ଫୁଟାଣିରେ ନଂ-୧ ମାଲ୍ୟା ! ଭାରତରୁ କୋଟି କୋଟି ଟଙ୍କାର ଠକେଇ କରି ମୋ ଘରେ କେହି ହାତ ମାରି ପାରିବେନି କୁହନ୍ତି ମାଲ୍ୟା । 

27

ଭାରତୀୟ ବ୍ୟାଙ୍କଗୁଡ଼ିକର ୯୦୦୦ କୋଟି ଟଙ୍କା ଠକେଇ କରି ଭାରତ ଛାଡ଼ି ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ବ୍ରିଟେନରେ କୌଣସି ସମ୍ପତ୍ତି ନାହିଁ। ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ ନିକଟରେ ବ୍ରିଟେନ୍ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାର କୌଣସି ପ୍ରଭାବ ମାଲ୍ୟାଙ୍କ ଉପରେ ପଡ଼ିବ ନାହିଁ। ଏଭଳି ମୁହଁ ଫୁଟାଣି ମାରିଛନ୍ତି ମାଲ୍ୟା। ଏ ସମ୍ପର୍କରେ ମାଲ୍ୟା କହିଛନ୍ତି ଯେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀମାନଙ୍କୁ ସେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ। କିନ୍ତୁ ସେମାନଙ୍କ ପାଖରେ କରିବାକୁ କିଛି କାମ ରହିବନି। କାରଣ ବ୍ରିଟେନରେ ଯେଉଁ ବିଳାସପୂର୍ଣ୍ଣ ଘରେ ସେ ରହୁଛନ୍ତି ତାହା ତାଙ୍କ ନାମରେ ନାହିଁ। ଏହି ଘର ତାଙ୍କ ମା’ଙ୍କ ନାମରେ ରହିଛି। ବ୍ରିଟେନରେ ଥିବା ଏକ ବିଳାସପୂର୍ଣ୍ଣ ଘର ମାଲ୍ୟାଙ୍କ ସନ୍ତାନସନ୍ତତିଙ୍କ ନାମରେ ରହିଛି। ତେଣୁ ସରକାରଙ୍କ ତରଫରୁ ତାହାକୁ କେହି ଛୁଇଁପାରିବେ ନାହିଁ ବୋଲି ମାଲ୍ୟା କହିଛନ୍ତି। ମୁଁ କେବେ ବି ବାସହୀନ ହେବିନାହିଁ। କାରଣ, କୋର୍ଟ କେବଳ ସେହି ସବୁ ସମ୍ପତ୍ତି ଜବତ କରିପାରିବେ ଯାହା ମୋ ନାମରେ ରହିଛି।

ଅନ୍ୟ କୌଣସି ସମ୍ପତ୍ତିକୁ ସେମାନେ ଜବତ କରିପାରିବେ ନାହିଁ ବୋଲି ମାଲ୍ୟା କହିଛନ୍ତି। ବ୍ରିଟେନ୍ରେ ଥିବା ନିଜ ସମ୍ପତ୍ତି ବିଷୟରେ ସୂଚନା ଦେଇ ମାଲ୍ୟା କହିଛନ୍ତି ଯେ, ମୋର ବ୍ରିଟେନରେ ଯାହା ସବୁ ସମ୍ପତ୍ତି ରହିଛି, ସେ ବିଷୟରେ ମୁଁ ବ୍ରିଟେନର କୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇ ଦେଇଛି। କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସେଗୁଡ଼ିକୁ ଜବତ କରାଯାଇପାରିବ। ମାଲ୍ୟା କହିଛନ୍ତି ଯେ, ମୋ ପାଖରେ କେତେ ଖଣ୍ଡ କାର୍ ଓ କିଛି ଗହଣା ରହିଛି। ସେଗୁଡ଼ିକୁ ଜବତ କରିବା ପାଇଁ ମୋ ଘରକୁ କେହି ଆସିବା ଦରକାର ନାହିଁ। ମୋତେ ସମୟ, ତାରିଖ ଓ ସ୍ଥାନ ବିଷୟରେ ସୂଚନା ଦେଲେ ମୁଁ ସେ ସବୁ ସମ୍ପତ୍ତିକୁ ସେହି ସ୍ଥାନରେ ନେଇ ପହଞ୍ଚାଇ ଦେବି। ତାଙ୍କ ନାମରେ ଥିବା ବିଳାସପୂର୍ଣ୍ଣ ’ଇଣ୍ଡିଆନ୍ ଏମ୍ପ୍ରେସ୍’ ବୋଟ୍ ସାତ ବର୍ଷ ହେଲାଣି ନିଲାମ ହୋଇସାରିଛି। ସେହି ବ୍ୟକ୍ତିଙ୍କ ନାମ ସେ ପ୍ରକାଶ କରି ନଥିଲେ ମଧ୍ୟ ମଧ୍ୟ ପ୍ରାଚ୍ୟର ଜଣେ ବ୍ୟକ୍ତି ଏହାକୁ କିଣିଥିବା ମାଲ୍ୟା କହିଛନ୍ତି।