ବଲାଙ୍ଗୀର-ବିଛୁପାଲି ରୁଟ୍ ଟ୍ରେନ୍ ପାଇଁ ମିଳୁନାହାନ୍ତି ଯାତ୍ରୀ ! ଇନ୍ଧନ ବାବଦରେ ହେଉଥିବା ଖର୍ଚ୍ଚ କିପରି ଉଠିବ, ଚିନ୍ତାରେ ରେଳବିଭାଗ

330

କନକ ବ୍ୟୁରୋ : ବଲାଙ୍ଗୀରରୁ ବିଛୁପାଲିକୁ ଟ୍ରେନ ଗଡ଼ିଛି । ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ବଲାଙ୍ଗୀର ପଟୁ ଖୋର୍ଦ୍ଧା ଲାଇନରେ ଟ୍ରେନ ଗଡ଼ି ବହୁ ଦିନର ସ୍ୱପ୍ନ ପୂରା ହୋଇଛି । କିନ୍ତୁ ବିଛୁପାଲି ଯାଏଁ ୧୫କିମି ରାସ୍ତା ଯିବାକୁ ଯାତ୍ରୀ ହେଉ ନାହାନ୍ତି । ରେଳ ବିଭାଗ ପ୍ରତ୍ୟହ ଟ୍ରେନରେ ଇନ୍ଧନ ବାବଦକୁ ଯେତେ ଖର୍ଚ୍ଚ କରିବ ସେତିକି ଟଙ୍କା କିଭଳି ରୋଜଗାର କରିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆ ଟ୍ରେନର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ଶହଶହ ଯାତ୍ରୀ ଟ୍ରେନରେ ଯିବା ଆସିବା କରିଥିଲେ । କିନ୍ତୁ ପ୍ରଆଜି ଦ୍ୱିତୀୟ ଦିନରେ ମାତ୍ର ୩୨୦ ଟଙ୍କାର ଟିକେଟ୍ ବିକ୍ରି ହୋଇଛି । ଦିନ ସାରା ଉଭୟ ଷ୍ଟେସନରେ ସମୁଦାୟ ୩୨ଟି ଟିକଟ ବିକ୍ରି ହୋଇଛି ।

ସୂଚନାଯୋଗ୍ୟ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ଓ ଅପରାହ୍ଣରେ ଦୁଇ ଥର ଟ୍ରେନ ବଲାଙ୍ଗୀରରୁ ବିଛୁପାଲି ଏବଂ ବିଛୁପାଲିରୁ ବଲାଙ୍ଗୀରକୁ ଯିବା ଆସିବା କରିଥିଲା । ଦ୍ୱିତୀୟ ଦିନରେ ସକାଳ ୬ଟା ଟ୍ରେନରେ ବଲାଙ୍ଗୀର ପଟୁ ୫ ଜଣ ଯାତ୍ରୀ ବିଛୁପାଲିକୁ ଯାଇଥିଲେ । ସେପଟୁ ସକାଳ ୭ଟାରେ ଟ୍ରେନ ଫେରିବା ବେଳେ କୌଣସି ଯାତ୍ରୀ ନଥିଲେ । ଗୋଟିଏ ମଧ୍ୟ ଟିକଟ ବିଛୁପାଲିରୁ ସକାଳ ଟ୍ରେନରେ କଟିନଥିଲା । ଅପରାହ୍ଣ ୧ଟାରେ ବଲାଙ୍ଗୀର ଷ୍ଟେସନରୁ ଗାଡ଼ି ପୁଣି ବିଛୁପାଲିକୁ ଛାଡ଼ିଥିଲା । ସେଥିରେ ୧୩ ଜଣ ଯାତ୍ରୀ ଟିକଟ କାଟି ବିଛୁପାଲିକୁ ଯାଇଥିଲେ। ସେଥିମଧ୍ୟରୁ ଅନେକ ବିଛୁପାଲି ଷ୍ଟେସନ ବୁଲିବାକୁ ଏବଂ ନୂତନ ଟ୍ରେନରେ ବସିବା ପାଇଁ ଯାଇଥିଲେ ।

ଅପରାହ୍ଣରେ ବିଛୁପାଲିରୁ ଫେରିବା ସମୟରେ ବିଛୁପାଲି ଷ୍ଟେସନ ଦେଖିବାକୁ ଯାଇଥିବା କେତେ ଜଣ ଯାତ୍ରୀ ଓ ସେପଟୁ ଆଉ କେତେ ଜଣ ଯାତ୍ରୀ ମିଶି ସମୁଦାୟ ୧୪ ଜଣ ଟିକଟ କାଟି ଟ୍ରେନରେ ବିଛୁପାଲିରୁ ବଲାଙ୍ଗୀର ଫେରିଥିଲେ । ସମୁଦାୟ ବଲାଙ୍ଗୀର ଷ୍ଟେସନରେ ୧୮ଟି ଟିକଟ ବିକ୍ରି ହୋଇଥିବା ବେଳେ ବିଛୁପାଲି ଷ୍ଟେସନରେ ୧୪ ଟିକଟ ଏଭଳି ମୋଟ ୩୨ଟି ଟିକଟ ବିକ୍ରି ହୋଇଛି । ଗୋଟିଏ ଟିକଟର ମୂଲ୍ୟ ୧୦ ଟଙ୍କା ରହିଛି ଓ ଟ୍ରନର ଆୟ ମାତ୍ର ୩୨୦ ଟଙ୍କା ହୋଇଛି । ଯାହାକୁ ନେଇ ଏବେ ଅନେକ ବୁଦ୍ଧିଜୀବୀ ଭିନ୍ନ ମତ ରଖୁଛନ୍ତି । ରେଳ ବିଭାଗ ତୁରନ୍ତ କାମକୁ ତ୍ୱରାନ୍ୱିତ କରି ଝାରତରଭା-ସୋନପୁର-ବୌଦ୍ଧ ଯାଏଁ ଲାଇନ ବିଛାଇ ଟ୍ରେନ ଆଗକୁ ଗଲେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବ । ଏହାସହ ଲୋକେ ଆହୁରି ଉପକୃତ ହୋଇପାରିବେ ବୋଲି ମତ ଦେଇଛନ୍ତି ।