ଆସିଲା ମୁଡ ଅଫ୍ ଦି ନେସନ ସର୍ଭେ ରିପୋର୍ଟ !  ସହଜ ହେବନି ୨୦୧୯ ନିର୍ବାଚନ । ଏନଡିଏକୁ ୯୯ ସିଟ୍ ଘାଟା, ୟୁପିଏକୁ ୧୦୬ଟି ସିଟ୍ ଫାଇଦା

520

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ବାଜିପାରେ ବିଗୁଲ । ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ଜାତୀୟ ଓ ଆଞ୍ଚଳିକ ଦଳ ନିଜ ପାଇଁ ଶକ୍ତି ସଞ୍ଚୟ କରିବାରେ ଲାଗି ପଡିଛନ୍ତି । ଖାସକରି ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ଛୋଟ ଛୋଟ ଦଳ ସହ ମେଣ୍ଟ କରି ଦିଲ୍ଲୀ ଦଖଲ କରିବା ଯୋଜନାରେ ରହିଛନ୍ତି । ଆଉ ଏଭଳି ସମୟରେ ପ୍ରଶ୍ନ ଉଠୁଛି, ୨୦୧୯ରେ କିଏ ଗଢିବ ସରକାର । ଏନଡିଏ ନା ୟୁପିଏ । ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ମୁକୁଟ ପିନ୍ଧିବେ ନା କମବ୍ୟାକ କରିବ କଂଗ୍ରେସ । ଏହାକୁ ନେଇ ଏବେ ଦେଶରେ ଜୋରଦାର ଚର୍ଚ୍ଚା ଲାଗି ରହିଥିବା ବେଳେ ସାମ୍ନାକୁ ଆସିଛି ଜାତୀୟ ଗଣମାଧ୍ୟମ ଆଜତକର ମୁଡ୍ ଅଫ୍ ଦ ନେସନ ସର୍ଭେ ରିପୋର୍ଟ । ଆଉ ଏହି ସର୍ଭେ ରିପୋର୍ଟ ବିଜେପି ପାଇଁ ସର୍ତକ ଘଣ୍ଟି ବଜାଇଥିବା ବେଳେ କଂଗ୍ରେସ ପାଇଁ ଆଣିଛି ଅଚ୍ଛେଦିନ ।

୧୬ ତମ ଲୋକସଭା ନିର୍ବାଚନରେ କିଏ ମାରିବ ବାଜି । ଏହାର ଉତ୍ତର ଏବେ ପୂରା ଦେଶବାସୀ ଜାଣିବାକୁ ଚାହୁଁଥିବା ଆଜତକର ମୁଡ ଅଫ୍ ଦ ନେସନର ସର୍ଭେ ରିପୋର୍ଟ ଆଣିଛି ଚକିତ କରିଦେବା ଭଳି ତଥ୍ୟ । ୨୦୧୯ ନିର୍ବାଚନରେ କୌଣସି ଦଳ କିମ୍ବା ମହାମେଣ୍ଟକୁ ଏକାକୀ ବହୁମତ ମିଳିବ ନାହିଁ ବୋଲି କୁହାଯାଇଛି । ଖାସକରି ୨୦୧୯ ନିବାର୍ଚନ ମୋଦି ତଥା ବିଜେପି ପାଇଁ ଏସିଡ ଟେଷ୍ଟ ହେବାକୁ ଯାଉଛି । କାରଣ ଆଗାମୀ ନିର୍ବାଚନରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନଡିଏ । ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ୯୯ଟି ଆସନ ହରାଇପାରେ ଏନଡିଏ । ୨୦୧୪ରେ ଏନଡିଏକୁ ୩୩୬ଟି ଆସନ ମିଳିଥିବା ବେଳେ ୨୦୧୯ରେ ଏହା ୨୩୭ରେ ସୀମିତ ରହିବ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି ।

ଯଦି ଏଭଳି ସ୍ଥିତି ଉପୁଜେ ତେବେ ମ୍ୟାଜିକ ନମ୍ବର ଠାରୁ ୩୫ଟି ଆସନ ପଛରେ ରହିବ ବିଜେପି ନେତୃତ୍ୱ ଏନଡିଏ ମେଣ୍ଟ । ଏହାବାଦ୍ ଟିଡିପି ଏନଡିଏ ମେଣ୍ଟରୁ ଓହରିଯିବା ପରେ ୨୦୧୯ ନିର୍ବାଚନୀ ବୈତରଣୀ ପାର କରିବା ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ସର୍ଭେ ରିପୋର୍ଟରେ ଅନୁଯାୟୀ, ୨୦୧୯ ନିର୍ବାଚନରେ ଜବରଦସ୍ତ କମବ୍ୟାକ କରିପାରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ । କିନ୍ତୁ ଏହାପରେ ମଧ୍ୟ ୟୁପିଏ ମେଣ୍ଟ ବହୁମତ ଠାରୁ ବହୁତ ପଛରେ ରହିବ । ୨୦୧୪ ତୁଳନାରେ ୨୦୧୯ରେ ଲଙ୍ଗ ଜମ୍ପ ମାରି ୧୦୬ଟି ଅଧିକ ଆସନ ପାଇବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ଯାହା ରାହୁଲଙ୍କ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିବ ନିଶ୍ଚୟ  । କିନ୍ତୁ ସରକାର ଗଢିବା ପାଇଁ ପୁଣିଥରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

୨୦୧୯ରେ ମହାମେଣ୍ଟ ଓ ଅନ୍ୟ ଦଳ ମଧ୍ୟ ଘାଟାରେ ପଡିବେ । ୨୦୧୪ ତୁଳନାରେ ୧୩ଟି ଆସନ କମ ମିଳିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ୨୦୧୪ରେ ବିଭିନ୍ନ ଆଞ୍ଚଳିକ ଦଳ ଓ ମହାମେଣ୍ଟ  ୧୫୩ଟି ଆସନ ପାଇଥିବା ବେଳେ ୨୦୧୯ରେ ଏହା ୧୪୦ଟି ଆସନକୁ ଖସିଆସିବ । ଏହାଛଡା ୨୦୧୪ ତୁଳନାରେ ୨୦୧୯ରେ ଏନଡିଏର ଭୋଟ ପ୍ରତିଶତ ୩% କମିବାକୁ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଭୋଟହାର ୧୦ ପ୍ରତିଶତ ବଢିବ ବୋଲି  ସର୍ଭେ ରିପୋର୍ଟରେ କୁହାଯାଇଛି । ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ ଅନ୍ୟାନ୍ୟ ଦଳ  । ୨୦୧୪ ତୁଳନାରେ ୨୦୧୯ରେ ଏହି ଦଳ ଗୁଡିକର ଭୋଟ ୭ ପ୍ରତିଶତ ହ୍ରାସ ପାଇବା ସହ ୩୨ ପ୍ରତିଶତରେ ପହଞ୍ଚିବ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି ।