ହେଲମେଟ ନାହିଁ ତ ଗାଡି ପୂଜା ନାହିଁ ! ଶାରଳା ମନ୍ଦିରର ନୂଆ ନିୟମ । ଆଗ ଜୀବନ, ପରେ ଦେବତା

38

କନକ ବ୍ୟୁରୋ : ମନ୍ଦିରରେ ଲାଗିଲା ସଡକ ସୁରକ୍ଷା ବୋର୍ଡ । ବିନା ହେଲମେଟରେ ମନ୍ଦିରରେ ପୂଜା ହେବନି ବାଇକ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିରରେ ବିନା ହେଲମେଟରେ ଆଉ ବାଇକ ପୂଜା କରାଯିବ ନାହିଁ । ଏ ନେଇ ମନ୍ଦିର ସମ୍ମୁଖରେ ଏକ ସଡକ ସୁରକ୍ଷା ସାଇନ ବୋର୍ଡ ଲଗାଯାଇଛି । ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏ ପରି ପଦକ୍ଷେପ ନିଆ ଯାଇଥିବାର ଜଣାଯାଇଛି । ତେବେ ଏହି ସାଇନବୋର୍ଡର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

no helmetପୂର୍ବରୁ ପେଟ୍ରୋଲ ପମ୍ପରେ ହେଲମେଟ ବାଧ୍ୟତାମୂଳକ ହୋଇଥିବା ବେଳେ ଏବେ ମନ୍ଦିରରେ ମଧ୍ୟ ହେଲମେଟ ଆବଶ୍ୟକତା ପଡିଲାଣି । ଏଣିକି ହେଲମେଟ ନହେଲେ ମନ୍ଦିରରେ ପୂଜା ହେବନି ଦୁଇ ଚକିଆ ଗାଡି । ଏହି ନୂଆ ନିୟମ ଲାଗୁ କରାଯାଇଛି ଜଗତସିଂହପୁରର ଅଧିଷ୍ଠାତ୍ରୀ ମା ଶାରଳାଙ୍କ ମନ୍ଦିରରେ । ଯିଏ ନୂଆ ବାଇକ ସହ ହେଲମଟେ ପିନ୍ଧି ଆସିବେ ପୂଜକ କେବଳ ତାଙ୍କରି ଗାଡି ପୂଜା କରୁଛନ୍ତି । ଏନେଇ ମନ୍ଦିର ପରିସରରେ ବୋର୍ଡ ମଧ୍ୟ ଲଗାଯାଇଛି । ସଡକ ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ ପ୍ରଶାସନ ସହଯୋଗରେ ଏହି ନୂଆ ନିୟମ ଲାଗୁ କରାଯାଇଛି । ପୋଲିସର ଏହି ନୂଆ ନିୟମ ଲୋକଙ୍କ ମଧ୍ୟରେ ବି ବେଶ ଗ୍ରହଣୀୟ ହୋଇପାରିଛି ।

ଦୁର୍ଘଟଣାରୁ ଲୋକଙ୍କ ସୁରକ୍ଷା ପାଇଁ ଜଗତସିଂହପୁର ପୁଲିସ ଏପରି ନୂଆ ନିୟମ କରିଛି । ଏହାଦ୍ୱାରା ବାଇକ କିଣିବା ବେଳେ ଲୋକେ ହେଲମେଟ ମଧ୍ୟ କିଣିବେ । ପ୍ରଥମେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟନାରାୟଣ ପଙ୍କଜ ଏହି ପଦକ୍ଷେପ ଗ୍ରହଣ କରିଥିବାରୁ ଏହାକୁ ସହମତି ଜଣାଇଛି ମନ୍ଦିର ପ୍ରଶାସନ । ଏହି ନିୟମକୁ ସବୁ ଦିନ ପାଇଁ ପାଳନ କରାଗଲେ ଦୁର୍ଘଟଣା ମୃତ୍ୟୁକୁ କମ କରାଯାଇପାରିବ । ପୂର୍ବରୁ ପେଟ୍ରୋଲ ପମ୍ପରେ ନୋ ହେଲମେଟ ନୋ ପେଟ୍ରୋଲ ନିୟମ ଲାଗୁ କରାଯାଇଛି । ଏବେ ପୁଣି ମନ୍ଦିରରେ ଏହି ନୂଆ ନିୟମ ଲୋକଙ୍କୁ ନିହାତି ଭାବରେ ଅଧିକ ସଚେତନ କରିବ ବୋଲି ଆଶା କରାଯାଉଛି ।