ବିବାଦ ପରେ ବିଜେପିକୁ ପାଲଟା ଆକ୍ରମଣ କଲେ ନବଜ୍ୟୋତ ସିଂହ ସିଦ୍ଧୁ : କହିଲେ, ପ୍ରଧାନମନ୍ତ୍ରୀ ମୋଦି ଯାଇଥିଲେ ଲାହୋର,ମୋଦିଙ୍କ ଶପଥ ଗ୍ରହଣକୁ ଆସିଥିଲେ ନୱାଜ ସରିଫ

58

କନକ ବ୍ୟୁରୋ : ପାକିସ୍ତାନରରୁ ଫେରିବା ପରେ ପ୍ରଥମଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଲେ ନବଜ୍ୟୋତ ସିଂହ ସିଦ୍ଧୁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନେଇ ଦେଖାଦେଇଥିବା ବିବାଦ ଉପରେ ରଖିଲେ ସଫେଇ । କହିଲେ ପାକିସ୍ତାନ ଗସ୍ତରେ କୌଣସି ରାଜନୀତି ନଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲାହୋର ଗସ୍ତ କରିଥିିଲେ । ଏବଂ ନୱାଜ ସରିଫ ମଧ୍ୟ ମୋଦିଙ୍କ ଶପଥ ଗ୍ରହଣରେ ସାମିଲ ହୋଇଥିଲେ । ଏହାସହ ପାକିସ୍ତାନ ସେନା ମୁଖ୍ୟ ବାଜୱାଙ୍କୁ କୋଳେଇବା ପ୍ରସଙ୍ଗରେ ମଧ୍ୟ ସେ ସ୍ପଷ୍ଟୀକରଣ ରଖିଛନ୍ତି । କହିଛନ୍ତି ସୀମାରେ ଶାନ୍ତି ଚାହୁଁଥିବା ବାଜୱା କହିଥିଲେ ।

ବାଜୱାଙ୍କ ଭାବପୂର୍ଣ୍ଣ କଥାରେ ସେ ଭାବୁକ ହୋଇପଡିଥିଲେ । ତେଣୁ ଏପରି କରିଥିଲେ । ସିଦ୍ଧୁ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଅବସରରେ ପାକ୍ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କୁ କୋଳେଇଥିଲେ ସିଦ୍ଧୁ । ତେବେ ଉକ୍ତ ଦୃଶ୍ୟ ସାମନାକୁ ଆସିବା ପରେ ସିଦ୍ଧୁଙ୍କୁ ଦେଶବ୍ୟାପି ସମାଲୋଚନା କରାଯାଇଥିଲା । ଏପରିକି ଏହାକୁ ନାପସନ୍ଦ କରଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ସେହିପରି ପାକ୍ ଅଧିକୃତ କଶ୍ମୀରର ମୁଖ୍ୟ ମସୁଦ ଖାନଙ୍କ ନିକଟରେ ସିଦ୍ଧୁ ବସିବାକୁ ନେଇ ସମାଲୋଚନା କରାଯାଇଥିଲା ।

ସେପଟେ ସିଦ୍ଧୁଙ୍କର ଏଭଳି କାର୍ୟ୍ୟଦ୍ୱାରା ସେ ଭାରତୀୟ ସେନାବାହିନୀକୁ ଅପମାନିତ କରିଛନ୍ତି ବୋଲି କହି ବିହାରର ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି । ତେବେ ଏହି ବିବାଦରେ ନିଆଁ ଢ଼ାଳିଛି ରାଷ୍ଟ୍ରୀୟ ବଜରଙ୍ଗ ଦଳର ଆଗ୍ରା ଶାଖା ।