ଏଣିକି ଆଉ ଲାଇସେନ୍ସ ସହ ଗାଡି କାଗଜପତ୍ର ସାଙ୍ଗରେ ଧରି ବୁଲିବାକୁ ପଡିବ ନାହିଁ ! ମୋବାଇଲରେ ହେବ ସମସ୍ତ କାମ ।

2,242

ଆପଣ ଯେତେବେଳେ ଆପଣଙ୍କ କାର କିମ୍ବା ବାଇକରେ ଯାତ୍ରା କରୁଥାନ୍ତି, ସେତେବେଳେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଇନସ୍ୟୁରାନ୍ସ ପେପର, ପଲ୍ୟୁସନ ସାର୍ଟିଫିକେଟ୍ ସମେତ ଅନ୍ୟ କେତେକ ଦସ୍ତାବିଜ୍ ମଧ୍ୟ ସାଙ୍ଗରେ ରଖିବାକୁ ପଡିଥାଏ । କିନ୍ତୁ ଏଣିକି ଆଉ ଏସବୁର ଆବଶ୍ୟକତା ରହିବ ନାହିଁ । ଏଥିପାଇଁ ସଡକ ପରିବହନ ମନ୍ତ୍ରାଳୟ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛି ।

ଗତ ନଭେମ୍ବର ୧୯ ତାରିଖରେ ସଡକ ପରିବହନ ମନ୍ତ୍ରାଳୟ ସମସ୍ତ ରାଜ୍ୟର ପରିବହନ ବିଭାଗକୁ ଏକ ସର୍କୁଲାର ଜାରି କରିଛି । ଏଥିରେ ମନ୍ତ୍ରାଳୟ କହିଛି ଯେ, ଯଦି ସାଧାରଣ ଲୋକ ଚାହିଁବେ ତେବେ ସେମାନେ ଡ୍ରାଇଭିଙ୍ଗ ଲାଇସେନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ୍ ସମେତ ଗାଡିର ଅନ୍ୟ ସବୁ ଡକ୍ୟୁମେଣ୍ଟର ଡିଜିଟାଲ କପି ଦେଖାଇପାରିବେ ।

ସର୍କୁଲାରରେ କୁହାଯାଇଛି ଯେ, ଚେକିଂ ବେଳେ କିମ୍ବା ଅନ୍ୟ କୌଣସି ସ୍ଥାନରେ ପୋଲିସ ଗାଡିର କାଗଜପତ୍ର ଯାଞ୍ଚ କରିଥାନ୍ତି, ସେତେବେଳେ ସାଧାରଣ ଲୋକେ ଚାହିଁଲେ, ଗାଡିର ସବୁ କାଗଜପତ୍ରର କପି ଡିଜିଟାଲ ଫର୍ମାଟରେ ଦେଖାଇପାରିବେ । ଉପସ୍ଥିତ ଥିବା ପୋଲିସ ଅଧିକାରୀ ଏହାକୁ ଅସ୍ୱୀକାର କରିପାରିବେ ନାହିଁ । ଏହି ସର୍କୁଲାର ପୂର୍ବରୁ, ଅଗଷ୍ଟ ୨୦୧୮ରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ, ସମସ୍ତ ରାଜ୍ୟ ଗୁଡିକୁ ଏହି ସମ୍ବନ୍ଧୀୟ ଅଧିସୂଚନା ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, ସାଧାରଣ ଲୋକ ସେମାନଙ୍କର ତଥ୍ୟ ଏମପରିବହନ ଆପରେ ରଖିପାରିବେ । ପୋଲିସ କିମ୍ବା ଅନ୍ୟ କୌଣସି ଅଧିକାରୀ ଗାଡିର କାଗଜପତ୍ର ଯାଞ୍ଚ କରିବା ସମୟରେ ଏହି ଆପରେ ସେଭ୍ କରାଯାଇଥିବା ଦସ୍ତାବିଜକୁ ଦେଖାଯାଇପାରିବ ।