ମିଳୁନି ସରକାରୀ ସହାୟତା : ପଲିଥିନ ଟାଣି ଆଶ୍ରୟ ନେଇଛନ୍ତି ଆଦିବାସୀ ପରିବାରର ୬ ପ୍ରାଣୀ କୁଟୁମ୍ବ

ଅର୍ଥାଭାବରୁ ତିନି ବର୍ଷ ହେଲା ହୋଇପାରିନି ଘର ଛପର

57

କନକ ବ୍ୟୁରୋ : ଗ୍ରାମାଞ୍ଚଳର ଗରିବ ଅସହାୟଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ଏହାର ତଦାରଖ ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀ ଅଛନ୍ତି । ଅଧିକାରୀ ଓ କର୍ମଚାରୀଙ୍କ ଅଣଦେଖା ଏବଂ କୁଜିନେତାଙ୍କ ହସ୍ତକ୍ଷେପ ଯୋଗୁଁ ଅନେକ ଗରିବ ପରିବାର ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଆନନ୍ଦପୁର ବ୍ଲକର ଆଦିବାସୀ ବହୁଳ କୋଳିମାଟି ପଞ୍ଚାୟତରେ । ଏହି ପଞ୍ଚାୟତର କନ୍ତୋ ଗ୍ରାମ ବଡ଼ସାହିର ଅସହାୟ ବିଜଲୀ ନାଏକଙ୍କୁ ଏପର୍ଯ୍ୟନ୍ତ ସରକାରୀ ଆବାସ ଓ ବିଧବା ଭତ୍ତା ମିଳିନି । ୬ ପ୍ରାଣୀ କୁଟୁମ୍ବକୁ ନେଇ ଦୁଃଖକଷ୍ଟରେ ଦିନ କାଟୁଛନ୍ତି ବିଜଲୀ ।

ବିଜଲୀଙ୍କ ସ୍ବାମୀ କ୍ଷେତ୍ରବାସୀ ନାଏକ ଚିକିତ୍ସା ଅଭାବରୁ ତିନି ବର୍ଷ ତଳେ ଯକ୍ଷ୍ମା ରୋଗରେ ପ୍ରାଣ ହରାଇଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ଅସହାୟ ହୋଇପଡ଼ିଛି । ବିଜଲୀ ପାଞ୍ଚଜଣ ପିଲାଙ୍କୁ ନେଇ ଏକ ଭଙ୍ଗା ଘରେ ଆଶ୍ରୟ ନେଇଛନ୍ତି । ଅର୍ଥାଭାବରୁ ତିନି ବର୍ଷ ହେଲା ଘର ଛପର ହୋଇପାରିନି । ପଲିଥିନ ଟାଣି ଆଶ୍ରୟ ନେଇଛନ୍ତି ପରିବାର ଲୋକେ । ଘର କାନ୍ଥ ବିପଦଜନକ ଅବସ୍ଥାରେ ରହିଛି। ସାମାନ୍ୟ ବର୍ଷା ହେଲେ ପରିବାର ଲୋକେ ଭୟଭୀତ ହୋଇପଡ଼ୁଛନ୍ତି । ସାମୁଦ୍ରିକ ଝଡ଼ ତିତ୍‌ଲି ସମୟରେ ଘରର ଛପର ଉଡ଼ିଯାଇଥିଲା । ହେଲେ ମରାମତି ପାଇଁ କୌଣସି ସରକାରୀ ସହାୟତା ମିଳିଲାନି । ସ୍ବାମୀଙ୍କ ମୃତ୍ୟୁକୁ ତିନିବର୍ଷ ବିତି ଯାଇଥିଲେ ମଧୢ ଏପର‌୍ୟ୍ୟନ୍ତ ବିଜଲୀଙ୍କୁ ଭତ୍ତା ମିଳିନି । ବାରମ୍ବାର ଏ ନେଇ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି । ହେଲେ ତାଙ୍କ ଆବେଦନପତ୍ରକୁ କେହି ଗାଏବ କରିଦେଉଥିବା ଗ୍ରାମବାସୀ କହିଛନ୍ତି । ଥିଲାବାଲାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଉଥିବା ବେଳେ ବିଜଲୀ ପରି ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବଞ୍ଚିତ କରାଯାଉଛି । ଗ୍ରାମର କିଛି କୁଜିନେତା ସରକାରୀ କାର‌୍ୟ୍ୟରେ ଅଯଥା ହସ୍ତକ୍ଷେପ କରୁଥିବାରୁ ଗରିବ ଲୋକେ ସରକାରୀ ଯୋଜନାରେ ସାମିଲ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ଲକ ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।