ବିଜେପି ସରକାରଙ୍କ ନିର୍ଦ୍ଦେଶ । ସରକାରୀ ଅଫିସର ପିନ୍ଧିବେନି ଜିନ୍ସ ଓ ଚଷମା

69

ସରକାରୀ ବାବୁଙ୍କୁ ଜିନ୍ସ ଓ ଚଷମା ମନା । ତ୍ରିପୁରାରେ ବିଜେପି ଶାସିତ ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ସରକାରୀ କାର୍ଯ୍ୟାଳୟରେ ସରକାରୀ ବାବୁଙ୍କ ଜିନ୍ସ ଓ ଚଷମା ଉପରେ ରୋକ ଲଗାଇଛନ୍ତି ବିପ୍ଲବ ସରକାର । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବିରୋଧୀ ମାନେ କହିଛନ୍ତି ଏହା ସରକାରଙ୍କ ସାମନ୍ତବାଦ ମାନସିକତାକୁ ସୂଚାଉଛି । ମୁଖ୍ୟ ସଚିବ ସୁଶୀଲ କୁମାର ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ ଅଫିସର ମାନଙ୍କୁ ରାଜ୍ୟସ୍ତରୀୟ ଅଧିକାରୀ ମାନଙ୍କ ବୈଠକରେ ଡ୍ରେସକୋର୍ଡ ପାଳନ କରିବାକୁ କୁହାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟ ସଚିବ ଅଧ୍ୟକ୍ଷତା କରୁଥିବା ଏବଂ ଅନ୍ୟ ଉଚ୍ଚସ୍ତରୀୟ ବୈଠକରେ ସରକାରୀ ଅଫିସର ମାନେ ଯେପରି ଡ୍ରେସକୋର୍ଡରେ ଆସନ୍ତି ତାହାର ଦାୟିତ୍ୱ ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି । ଅଗଷ୍ଟ ୨୦ରେ ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ, ଅଧିକାରୀମାନଙ୍କ ବୈଠକରେ ଅଫିସର ମାନଙ୍କୁ ଜିନ୍ସ, କାର୍ଗୋ ପ୍ୟାଣ୍ଟ ପିନ୍ଧିବାକୁ ବାରଣ କରାଯାଇଛି । ଏପରିକି କିଛି ଅଧିକାରୀ ମାନେ ବୈଠକ ଚାଲୁଥିବା ସମୟରେ ମୋବାଇଲ ଫୋନରେ ବ୍ୟସ୍ତ ରହିଥାନ୍ତି ଯାହା ଉଚ୍ଚ ଅଫିସରଙ୍କ ପ୍ରତି ଅନାଦାରକୁ ସୂଚାଇଥାଏ ।

ଏହାପୁର୍ବରୁ ତ୍ରିପୁରାରେ ମାଣିକ ସରକାର ଥିବା ବେଳେ ମଧ୍ୟ ଅଧିକାରୀମାନଙ୍କୁ ପକେଟରୁ ହାତ ବାହାର କରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ ଗସ୍ତ ସମୟରେ ଏଭଳି କିଛି ଦେଖିବାକୁ ମିଳିଥିଲା ଯାହାଫଳରେ ଅଫିସରଙ୍କ ଡ୍ରେସକୋର୍ଡକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରୁଥିବା ବେଳେ ଜିଲ୍ଲାପାଳ ଜଣକ ଚେକ୍ ସାର୍ଟ ଓ ଚଷମା ପିନ୍ଧିଥିଲେ ।ଯାହାକୁ ନେଇ ଲୋକମାନେ ଆଲୋଚନା କରିଥିଲେ ।

ସରକାରୀ ଅଧିକାରୀଙ୍କ ପାଇଁ ବିପ୍ଲବ ଦେବ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିୟମକୁ ନେଇ ବିରୋଧୀ ମାନେ ହଙ୍ଗାମା ଆରମ୍ଭ କରିଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ସମସ୍ୟାକୁ ଅଣଦେଖା କରି ସରକାର ବେକାର ମୁଦ୍ଦାକୁ ସାମ୍ନାକୁ ଆଣୁଛନ୍ତି । ଯାହାଫଳରେ ପ୍ରକୃତ ସମସ୍ୟା ଉପରୁ ଲୋକମାନଙ୍କ ଧ୍ୟାନ ହଟାଯାଇ ପାରିବ । ସେହିଭଳି ସିପିଏମ ପକ୍ଷରୁ କୁହାଯାଇଛି, ବିପ୍ଲବ ଦେବଙ୍କ ଏଭଳି ଆଦେଶ ବ୍ରିଟିଶରାଜର କଥା ମନେ ପକାଇ ଦେଇଛି । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଏଠାରେ ସରକାର କିଭଳି ଭାବେ ଆଦେଶ ଦେବେ ଯେ ଲୋକମାନେ କଣ ପିନ୍ଧିବେ ଆଉ କଣ ପିନ୍ଧିବେ ନାହିଁ ।