ମାଲକାନଗିରିରେ ଅନ୍ଧାରୀ ଚିକିତ୍ସା ! ଲଣ୍ଠନ ଆଲୁଅରେ ଗର୍ଭବତୀଙ୍କ ଅସ୍ତ୍ରୋପଚାର

29

କନକ ବ୍ୟୁରୋ : ଉପାନ୍ତ ଅଂଚଳର ହସ୍ପିଟାଲରେ ଅନ୍ଧାରର ରାଜୁତି । ଲଣ୍ଠନ ଆଲୁଅରେ ହେଲା ପ୍ରସୂତିଙ୍କ ଅସ୍ତ୍ରୋପଚାର । ଟ୍ରାନ୍ସଫର୍ମ ପୋଡିଯିବାରୁ ଦୁଇଦିନ ହେଲା ବିଜୁଳି ଆଲୁଅ ନଥିବା ମାଲକାନଗିରି ଏମଭି-୭୯ ଆଂଚଳିକ ସ୍ୱାସ୍ଥ କେନ୍ଦ୍ରରେ ଏଭଳି ଚାଲିଛି ସ୍ୱାସ୍ଥ୍ୟସେବା । ବାଜି ଲାଗୁଛି ଉଭୟ ମାଆ ଓ ନବଜାତକଙ୍କ ଜୀବନ । ଗୋଟିଏ ପଟେ ହସ୍ପିଟାଲ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିନାହାନ୍ତି, ଅନ୍ୟପଟେ ୪୮ଘଂଟା ପରେ ବି ଟ୍ରନ୍ସଫର୍ମ ସଜାଡିନଥିବା ବିଦ୍ୟୁତ ବିଭାଗ, ହସ୍ପିଟାଲ ଉପରକୁ ଦୋଷ ଠେଲିଦେଇଛି ।

ଡାକ୍ତରଖାନାକୁ ଆସିଥିବା ମୋଟ ୧୨ଜଣ ପ୍ରସୂତିଙ୍କ ମଧ୍ୟରୁ ଦୁଇଜଣଙ୍କ ଅସ୍ତ୍ରୋପଚାର ଶେଷ ହୋଇଛି । ୪ଜଣ ଫେରି ଯାଇଥିବାବେଳେ ଅନ୍ୟ ୬ଜଣ ଅସ୍ତ୍ରୋପଚାର ଅପେକ୍ଷାରେ ଅଛନ୍ତି । ବିଜୁଳି ନଥିବାରୁ ବିକଳ୍ପ ପାଇଁ ହସ୍ପିଟାଲରେ ଅଛି ଗୋଟିଏ ଜେନେରେଟର । ହେଲେ ତାହା କୌଣସି କାମରେ ଆସୁନାହିଁ । ଗ୍ରାମବାସୀ ଆଉଗୋଟିଏ ଜେନେରେଟର ଯୋଗାଡ କରିଥିଲେ, ବି ତାହା ସମସ୍ୟାର ସମାଧାନ କରିପାରିନାହିଁ । ଏମଭି-୭୯ ଗାଁରେ ଟ୍ରାନସଫର୍ମର ପୋଡିଯିବାରୁ ଡାକ୍ତରଖାନାରେ ଏଭଳି ଅନ୍ଧାରର ରାଜୁତି । ଆଉ ଦୁଇଦିନ ହେଲା ହସ୍ପିଟାଲ ଭଳି ଜରୁରିକାଳୀନ ସେବାରେ ବିଭ୍ରାଟକୁ ନେଇ ବିଦ୍ୟୁତ ବିଭାଗର ଖାମଖିଆଲି ଉତର ଆଶ୍ଚର୍ଯ୍ୟ କରିଛି ।

ଗ୍ରାମାଂଚଳରେ ଟ୍ରାନ୍ସଫର୍ମର ପୋଡିଯିବା କିଛି ନୂଆକଥା ନୁହେଁ । କିନ୍ତୁ ଦୁଇଦିନ ହେଲା ଅନ୍ଧାରରେ ଥିବା ହସ୍ପିଟାଲରେ କୌଣସି ବିକଳ୍ପ ବ୍ୟବସ୍ଥା ନହେବା ନିଶ୍ଚିତ ଭାବରେ ଚିନ୍ତାର ବିଶୟ । ଲଣ୍ଠନ ଆଲୁଅରେ ପ୍ରସୂତିଙ୍କ ଅସ୍ତ୍ରୋପଚାର କରିବା ତାଠାରୁ ଆହୁରି ସାଙ୍ଘାତିକ କଥା ।