ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡେ ନାହିଁ : ଭଙ୍ଗା କୁଡିଆ ଭିତରେ ବିତୁଛି ୮ ପ୍ରାଣୀଙ୍କ ଜୀବନ

42

କନକ ବ୍ୟୁରୋ : ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡେ ନାହିଁ । ଫଳରେ ପରିବାର ଲୋକ ପାଳି କରି ରାତି କାଟନ୍ତି । ଅଧାଲୋକ ରାତିରେ ଶୋଉଥିବା ବେଳେ ଆଉ ଅଧା ବାହାରେ ଜଗିବସନ୍ତି । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ସଫଳତା ପାଇଁ ପୁରସ୍କୃତ ହୋଇଥିବା କେନ୍ଦୁଝର ଜିଲ୍ଲାର ବାସ୍ତବ ଚିତ୍ର ଖୁବ୍ ଅଲଗା ।

କେନ୍ଦୁଝର ସଦର ବ୍ଲକ ବରାଦାପାଳ ପଂଚାୟତ ରଗୁଡି ସାହିର ବୁଦ୍ଧୁ ମୁଣ୍ଡା । ବୁଦ୍ଧୁଙ୍କ ପରିବାର କହିଲେ ବିଧବା ମା, ସ୍ତ୍ରୀ, ଭାଇ ଏବଂ ୪ ଛୋଟ ଛୋଟ ପିଲା । ୮ ପ୍ରାଣୀ କୁଟୁମ୍ବଙ୍କ ମୁଣ୍ଡ ଗୁଜିଂବା ପାଇଁ ସାହାରା କହିଲେ ୪ ଫୁଟ ଓସାର ଓ ୬ ଫୁଟ ଲମ୍ବର କୁଡିଆଟିଏ । ଯାହାର ଭଙ୍ଗା ଚାଳ ପଡିଛି ଦରଛିଣ୍ଡା ପଲିଥିନ । ଆଉ ସେଇଠି ପାଳି କରି ରାତିକାଟନ୍ତି ପରିବାର । ଛୁଆମାନଙ୍କ ସହ କେହି ଜଣେ ବଡଲୋକ ଘରେ ଶୋଉଥିବା ବେଳେ ଅନ୍ୟମାନେ ବାହାରେ ଜଗି ବସନ୍ତି । ଖରାଦିନେ ଯାହା ଯେମିତି ରାତି କଟିଯାଏ ହେଲେ ବର୍ଷା ଦିନେ ସପରିବାର ପୁରା ରାତି ଉଜାଗର ରହୁନ୍ତି ।

ଏତିକିରେ ବୁଦ୍ଧୁ ମୁଣ୍ଡାଙ୍କ ଦୁଃଖ ସରି ନାହିଁ । ବୁଦ୍ଧଙ୍କ ବାପା ୧୮ବର୍ଷ ତଳୁ ଆରପାରିକୁ ଚାଲିଗଲେଣି, ହେଲେ ଆଜି ଯାଏ ତାଙ୍କ ମାଆଙ୍କୁ ବିଧବା ଭତ୍ତା ଗଣ୍ଡାଏ ମିଳିନି । ଖାଦ୍ୟ ସୁରକ୍ଷା ଆଇନରୁ ବଂଚିତ ଏହି ପରିବାର ଟଙ୍କାକିଆ ଚାଉଳ ଏବଂ ଗହମ ନପାଇ ଅଧା ଦିନ ଅନାହାରରେ କାଟନ୍ତି । ଏନେଇ ପ୍ରଶାସନ ନିକଟରେ ଖବର ଥିବା ବେଳେ ତାଙ୍କୁ ତୁରନ୍ତ ବିଜୁପକ୍କା ଘର ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସଦର ବିଡିଓ । ବୁଦ୍ଧୁଙ୍କ ଭଳି ଆଦିବାସୀ ପରିବାର ଯେଉଁଠି ମୁଣ୍ଡ ଗୁଂଜିବାକୁ ବାସ ଖଣ୍ଡେ ପାଉନାହାନ୍ତି ସେଭଳି ଜିଲ୍ଲାକୁ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ସଫଳତା ପାଇଁ ପୁରସ୍କୃତ କରାଇବା କେତେ ଯୁକ୍ତିଯୁକ୍ତ ।