ଏଠି ନାହିଁ ଶତ୍ରୁର ଭୟ ! ଏମିତି ଦେଶ ଯେଉଁଠି ନାହିଁ ସେନାବାହିନୀ

61

ପୃଥିବୀର ଏମିତି ଦେଶ ଅଛି ଯେଉଁମାନେ ବଜେଟର ଅନେକ ଭାଗ ସୁରକ୍ଷା ବାବଦରେ ଖର୍ଚ୍ଚ କରିଥାନ୍ତି । ଶତ୍ରୁ ରାଷ୍ଟ୍ରଙ୍କ କବଳରୁ ନିଜକୁ ରକ୍ଷାକରିବା ପାଇଁ ସେନାବାହିନୀ ସହ ଗୁଳିଗୋଳା ସଜ୍ଜିତ କରିରଖନ୍ତି । କାରଣ ପ୍ରତିପକ୍ଷକୁ ଯେଭଳି ସଫଳତାର ସହ ମୁକାବିଲା କରିପାରିବେ । ତେବେ ପୃଥିବୀରେ ଏମିତି କିଛି ଦେଶ ଅଛନ୍ତି ଯେଉଁମାନଙ୍କର ସେନାବାହିନୀ ନାହିଁ । ସେହିଭଳି କିଛି ଦେଶ ବିଷୟରେ ଜାଣନ୍ତୁ

ଅଣ୍ଡୋରା: ୧୨୭୮ ମସସିହାରେ ଏହି ୟୁରୋପୀୟ ଦେଶଟିର ସ୍ଥାପନା ହୋଇଥିଲା। ଅଣ୍ଡୋରା ନିକଟରେ ନିଜର କୌଣସି ସେନା ନାହିଁ। ଆବଶ୍ୟକ ସମୟରେ ଅଣ୍ଡୋରାକୁ ସ୍ପେନ ଏବଂ ଫ୍ରାନ୍ସ ସେନା ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି।

କୋଷ୍ଟାରିକା: କୋଷ୍ଟାରିକା ଏକ ମଧ୍ୟ ଆମେରିକୀୟ ଦେଶ। ଏହା ପାଖରେ ନିଜର ସେନା ନାହିଁ। ୧୯୪୮ ମସିହାରେ ଏଠାରେ ଏକ ରାଷ୍ଟ୍ରପତି ନିର୍ବାଚନରେ ଅନିୟମିତତା ଦେଖା ଦେବାରୁ ସାଧାରଣ ଜନତା ଏହାର ତୀବ୍ର ବିରୋଧ କରିଥିଲେ। ନୂତନ ସମ୍ବିଧାନ ପ୍ରସ୍ତୁତି କରି କ୍ଷମତାକୁ ହାତକୁ ନେଇଥିଲେ। ଏହି ନୂତନ ସମ୍ବିଧାନ ଅନୁଯାୟୀ ସେନାର ଆବଶ୍ୟକତାକୁ ନାକଚ କରାଯାଇଥିଲା । ସେନାବାହିନୀ ନ ଥିବା ସତ୍ତ୍ୱେ ଏଠାକାର ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ୧୯୫୩ରୁ ଏଯାବତ କୋଷ୍ଟାରିକାରେ ୧୪ଟି ରାଷ୍ଟ୍ରପତି ନିର୍ବାଚନ ହୋଇ ସାରିଛି। ପ୍ରତିଟି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ ହୋଇଛି।

ତୁଭାଲୁ: ୨୦୧୪ରେ ସମୋଆ ଏବଂ ତୁବାଲୁକୁ ଭାରତ ପ୍ରଶାନ୍ତ ଦ୍ୱୀପ ସହଯୋଗ ସଂଗଠନରେ ସାମିଲ କରାଯାଇଛି। ତୁବାଲୁ ଏକ ଛୋଟ ଦେଶ। ଏହାର କ୍ଷେତ୍ରଫଳ ମାତ୍ର ଛବିଶ ବର୍ଗ କିଲୋମିଟର। ଏହି ଦେଶରେ ରହନ୍ତି ମାତ୍ର ଦଶ ହଜାର ଲୋକ। ଏହାର ସେନାବାହିନୀଟିଏ ନାହିଁ ।

ଭାଟିକାନ: ଭାଟିକାନ ପୃଥିବୀର ସବୁଠାରୁ ଛୋଟ ତଥା କମ ଲୋକ ବସବାସ କରୁଥିବା ଦେଶ। ଏହାର କ୍ଷେତ୍ରଫଳ ମାତ୍ର ୦.୪୪ ବର୍ଗ କିଲୋମିଟର ଏବଂ ଏବେ ଏହାର ଜନସଂଖ୍ୟା ନଅଶହରୁ ବି କମରହିଛି। ଭାଟିକାନ ହେଉଛି କ୍ୟାଥଲିକ ଗୀର୍ଜାର ମୁଖ୍ୟାଳୟ। ଏଠାରେ ଗୀର୍ଜାର ପ୍ରମୁଖ ପୋପ ଏବଂ ଚର୍ଚ୍ଚର ଅନ୍ୟ ଅଧିକାରୀ ରହନ୍ତି।

ଲିଷ୍ଟେନଷ୍ଟାଇନ: ଲିଷ୍ଟେନଷ୍ଟାଇନ କେନ୍ଦ୍ରୀୟ ୟୁରୋପର ଏକ ଛୋଟ ଦେଶ । ୧୮୬୮ରେ ପରିସ୍ଥିତିରେ ପଡ଼ି ଏହା ନିଜର ସେନା ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲା। ଏଭଳି କରିବା ପଛରେ କାରଣଟି ହେଲା, ସେ ସମୟରେ ଦେଶରେ ଆର୍ଥିକ ସ୍ଥିତି ସଂକଟରେ ଥିଲା । ଦେଶ ସେନାର ଖର୍ଚ୍ଚ ବହନ କରିବାକୁ ସମର୍ଥ ନ ଥିଲା। ତେବେ ନିଷ୍ପତ୍ତି ନିଆଯାଇଥିଲା ଯେ ଯେବେ ବି ଯୁଦ୍ଧ ପାଇଁ ଆବଶ୍ୟକ ପଡ଼ିବ ସେନାକୁ ପୁଣିଥରେ ପ୍ରସ୍ତୁତ କରାଯିବ। ମାତ୍ର ଏଯାବତ ଏହି ଦେଶକୁ କୌଣସି ଯୁଦ୍ଧକୁ ସାମ୍ନା କରିବାକୁ ପଡ଼ି ନାହିଁ।

ଗ୍ରେନେଡା: ଗ୍ରେନେଡା ୩୪୪ ବର୍ଗକିଲୋମିଟର ପରିବ୍ୟାପ୍ତ ଏକ ଦେଶ। ଗୋଟିଏ ବଡ଼ ଦ୍ୱୀପ ଏବଂ ଛ’ଟି ଛୋଟ ଛୋଟ ଦ୍ୱୀପ ସମୂହକୁ ନେଇ ଗଢ଼ି ଉଠିଛି ଏହି ଦେଶ। କେରିବିକ ଏବଂ ଆଟଲାଣ୍ଟିକ ମଧ୍ୟରେ ଅବସ୍ଥିତ ଏହି ଦେଶର ମୋଟ ଜନସଂଖ୍ୟା ହେଉଛନ୍ତି ପ୍ରାୟ ଦେଢ଼ଲକ୍ଷ। ମସଲା ପାଇଁ ବେଶ ପ୍ରସିଦ୍ଧ ଏହି ଦେଶ। ୧୯୮୩ ମସିହା ପୂର୍ବରୁ ଏହି ଦେଶର ନିଜର ସେନା ରହିଥିଲା। ମାତ୍ର ୧୯୮୩ରେ ଏଠାରେ ସେନାର ବିଦ୍ରୋହ ଏବଂ ଆମେରିକାର ହସ୍ତକ୍ଷେପ ପରେ ସେନାକୁ ଭାଙ୍ଗି ଦିଆ ଯାଇଥିଲା। ସେବେଠାରୁ ଏଠାରେ ସେନାବାହିନୀ ନାହାନ୍ତି।

ନାଉରୁ: ପ୍ରଶାନ୍ତ ମହାସାଗର ମଧ୍ୟରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର ହେଉଛି ନାଉରୁ। ଏହି ଦେଶର କ୍ଷେତ୍ରଫଳ ହୋଉଛି ୨୧.୧୦ ବର୍ଗ କିଲୋମିଟର। ଏଠାରେ ପ୍ରାୟ ୧୦ ହଜାର ଲୋକ ବାସ କରନ୍ତି। ନାଉରୁର ନିଜର ସେନା ନାହିଁ। ମାତ୍ର ଆବଶ୍ୟକ ପଡ଼ିଲେ ନାଉରୁର ସୁରକ୍ଷା ପାଇଁ ଅଷ୍ଟ୍ରେଲିଆ ନିଜର ସୈନ୍ୟଙ୍କୁ ପଠାଇବାର ଦାୟିତ୍ୱ ନେଇଛି। ତେବେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ନାଉରୁ ନିକଟରେ ପୋଲିସ ଫୋର୍ସ ରହିଛି।

ସମୋଆ : ନ୍ୟୁଜିଲାଣ୍ଡଠାରୁ ମୁକ୍ତି ଲାଭ କରି ୧୯୬୨ ମସିହାରେ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ସମୋଆ। ସ୍ୱାଧୀନତା ପାଇବା ପରେ ନିଜର କୌଣସି ସେନାବାହିନୀ ଗଠନ କରିନାହିଁ ଏହି ଦେଶ। ଏହା ପଛରେ ଥିବା କାରଣଟି ହେଲା, ସ୍ୱାଧୀନତା ସମୟରେ ସମୋଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ସନ୍ଧି ମୁତାବକ ଯେତେବେଳେ ବି ଏହି ଦେଶର ସୁରକ୍ଷା ପାଇଁ ସେନାର ଆବଶ୍ୟକତା ପଡ଼ିବ ସେତେବେଳେ ନ୍ୟୁଜିଲାଣ୍ଡ ନିଜର ସେନା ଯୋଗାଇ ଦେବ। ତେବେ ଆଭ୍ୟନ୍ତରୀଣ ବିଶୃଙ୍ଖଳାରୁ ରକ୍ଷା କରିବା ପାଇଁ ଅଳ୍ପ କିଛି ପୁଲିସ ରହିଛନ୍ତି।