ମାଛ ସୁରକ୍ଷିତ, ମିଶିନି ଫର୍ମାଲିନ୍ ! ଯାଞ୍ଚ ରିପୋର୍ଟ ଆଣିଲା ଆଶ୍ୱସ୍ତି, ମତ୍ସ୍ୟ ବିଭାଗ କହିଲା, ମଧୁର ମାଛରେ ଫର୍ମାଲିନ ମିଶିବାର ସମ୍ଭାବନା ନାହିଁ ।

39

କନକ ବ୍ୟୁରୋ : ଆପଣ ନିସଂକୋଚରେ ମାଛ ଆଣି ଖାଇପାରିବେ । ମାଛରେ ଫର୍ମାଲିନ୍ ମିଶୁଥିବା ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଉଥିଲା ତାକୁ ଦୂର କରିଛନ୍ତି ସରକାର । ଓଡ଼ିଶା ଆସୁଥିବା ମାଛରେ ଫର୍ମାଲିନ୍ ନଥିବା ନେଇ ଯାଂଚ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ମତ୍ସ୍ୟ ସଂପଦ ବିଭାଗ ପକ୍ଷରୁ କୁହାଯାଉଛି, ଓଡ଼ିଶା ମାଛ ସୁରକ୍ଷିତ ଏବଂ ମଧୁର ଜଳ ମାଛରେ ଅପମିଶ୍ରଣ ସଂଭାବନା ନାହିଁ । ଯାଂଚ୍ ରିପୋର୍ଟ ପରେ ଆସିଥିବା ଏହି ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି ।

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ରଖାଯାଇଥିବା ଏହି ସ୍ପଷ୍ଟିକରଣ, ମାଛ ଓ ଫର୍ମାଲିନକୁ ନେଇ ସୃଷ୍ଟି ହୋଇଥିବା ଅନେକ ଆଶା-ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇଦେଇଛି । ଓଡ଼ିଶାକୁ ଆସୁଥିବା ମାଛରେ ଫର୍ମାଲିନ୍ ନଥିବା ଯାଂଚ୍ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ବେଳେ ମାଛକୁ ନେଇ ଦ୍ୱନ୍ଦରେ ଥିବା ଖାଉଟି ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ଆପଣ ବିନା ଦ୍ୱିଧାରେ ବଜାରରୁ ମାଛ ଆଣି ଖାଇପାରିବେ । ବଡ କଥା ହେଉଛି- ମଧୁର ଜଳର ମାଛରେ ଫର୍ମାଲିନ ମିଶ୍ରଣ ସଂଭବ ନଥିବା ବେଳେ ଓଡ଼ିଶାର ମାଛ ସୁରକ୍ଷିତ । ବିଶେଷ କରି ଆନ୍ଧ୍ରରୁ ଆସୁଥିବା ମାଛ ଓଡ଼ିଶା ଆସିବାରେ ବେଶି ସମୟ ଲାଗୁନଥିବାରୁ ଏଥିରେ କୌଣସି ରାସାୟନିକ ପଦାର୍ଥ ମିଶ୍ରଣର ଆଶଙ୍କା କମ୍ ।

ଆନ୍ଧ୍ର ମାଛରେ ଅପମିଶ୍ରଣର ଖବର ଆସିବା ମାତ୍ରେ ରାଜ୍ୟର ବିଭିନ୍ନ ସହରରେ ମତ୍ସ୍ୟ ସଂପଦ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହା ସହ ମାଛର ନମୂନା ଯାଂଚ୍ ପାଇଁ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା । କେବଳ ଗୋଟିଏ ସ୍ଥାନରେ, ଚାନ୍ଦିମାଛରେ ଫର୍ମାଲିନ୍ ମିଳିଥିବାବେଳେ ଅବଶିଷ୍ଟ ସବୁ ମାଛ ଅପମିଶ୍ରଣ ମୁକ୍ତ । ମାଛରେ ଫର୍ମାଲିନ ନଥିବା ଖବର କେବଳ ଯେ, ଖାଉଟିଙ୍କ ଆଶ୍ୱସ୍ତ କରିଛି ତାହା ନୁହେଁ, ମାଛ ବ୍ୟବସାୟ କରୁଥିବା ବେପାରୀଙ୍କ ଚିନ୍ତା ମଧ୍ୟ ଦୂର କରିଦେଇଛି । କାରଣ ମାଛରେ ଫର୍ମାଲିନ୍ ମିଶିବା ଖବର ଆସିବା ପରେ ମାଛ ବ୍ୟବସାୟ ମାନ୍ଦା ହୋଇଯାଇଥିଲା ।

ମାଛରେ ଫର୍ମାଲିନ୍ ମିଶୁଥିବା କାରଣରୁ ଆସାମ ସରକାର ଆନ୍ଧ୍ର ମାଛ ଉପରେ କଟକଣା ଲାଗଇବା ପରେ ଅପମିଶ୍ରିତ ମାଛକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ଭୁବନେଶ୍ୱର ଆସୁଥିବା ଆନ୍ଧ୍ରମାଛରେ ଫର୍ମାଲିନ୍ ମିଶୁଥିବା ଜଣାପଡ଼ିବା ପରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଥିଲା । ଆଉ ଏହାକୁ ନେଇ ସାରା ରାଜ୍ୟରେ ମାଛରେ ମନୂନା ଯାଂଚ୍ କରଯାଇଥିଲା ।