସମୟରେ ନିଜର ଶକ୍ତି ଦେଖାଇବାକୁ ମଞ୍ଚ ଉପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାନ୍ତି ଦଳୀୟ ନେତା । ଏହାଛଡା ସମାବେଶରେ ନେତା ନୁହେଁ ବରଂ ଜନତାଙ୍କୁ ଅଗ୍ରାଧିକାର ଦେଉଛନ୍ତି ବିଜେଡି ସୁପ୍ରିମୋ । ନବୀନଙ୍କ ନୂଆ ଷ୍ଟ୍ରାଟେଜିରେ ମଞ୍ଚ ଉପରେ ନେତା ନୁହେଁ ବରଂ ଜନତା କହୁଛନ୍ତି ମନର କଥା । ସେଥିରେ ରାଜନୀତିର ବାସ୍ନା ନୁହେଁ ବରଂ ରହୁଛି ବିକାଶର ଗାଥା । ଆଉ ଏଭଳି କରି ଉଭୟ ମହିଳା ଓ ଚାଷୀଙ୍କ ଭୋଟବ୍ୟାଙ୍କ ହାତେଇବାକୁ ବିଜେଡି ଲକ୍ଷ୍ୟ ରଖିଥିବା ବେଳେ ଦଳୀୟ ଅସନ୍ତୋଷକୁ ମଧ୍ୟ ପ୍ରଶମିତ କରିବାରେ ସଫଳ ହୋଇଛନ୍ତି ।