ଦିନେ ଯାତ୍ରା ପେଣ୍ଡାଲରେ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିଲେ, ଏବେ ଛେଳି ଚରାଇ ପରିବାର ଚଳାଉଛନ୍ତି ହାସ୍ୟ ଅଭିନେତା ଗୋବିନ୍ଦ ।

556

କନକ ବ୍ୟୁରୋ : ରାତିର ରଙ୍ଗୀନ ଆଲୋକରେ ମୁହଁରେ ରଙ୍ଗମାଖି ଅନ୍ୟ ମୁହଁରେ ହସ ଫୁଟାଉଥିବା ଯାତ୍ରା ହାସ୍ୟ ଅଭିନେତାର ଭିତରେ ଯେ, କେତେ ଦୁଃଖ ଅଛି ତାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି । ଆମେ କହୁଛୁ ଯାତ୍ରା ଜଗତର ଆଗଧାଡିର ହାସ୍ୟ ଅଭିନେତା ଗୋବିନ୍ଦ ବାରିକଙ୍କ କଥା । ଅତି ଦୁଃଖ ଯନ୍ତ୍ରଣାରେ ଦିନ କାଟୁଥିବା ବେଳେ ୭୦ ବର୍ଷ ବୟସରେ କଳାକାର ଭତାକୁ ଅପେକ୍ଷା କରିଛନ୍ତି ଗୋବିନ୍ଦ ।

ମୁହଁରେ ରଙ୍ଗମାଖି ଅନ୍ୟ ମୁହଁରେ ହସ ଫୁଟାଉଥିବା ଯାତ୍ରା ହାସ୍ୟ ଅଭିନେତାଙ୍କ ଛାତିରେ ଛାତିଏ କୋହ । ୪୦ ବର୍ଷ ଧରି ଯାତ୍ରା ପେଣ୍ଡାଲରେ କମେଡି ଡାଏଲଗ କହି ଲୋକଙ୍କୁ ହସାଉଥିବା ଗୋବିନ୍ଦ ବାରିକ ଆଜି ଅସହାୟ । ୭୦ ବର୍ଷ ବୟସରେ ବଂଚିବା ପାଇଁ କେନ୍ଦ୍ରପଡା ପଟ୍ଟାମୁଣ୍ଡାଇ ମଠସାହି ଗାଁର ଗୋବିନ୍ଦ ଛେଳି ଚରାଉଛନ୍ତି । ସ୍ତ୍ରୀ, ୩ ଝିଅ ଓ ଗୋଟିଏ ଦିବ୍ୟାଙ୍ଗ ପୁଅକୁ ନେଇ ଗୋବିନ୍ଦଙ୍କ ପରିବାର । ସରକାରୀ ଯୋଜନାରେ କେବଳ ଖଣ୍ଡେ ଇନ୍ଦିରା ଆବାସ ପାଇଥିବା ଗୋବିନ୍ଦଙ୍କ ପାଇଁ କଳାକାର ଭତା ସାତ ସପନ ।

ତୁଳସୀ ଗଣନାଟ୍ୟ, ଜଗାବଳିଆ, ରାଜେଶ୍ୱରୀ, ଜଟାଧାରୀ, ସାତଶଙ୍ଖ, ଗୋପାଳପୁର ଯାତ୍ରା ପାର୍ଟିରେ ଅଭିନୟ କରିଛନ୍ତି ଗୋବିନ୍ଦ ବାରିକ । ତାଙ୍କ ଅଭିନିତ ନାଟକ ମଧ୍ୟରେ ରହିଛି ସୁପରହିଟ୍ ନାଟକ ମଶାଣୀଫୁଲ, ସୁନ୍ଦରୀ ଝିଅଙ୍କୁ ଦୁର ଜୁହାର, ମିଛ ସଂର୍ପକ, ପଣତକାନି, ପତିବତ୍ରା, ବନ୍ଧା ପଡିଛି ବାହା ମୁକୁଟ । ତେବେ ୪୦ ବର୍ଷ ଧରି ରଙ୍ଗମଂଚରେ ଲୋକଙ୍କୁ ହସେଇ ହସେଇ ବେଦମ୍ କରୁଥିବା ଏହି କଳାକାରଙ୍କ କଳାକାର ଭତା ବାବଦରେ ମୁହଁ ଖୋଲିବାକୁ ନାରାଜ ପଟାମୁଣ୍ଡାଇ ବିଡିଓ । ଅନ୍ୟକୁ ହସାଉଥିବା ମଣିଷଟିଏ ଆଜି ଦଃୁଖରେ ଭାଙ୍ଗି ପଡିଥିବା ବେଳେ ଅଚିନ୍ତା ନିଦ୍ରାରେ ଶୋଇଛି ପ୍ରଶାସନ ।