ଗୋଟିଏ କିଣିଲେ ଗୋଟିଏ ମାଗଣା । ଜିଏସ୍‌ଟି ଲାଗୁ ହେବା ପରେ ଏଭଳି ଲୋଭନୀୟ ଅଫର୍‌ ସବୁ ବନ୍ଦ ହୋଇଯାଇଛି । ପୁଣି ଥରେ ସେସବୁ ଅଫର ଫେରିବ । ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ପାଇଁ କଂପାନିଠାରୁ ଆରମ୍ଭ କରି ଷ୍ଟୋର୍‌ ଓ ସୋ’ରୁମ୍‌ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଲୋଭନୀୟ ଅଫର ଘୋଷଣା କରୁଥିଲେ । ମାତ୍ର, ଗତବର୍ଷ ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ ଅଫର ଘୋଷଣା ଧାରା ବନ୍ଦ ହୋଇଯାଇଥିଲା । ମାଗଣା ଅଫର୍‌ ଉପରେ ଟିକସ ଲାଗୁ କରାଯାଇଥିଲା । ସେହି ଟିକସକୁ ପ୍ରତ୍ୟାହାର କରିବା ଉପରେ ଏବେ ବିଚାରବିମର୍ଶ ଚାଲିଛି । ମାଗଣା ଅଫର୍‌ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବା ପାଇଁ ଜିଏସ୍‌ଟି ପରିଷଦର ଆଇନ ଅନୁଧ୍ୟାନ କମିଟି ସୁପାରିସ୍‌ କରିଛି ।

ଖୁବ୍‌ଶୀଘ୍ର ଜିଏସ୍‌ଟି ପରିଷଦ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ । ଜିଏସ୍‌ଟି ଲାଗୁ ହେବା ପରେ ମାଗଣା ଅଫର୍‌ ଘୋଷଣା କରୁଥିବା ସଂସ୍ଥାଗୁଡ଼ିକ ଅଡ଼ୁଆରେ ପଡ଼ିଯାଇଥିଲେ । ସେମାନଙ୍କ ପାଖକୁ ଟିକସ ବିଭାଗରୁ ଘନ ଘନ ନୋଟିସ୍‌ ପହଞ୍ଚିଥିଲା । ମାଗଣାରେ ବଣ୍ଟାଯାଉଥିବା ସାମଗ୍ରୀ ଉପରେ ଟିକସ ପଇଠ କରିବାକୁ ସେମାନଙ୍କୁ କୁହାଯାଇଥିଲା । ଏଭଳି ନୋଟିସ ପାଇବା ପରେ କଂପାନିଗୁଡ଼ିକ ମାଗଣା ଅଫର୍‌ ବନ୍ଦ କରିଦେଇଥିଲେ । ଜିଏସ୍‌ଟି ଯୋଗୁ ଅଫର ଘୋଷଣା କରୁଥିବା ସଂସ୍ଥା ପାଇଁ ଦୁଇ ପ୍ରକାର ସମସ୍ୟା ଦେଖାଦେଇଥିଲା ।

ପ୍ରଥମ ସମସ୍ୟାଟି ହେଉଛି ଯେଉଁ ଜିନିଷକୁ ସେମାନେ ମାଗଣାରେ ଗ୍ରାହକଙ୍କୁ ଦେଲେ ତାହା ଉପରେ ସରକାର ଟିକସ ଦାବି କରୁଛନ୍ତି । ଦ୍ୱିତୀୟ ସମସ୍ୟାଟି ହେଲା ମାଗଣାରେ ଦିଆଯାଇଥିବା ଜିନିଷ ଉପରେ ଇନ୍‌ପୁଟ୍‌ କ୍ରେଡିଟ୍‌ ଦେବାକୁ ମଧ୍ୟ ସରକାର ମନା କରୁଛନ୍ତି । ଟିକସ ଚାପ ଓ ଇନ୍‌୍‌ପୁଟ୍‌ କ୍ରେଡିଟ୍‌ ନମିଳିବାର ଭୟ ଯୋଗୁ କଂପାନିଗୁଡ଼ିକ ଅଫର ଘୋଷଣା ବନ୍ଦ କରିଦେଇଛନ୍ତିି । ତେଲ, ସାବୁନ ଆଦି ବିକ୍ରି କରୁଥିବା କଂପାନି, ଔଷଧ ପୋଷାକ ବିକ୍ରି କରୁଥିବା କଂପାନିଗୁଡ଼ିକ ମାଗଣା ଅଫର ଘୋଷଣା କରୁଥିଲେ । ଔଷଧ କଂପାନିଗୁଡ଼ିକ ମାଗଣାରେ ଔଷଧର ଯେଉଁ ନମୁନା (ସାମ୍ପଲ୍‌) ବଣ୍ଟନ କରୁଥିଲେ ତାହା ଉପରେ ମଧ୍ୟ ଜିଏସ୍‌ଟି ଦାବି କରାଯାଉଛି । ଏହାକୁ ନେଇ ଔଷଧ କଂପାନିଗୁଡ଼ିକ ବେଶ ନିରୁତ୍ସାହିତ ହୋଇପଡ଼ିଛନ୍ତି ।