ଆସିଲା ମାଛ ନମୂନାର ଯାଂଚ ରିପୋର୍ଟ: ମତ୍ସ୍ୟ ବିଭାଗ କହିଲା, ରାଜ୍ୟରେ ସୁରକ୍ଷିତ ମାଛ, ମଧୁର ମାଛରେ ଫର୍ମାଲିନ ମିଶିବାର ସମ୍ଭାବନା ନାହିଁ

48

କନକ ବ୍ୟୁରୋ: ମାଛରେ କୌଣସି ପ୍ରକାର ଫର୍ମାଲିନ ମିଶିନାହିଁ । ପରୀକ୍ଷାଗାରରେ ମାଛର ନମୂନା ପରୀକ୍ଷା ପରେ ଏନେଇ ସ୍ପଷ୍ଟ କରିଛନ୍ତି ମତ୍ସ ଓ ପଶୁସଂପଦ ବିଭାଗ । ମାଛରେ ଫର୍ମାଲିନ ମିଶିବା ନେଇ ଅଭିଯୋଗ ପରେ ମାଛର ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷାରୁ କୌଣସି ମାଛରେ ଫର୍ମାଲିନ ମିଶିବାର ପ୍ରମାଣ ନାହିଁ ବୋଲି ରିପୋର୍ଟ ଆସିଛି । କେବଳ ଗୋଟିଏ ଚାନ୍ଦି ମାଛରେ ଫର୍ମାଲିନ ମିଶିଥିଲା ।

ମାଛରେ ଫର୍ମାଲିନ ମିଶିବା ଅଭିଯୋଗ ପରେ ବିଭିନ୍ନ ଜାଗାରୁ ମାଛ ନମୂନା ସଂଗ୍ରହ କରି ଗବେଷଣା ସଂସ୍ଥା ସିଫରୀ,ବାରକୁପୁର ଓ କୋଚି ସ୍ଥିତ ପରୀକ୍ଷାଗାରକକୁ ପଠାଯାଇଥିଲା । ମାଛରେ କୌଣସି ଫର୍ମାଲିନ ମିଶି ନଥିବା ନେଇ ରିପୋର୍ଟ ଆସିଛି । ମଧୁର ମାଛରେ ଫର୍ମାଲିନ ମିଶବାର ସମ୍ଭାବନା ନାହିଁ । ଆଗକୁ ବଜାରକୁ ଯେପରି ଫର୍ମାଲିନ ମିଶା ମାଛ ନଆସେ ସେ ନେଇ ଯାଂଚ ପ୍ରକ୍ରିୟା ଜାରି ରହିବ ବୋଲି ମତ୍ସ ଓ ପଶୁ ସଂପଦ ବିଭାଗ କହିଛି ।ଏହା ବ୍ୟତୀତ ମାଛ ବ୍ୟବସାୟୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ମାଛରେ ଫର୍ମାଲିନ ମିଶିଥିବା ନେଇ ଅଭିଯୋଗ ଆସିବା ପରେ ଆଜି ରାଉରକେଲା, ବ୍ରହ୍ମପୁର ଓ କଟକରେ ବିଭିନ୍ନ ମାଛ ଦୋକାନ ଉପରେ ଚଢଉ ହୋଇଛି । ରାଉରକେଲା, ବ୍ରହ୍ମପୁରରେ ଏବଂ କଟକରେ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ଚଢଉ ହୋଇଛି । ଚଢଉ ସମୟରେ କେତେକ ମାଛକୁ ଜବତ କରାଯାଇଛି । ସେଥିରେ ଫର୍ମାଲିନ ମିଶିଛି କି ନାହିଁ ସେ ନେଇ ପରୀକ୍ଷା ନିରିକ୍ଷା କରାଯାଉଛି । ଆନ୍ଧ୍ର ମାଛରେ ଫର୍ମାଲିନ ମିଶିଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ମାଛ ବ୍ୟବସାୟୀଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଜିଲ୍ଲାରେ ଏକ ଟିମ୍ ଗଠନ କରକି ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।